ଭାରତରେ ଲଗାତର କମୁଛି ସକ୍ରିୟ କରୋନା ମାମଲା

● ତୃତୀୟ ଦିନ ପାଇଁ ସକ୍ରିୟ ମାମଲା ୮ ଲକ୍ଷରୁ କମ
● ଲଗାତର ଚତୁର୍ଥ ଦିନ ପାଇଁ ଜାତୀୟ ପଜିଟିଭିଟି ହାର ୮%ରୁ କମ

ନୂଆଦିଲ୍ଲୀ, (ପିଆଇବି) : କୋଭିଡ-୧୯ ବିରୋଧୀ ଲଢ଼େଇରେ ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଜାତୀୟ ପଜିଟିଭିଟି ହାର ୮% ତଳକୁ ହ୍ରାସ ପାଇଛି । ଲଗାତର ଚତୁର୍ଥ ଦିନ ପାଇଁ ଏହି ଧାରା ଜାରି ରହିଛି । ପଜିଟିଭିଟି ହାର ଏବେ ୭.୯୪% ରହିଛି ଏବଂ ଏହା ନିରନ୍ତର ଭାବେ କମିବାରେ ଲାଗିଛି ।
ଦେଶସାରା ବ୍ୟାପକ ଟେଷ୍ଟିଙ୍ଗ ରଣନୀତି ଆପଣାଇବା ଯୋଗୁ ଏହା ସମ୍ଭବ ହୋଇଛି । ଇତିମଧ୍ୟରେ ଦେଶରେ ମୋଟ କରୋନା ଟେଷ୍ଟିଙ୍ଗ ୯.୫ କୋଟି ଅତିକ୍ରମ କରିଛି ।
ଉପଲବ୍ଧ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ଯେ ଟେଷ୍ଟିଙ୍ଗ ମାତ୍ରା ଲଗାତର ଭାବେ ବୃଦ୍ଧି ପାଉଥିବାରୁ ପଜିଟିଭିଟି ହାର ହ୍ରାସ ହେବାରେ ଏହା ବିଶେଷ ସହାୟକ ହେଉଛି । ନିରନ୍ତର ଭାବେ ପଜିଟିଭିଟି ହାର ହ୍ରାସ ପାଉଥିବାରୁ ସଂକ୍ରମଣ ବ୍ୟାପିବା ହାର ଫଳପ୍ରଦ ଭାବେ ନିୟନ୍ତ୍ରଣକୁ ଆସୁଥିବା ପ୍ରତୀୟମାନ ହେଉଛି ।
ପ୍ରାୟ ସମସ୍ତ ଅଞ୍ଚଳରେ ଅଧିକ ଟେଷ୍ଟିଙ୍ଗ କରାଯିବା ଦ୍ୱାରା ପଜିଟିଭ ମାମଲାଗୁଡ଼ିକୁ ଆଗୁଆ ଚିହ୍ନଟ କରାଯାଇ ପାରୁଛି, ନିରୀକ୍ଷଣ ଏବଂ କଣ୍ଟାକ୍ଟ ଟ୍ରେସିଙ୍ଗ ଯୋଗୁ ସ୍ଥିତିର ମୁକାବିଲା କରାଯାଇ ପାରୁଛି । ଏମିତି କି ସାଂଘାତିକ ମାମଲାଗୁଡ଼ିକ କ୍ଷେତ୍ରରେ ଠିକଣା ସମୟରେ ଉପଯୁକ୍ତ ଚିକିତ୍ସା ସେବା ଉଭୟ ଘରେ ଏବଂ ଡାକ୍ତରଖାନାରେ ଉପଲବ୍ଧ କରାଯାଉଛି । ଏହିସବୁ ସାମଗ୍ରିକ ପଦକ୍ଷେପ ଦ୍ୱାରା ଦେଶରେ କରୋନା ମୃତ୍ୟୁ ହାର ହ୍ରାସ ପାଉଛି ।
ଅକ୍ଟୋବର ତୃତୀୟ ସପ୍ତାହ ପାଇଁ ଦେଶରେ ହାରାହାରି ଦୈନିକ ପଜିଟିଭିଟି ହାର ୬.୧୩% ରହିଛି । କେନ୍ଦ୍ର ସରକାରଙ୍କ ସଫଳ ଟେଷ୍ଟିଙ୍ଗ, ଟ୍ରାକିଙ୍ଗ, ଟ୍ରେସିଙ୍ଗ, ଚିକିତ୍ସା ଏବଂ ପ୍ରଯୁକ୍ତି ରଣନୀତିକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଉପଯୁକ୍ତ ଭାବେ ପାଳନ କରୁଥିବାରୁ କରୋନା ସ୍ଥିତି ଏଭଳି ଶିଥିଳ ପଡ଼ିଛି ।
ସକ୍ରିୟ ମାମଲା ଲଗାତର ଭାବେ ହ୍ରାସ ପାଉଥିବାର ଧାରା ନେଇ ଭାରତ ଏବେ ରିପୋର୍ଟ ଦେଇଚାଲିଛି । ଦେଢ଼ ମାସ ପରେ ଲଗାତର ତୃତୀୟ ଦିନ ପାଇଁ ସକ୍ରିୟ ମାମଲା ୮ ଲକ୍ଷ ତଳେ ରହିଛି ଏବଂ ଏହା ହ୍ରାସ ପାଇବାରେ ଲାଗିଛି ।
