
ବୋହୂଙ୍କୁ ଏସିଡ୍ ପିଇବାକୁ ଶାଶୁ ବାଧ୍ୟ କରିଥିବା ଅଭିଯୋଗ : ମହିଳା ଆୟୋଗଙ୍କ ହସ୍ତକ୍ଷେପ ପରେ ୬ ମାସ ପରେ ଶାଶୁଙ୍କ ନାଁରେ ଏଫ୍ଆଇଆର୍
ନୂଆଦିଲ୍ଲୀ : ଦିଲ୍ଲୀ ମହିଳା ଆୟୋଗ(ଡିସିଡବ୍ଲ୍ୟୁ) ଗୁରୁବାର ଦିନ କହିଛି ଯେ, ଦିଲ୍ଲୀର କିରାଡ଼ିରେ ରହୁଥିବା ଜଣେ ମହିଳା ଚଳିତ ବର୍ଷ ଜାନୁଆରୀ ମାସରେ ତାଙ୍କ ଶାଶୁଙ୍କ ତାଗିଦ୍ ଦ୍ୱାରା ଏସିଡ୍ ପିଇବାକୁ ବାଧ୍ୟ ହୋଇଥିଲେ ଏବଂ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଏକ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ଆୟୋଗ କହିଛନ୍ତି ।
ପୀଡିତାଙ୍କ ଭାଇ ଜୁଲାଇ ୨୦ ରେ ଡିସିଡବ୍ଲ୍ୟୁ ହେଲ୍ପଲାଇନ ନମ୍ବର ୧୮୧କୁ ଫୋନ କରି ସାହାଯ୍ୟ ମାଗିଥିଲେ । ସେ ଆୟୋଗଙ୍କୁ କହିଛନ୍ତି ଯେ, ଏପର୍ୟ୍ୟନ୍ତ କୌଣସି ମାମଲା ପଞ୍ଜିକୃତ ହୋଇନାହିଁ । ଦିଲ୍ଲୀ ମହିଳା ଆୟୋଗ (ଡିସିଡବ୍ଲ୍ୟୁ) କହିଛନ୍ତି, ଏହା ଜାଣିବା ମାତ୍ରେ ଡିସିଡବ୍ଲୁ ସଭାପତି ସ୍ୱାତୀ ମାଲିୱାଲ ଏବଂ ସଦସ୍ୟ ପ୍ରମିଳା ଗୁପ୍ତା ପୀଡିତାଙ୍କୁ ଡାକ୍ତରଖାନାରେ ଭେଟିଥିଲେ । ମହିଳାଙ୍କ ଅବସ୍ଥା ଗୁରୁତର ଏବଂ ଶରୀର ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି । ଡିସିଡବ୍ଲ୍ୟୁ ଟିମ୍ ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ)ଙ୍କ ଆଗରେ ମହିଳାଙ୍କ ବିବୃତ୍ତି ରେକର୍ଡ କରିଥିଲେ ।
ଡିସିଡବ୍ଲ୍ୟୁ କହିଛି ଯେ, ପରେ ପୋଲିସ ଏହି ମାମଲାରେ ଏଫ୍ଆଇଆର୍ ପଂଜିକୃତ କରିଥିଲା । କିନ୍ତୁ ଏଥିରେ ଏସିଡ୍ ଆଟାକ୍ ବିଭାଗ ଯୋଗ କରିନଥିଲା । ପ୍ୟାନେଲ କହିଛି ଯେ, ମାଲିୱାଲ ପୋଲିସକୁ ଏକ ନୋଟିସ ଜାରି କରିଛନ୍ତି ଏବଂ ଏହି ମାମଲାରେ ଆଇପିସିର ଧାରା ୩୨୬ଏ(ଏସିଡ୍ ଆକ୍ରମଣ ପାଇଁ ଦଣ୍ଡ) ଯୋଡିବାକୁ କହିଛନ୍ତି । ଏଥିରେ କୁହାଯାଇଛି ଯେ, ଦିଲ୍ଲୀ ମହିଳା ଆୟୋଗ ପୀଡିତାଙ୍କୁ ଆଇନଗତ ଯୁଦ୍ଧରେ ସାହାଯ୍ୟ କରିବ ଏବଂ ଅଭିଯୁକ୍ତକୁ ଶୀଘ୍ର ଗିରଫ କରିବା ଦିଗରେ କାର୍ୟ୍ୟ କରିବ ।