୨୨ ମାର୍ଚ୍ଚ ପରଠାରୁ ଭାରତରେ କରୋନା ମୃତ୍ୟୁ ହାର ସବୁଠାରୁ କମ୍

• ଗତକାଲି ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୫ ଶହରୁ କମ୍
• ୧୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ମୃତ୍ୟୁ ହାର ଏକ ପ୍ରତିଶତରୁ କମ

ନୂଆଦିଲ୍ଲୀ, (ପିଆଇବି) : ଦେଶର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ରୋଗୀଙ୍କୁ ଉତ୍ତମ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବା ପାଇଁ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସରକାରଙ୍କ ମିଳିତ ଉଦ୍ୟମ ଯୋଗୁଁ ଭାରତରେ ମୃତ୍ୟୁ ହାର ହ୍ରାସ ପାଇ ୧.୫ ପ୍ରତିଶତରେ ପହଁଚିଛି । ଉତ୍ତମ ନିୟନ୍ତ୍ରଣ ରଣନୀତି, ବ୍ୟାପକ ପରୀକ୍ଷଣ ଓ ଚିକିତ୍ସା ବ୍ୟବସ୍ଥା ସମୃଦ୍ଧ ପ୍ରୋଟୋକଲ ସାରା ଦେଶର ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡିକରେ ଲାଗୁ ହେବା ଯୋଗୁଁ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଛି ।
ଗତକାଲି ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୫ ଶହରୁ କମ୍ (୪୮୦) ମୃତ୍ୟୁ ହୋଇଛି ।
ସାରା ବିଶ୍ୱର କରୋନା ମୃତ୍ୟୁ ହାର ତୁଳନାରେ ଭାରତର କରୋନା ମୃତ୍ୟୁ ହାର ସବୁଠାରୁ କମ ରହିଛି । ୨୨ ମାର୍ଚ୍ଚ ପରଠାରୁ ଭାରତରେ ମୃତ୍ୟୁ ହାର କମ୍ ରହିଛି ଓ ଏହା ଧୀରେ ଧୀରେ କମିବାରେ ଲାଗିଛି ।
କୋଭିଡ ପ୍ରବନ୍ଧନ ଓ ମୁକାବିଲା ନୀତିର ଅଂଶବିଶେଷ ଭାବେ କୋଭିଡ ସଂକ୍ରମଣ ବ୍ୟାପିବା ରୋକିବା ସହ ଏଥିଯୋଗୁଁ ହେଉଥିବା ମୃତ୍ୟୁ ହ୍ରାସ କରିବା ଓ ଗୁରୁତର କୋଭିଡ ରୋଗୀଙ୍କୁ ଗୁଣବତାତ୍ତାସମ୍ପନ୍ନ ଚିକିତ୍ସା ଉପଲବ୍ଧ କରାଇ ଲୋକଙ୍କ ଜୀବନ ରକ୍ଷା କରିବାକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଇଛନ୍ତି । କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସରକାରଙ୍କ ମିଳିତ ପ୍ରୟାସ ଯୋଗୁଁ ସାରା ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ହୋଇପାରିଛି । ୨୨୧୮ଟି ସମର୍ପିତ କୋଭିଡ ଡାକ୍ତରଖାନା ଗୁଣବତ୍ତାଯୁକ୍ତ ଡାକ୍ତରୀ ସେବା ପ୍ରଦାନ କରୁଛନ୍ତି ।
କରୋନା ମୃତ୍ୟୁ ହାର କମାଇବା ପାଇଁ ଗୁରୁତର ରୋଗୀଙ୍କ ନୈଦାନିକ ପ୍ରବନ୍ଧନ କ୍ଷେତ୍ରରେ ଆଇସିୟୁ ଡାକ୍ତରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏମ୍ସ, ନୂଆଦିଲ୍ଲୀରେ ନିଆରା ଇ-ଆଇସିୟୁ ଉପକ୍ରମ ଆରମ୍ଭ ହୋଇଛି । ସପ୍ତାହକୁ ଦୁଇ ଦିନ ମଙ୍ଗଳବାର ଓ ଶୁକ୍ରବାର ବିଶେଷଜ୍ଞମାନେ ରାଜ୍ୟ ଡାକ୍ତରଖାନାଗୁଡିକର ଆଇସିୟୁ ଡାକ୍ତରମାନଙ୍କ ପାଇଁ ପରାମର୍ଶ ଅଧିବେଶନ ଆୟୋଜନ କରୁଛନ୍ତି । ଏହି ଅଧିବେଶନ ଜୁଲାଇ ୮, ୨୦୨୦ରୁ ଆରମ୍ଭ ହୋଇଛି ।
ଏପର୍ୟ୍ୟନ୍ତ ୨୫ଟି ଟେଲି-ଅଧିବେଶନ ଆୟୋଜିତ ହୋଇଛି, ଯେଉଁଥିରେ ୩୪ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ୩୩୪ଟି ଡାକ୍ତରୀ ସଂସ୍ଥା ଭାଗ ନେଇଛନ୍ତି ।