ଭାରତର ସକ୍ରିୟ କରୋନା ମାମଲା ଗତକାଲି ଦିନରେ ୭,୭୨,୦୫୫ ରହିଛି ।
ବର୍ତ୍ତମାନ ଦେଶର ସର୍ବମୋଟ ପଜିଟିଭ ମାମଲାର ସକ୍ରିୟ ମାମଲା ପରିମାଣ ପ୍ରାୟ ୧୦.୨୩% ରହିଛି ।
ମୋଟ ଆରୋଗ୍ୟ ମାମଲା ୬୬ ଲକ୍ଷ (୬୬,୬୩,୬୦୮)ରୁ ଅଧିକ ରହିଛି ଏବଂ ସକ୍ରିୟ ମାମଲା ସଂଖ୍ୟା ତୁଳନାରେ ଏହା ବୃଦ୍ଧି ପାଉଛି ।
ଗତକାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୬,୩୯୯ ରୋଗୀ କରୋନାରୁ ଆରୋଗ୍ୟ ଲାଭ କରି ଡିସଚାର୍ଜ ହୋଇଛନ୍ତି, ଯେବେ କି ୫୫,୭୨୨ ନୂଆ ରୋଗୀ ଚିହ୍ନଟ କରାଯାଇଛି । ଜାତୀୟ ସୁସ୍ଥ ହାର ୮୮.୨୬%କୁ ବୃଦ୍ଧି ପାଇଛି ।
ନୂଆ ଆରୋଗ୍ୟ ମାମଲାର ୭୯% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଯଥା ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ, ଓଡ଼ିଶା ଏବଂ ଛତିଶଗଡ଼ରେ ରହିଛି । ମହାରାଷ୍ଟ୍ରରେ ଦିନକରେ ଏକାକି ସର୍ବାଧିକ ୧୧,୦୦୦ରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଥିବା ବେଳେ ଏହା ପଛକୁ ଥିବା କେରଳ ଏବଂ କର୍ଣ୍ଣାଟକରେ ୮,୦୦୦ରୁ ଅଧିକ ଲେଖାଏ ରୋଗୀ ସୁସ୍ଥ ହୋଇଛନ୍ତି ।
ଗତକାଲି ୨୪ ଘଣ୍ଟାରେ ୫୫,୭୨୨ ନୂଆ ମାମଲା ରେକର୍ଡ କରାଯାଇଛି ।
ତନ୍ମଧ୍ୟରୁ ୮୧% ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛି । ସର୍ବାଧିକ ନୂଆ ରୋଗୀ ସୃଷ୍ଟିରେ ମହାରାଷ୍ଟ୍ର ପୁଣି ଆଗରେ ରହିଛି । ଏଠାରେ ଦିନକରେ ୯,୦୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ଥିବା କେରଳ ଓ କର୍ଣ୍ଣାଟକରେ ୭,୦୦୦ରୁ ଅଧିକ ଲେଖାଏ ରୋଗୀ ସାମ୍ନାକୁ ଆସିଛନ୍ତି ।
ଗତକାଲି ୨୪ଘଣ୍ଟାରେ ୫୭୯ ରୋଗୀଙ୍କ ମୃତ୍ୟୁ ଘଟିଛି । ୯୦ ଦିନ ପରେ ପ୍ରଥମ ଥର ପାଇଁ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ୬୦୦ରୁ କମ ରହିଛି । ଏଥିରୁ ପାଖାପାଖି ୮୩% ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛି ।
ଗତକାଲି ୨୪ ଘଣ୍ଟାରେ ରେକର୍ଡ ହୋଇଥିବା କରୋନା ମୃତ୍ୟୁର ୨୫%ରୁ ଅଧିକ ମହାରାଷ୍ଟ୍ର (୧୫୦)ରୁ ଆସିଛି ।

Leave A Reply

Your email address will not be published.