ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫.୫ ଲକ୍ଷ ତଳକୁ ଖସିଲା

• ୧୦୫ ଦିନ ପରେ ଗୋଟିଏ ଦିନରେ ୩୮,୩୧୦ ନୂଆ ପଜିଟିଭ୍ ମାମଲା
• ମୋଟ ସୁସ୍ଥ ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ୭୦ ଲକ୍ଷ ଟପିଲା

ନୂଆଦିଲ୍ଲୀ, (ପିଆଇବି) : କୋଭିଡ ମୁକାବିଲାରେ ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ପଜିଟିଭ୍ ମାମଲା ୪୦ ହଜାରରୁ ତଳକୁ ହ୍ରାସ ପାଇଛି । ୧୫ ସପ୍ତାହ (୧୦୫ ଦିନ) ପରେ ଗୋଟିଏ ଦିନରେ ନୂଆ ପଜିଟିଭ୍ ମାମଲା ୩୮,୩୧୦ ହୋଇଛି । ୨୦୨୦ ଜୁଲାଇ ୨୨ ତାରିଖରେ ଦିନକରେ ପଜିଟିଭ୍ ମାମଲାର ସଂଖ୍ୟା ଥିଲା ୩୭,୭୨୪ ।
ପ୍ରତିଦିନ ଅଧିକରୁ ଅଧିକ କୋଭିଡ ଆକ୍ରାନ୍ତ ସୁସ୍ଥ ହେଉଥିବା ଯୋଗୁଁ ମୃତ୍ୟୁହାର ହ୍ରାସ ପାଇବା ସହିତ ସକ୍ରିୟ ମାମଲା ନିମ୍ନମୁଖୀ ହୋଇ ଚାଲିଛି ।
ଅନ୍ୟ ଏକ ସଫଳତାରେ କରୋନା ସକ୍ରିୟ ମାମଲା ୫.୫ ଲକ୍ଷରୁ ତଳକୁ ଖସିଯାଇଛି । ଦେଶରେ ଏବେ ସକ୍ରିୟ ମାମଲାର ସଂଖ୍ୟା ୫,୪୧,୪୦୫ ଥିବାବେଳେ ଏହା ମୋଟ ପଜିଟିଭ୍ ମାମଲାର ମାତ୍ର ୬.୫୫% ।
ଦେଶବ୍ୟାପୀ ବ୍ୟାପକ ଟେଷ୍ଟିଂ, ଆକ୍ରାନ୍ତ ମାନଙ୍କୁ ତୁରନ୍ତ ଚିହ୍ନଟ କରିବା, ଟ୍ରାକିଂ, ସେମାନଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରିବା ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ପ୍ରକ୍ରିୟାରେ ଆକ୍ରାନ୍ତଙ୍କ ଚିକତ୍ସା କରିବା ଇତ୍ୟାଦିକୁ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ସରକାର ଗୁରୁତ୍ୱ ଦେବାରୁ ଏଭଳି ଉତ୍ସାହଜନକ ସଫଳତା ମିଳିପାରିଛି । ଡାକ୍ତର, ପାରାମେଡିକ୍, ଆଗଧାଡ଼ିରେ ଥିବା ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ ସମସ୍ତ କୋଭିଡ-୧୯ ଯୋଦ୍ଧାଙ୍କ ନିଃସ୍ୱାର୍ଥପର ଉତ୍ସର୍ଗୀକୃତ ସେବା ମନୋଭାବ ମଧ୍ୟ ଏହି ସଫଳତାର ଅନ୍ୟ ଏକ କାରଣ ।
ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କରୋନା ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଉଛି । ମୋଟ ସୁସ୍ଥଙ୍କ ସଂଖ୍ୟା ୭୬ ଲକ୍ଷକୁ ଅତିକ୍ରମ କରିଛି (୭୬,୦୩,୧୨୧) ।
ସକ୍ରିୟ ମାମଲା ଏବଂ ସୁସ୍ଥଙ୍କ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ମଧ୍ୟ ୭୦ ଲକ୍ଷକୁ ଟପି ଯାଇଛି (୭୦,୬୧,୭୧୬) ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୮,୩୨୩ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଜାତୀୟ ସୁସ୍ଥ ହାର ପୁଣି ୯୧.୯୬%କୁ ବୃଦ୍ଧି ପାଇଛି ।
ନୂଆ ସୁସ୍ଥଙ୍କ ମଧ୍ୟରେ ୮୦% ଆସିଛନ୍ତି ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
ମହାରାଷ୍ଟ୍ରରେ ଦିନକରେ ସର୍ବାଧିକ ୧୦ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଏହା ପଛକୁ କର୍ଣ୍ଣାଟକରେ ୮ ହଜାର ସୁସ୍ଥ ହୋଇଛନ୍ତି ।
ନୂଆ ପଜିଟଭ୍ ମାମଲାରୁ ୭୪% ଆସିଛନ୍ତି ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେରଳ, ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ଦିନକରେ ୪ ହଜାର ଲେଖାଏଁ ନୂଆ ପଜିଟିଭ୍ ମାମଲା ଆସିଛି । ପଶ୍ଚିମବଙ୍ଗରେ ୩ ହଜାରରୁ ଅଧିକ ମାମଲା ଆସିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯୦ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ୮୦% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ମହାରାଷ୍ଟ୍ରରେ ସର୍ବାଧିକ ଦିନକରେ ୧୦୪ ଜଣଙ୍କ ମୃତ୍ୟୁ ହୋଇଛି ।
ଭାରତରେ ଏବେ ମୃତ୍ୟୁ ହାର ରହିଛି ୧.୪୯% ।

Leave A Reply

Your email address will not be published.