ଗୁରୁତର ଅସୁସ୍ଥ ରୋଗୀଙ୍କ କ୍ଷେତ୍ରରେ ଡାକ୍ତରମାନଙ୍କ ନୈଦାନିକ ପ୍ରବନ୍ଧନ /ଆଇସିୟୁ ଦକ୍ଷତା ବୃଦ୍ଧି ପାଇଁ ଏମ୍ସ, ନୂଆଦିଲ୍ଲୀ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମିଳିତ ଭାବେ କିଛି ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ (ଏଫଏକ୍ୟୁ) ବିକଶିତ କରିଛନ୍ତି ।
ଅଧିକାଂଶ ରାଜ୍ୟ ମଧ୍ୟ ସମ୍ବେଦଶୀଳ ଜନସଂଖ୍ୟା ସର୍ଭେ କରି ବୟସ୍କ ନାଗରିକ, ଗର୍ଭବତୀ ମହିଳା ଓ ଏକାଧିକ ରୋଗଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି । ମୋବାଇଲ ଆପ୍ ଭଳି ପ୍ରଯୁକ୍ତିର ସାହାଯ୍ୟ ନେଇ ଅଧିକ ବିପଦ ଥିବା ଲୋକଙ୍କ ନିରନ୍ତର ପର୍ୟ୍ୟବେକ୍ଷଣ ଦ୍ୱାରା ଶୀଘ୍ର ଚିହ୍ନଟ, ଉପଯୁକ୍ତ ସମୟରେ ଚିକିତ୍ସା ହୋଇପାରୁଛି ତଥା ମୃତ୍ୟୁ ସଂଖ୍ୟା କମିଛି । ପ୍ରବାସୀମାନଙ୍କ ପ୍ରବନ୍ଧନ ଓ ଗୋଷ୍ଠୀ ସଚେତନତାରେ କ୍ଷେତ୍ରରେ ତୃଣମୂଳ ସ୍ତରରେ ଆଶା, ଏଏନଏମ କର୍ମୀମାନଙ୍କ ଅବଦାନ ଉଲ୍ଲେଖନୀୟ ।
ଫଳରେ ୧୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ମାମଲା ମୃତ୍ୟୁ ହାର ଏକ ପ୍ରତିଶତରୁ କମ ହୋଇପାରିଛି ।
ଗତକାଲି ୨୪ ଘଣ୍ଟା ମଧ୍ୟରେ ୫୯,୧୦୫ ସୁସ୍ଥ କରୋନା ରୋଗୀ ସୁସ୍ଥ ହେବା ସହ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୭୧ ଲକ୍ଷ (୭୧,୩୭,୨୨୮) ଅତିକ୍ରମ କରିଛି । ଗୋଟିଏ ଦିନରେ ସର୍ବାଧିକ ସୁସ୍ଥ ସଂଖ୍ୟା ବର୍ଦ୍ଧିଷ୍ଣୁ ଜାତୀୟ ସୁସ୍ଥ ହାରରେ ପ୍ରତିଫଳିତ ହେଉଛି । ଏବେ ଏହା ୯୦.୨୩ ପ୍ରତିଶତ ରହିଛି ।
ଭାରତରେ ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି । ଏବେ ସମୁଦାୟ ମାମଲାର ମାତ୍ର ୮.୨୬ ପ୍ରତିଶତ ସକ୍ରିୟ ମାମଲା (୬,୫୩,୭୧୭) ରହିଛି । ଅଗଷ୍ଟ ୧୩ ପରଠାରୁ ଏହା ସବୁଠାରୁ କମ୍ (୬,୫୩,୬୨୨ ) ରହିଛି ।
୧୦ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରୁ ୭୮ ପ୍ରତିଶତ ନୂଆ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
କର୍ଣ୍ଣାଟକରେ ସର୍ବାଧିକ ୧୦ ହଜାରରୁ ଅଧିକ ନୂଆ ରୋଗୀ ସୁସ୍ଥ ହୋଇଥିବା ବେଳେ କେରଳରେ ୭ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।
ଗତକାଲି ୨୪ ଘଣ୍ଟାରେ ଦେଶରେ ୪୫,୧୪୮ ନୂଆ ମାମଲା ଚିହ୍ନଟ ହୋଇଛି । ଜୁଲାଇ ୨୨ ପରଠାରୁ ଏହା ସର୍ବନିମ୍ନ ରହିଛି । ଜୁଲାଇ ୨୨ରେ ୩୭ ହଜାର ନୂଆ ରୋଗୀ ଚିହ୍ନଟ ହୋଇଥିଲେ ।
୮୨ ପ୍ରତିଶତ ନୂଆ ମାମଲା ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରୁ ରହିଛି । କେରଳ ଓ ମହାରାଷ୍ଟ୍ରରେ ୬ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକ, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ୪ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି ।
ଗତକାଲି ୨୪ ଘଣ୍ଟାରେ ୪୮୦ ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଛି । ଏଥିରୁ ପ୍ରାୟ ୮୦ ପ୍ରତିଶତ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରୁ ରହିଛି ।
ମହାରାଷ୍ଟ୍ରରେ ୨୩ ପ୍ରତିଶତରୁ ଅଧିକ (୧୧୨ ମୃତ୍ୟୁ) ମୃତ୍ୟୁ ହୋଇଛି ।

Leave A Reply

Your email address will not be published.