ହାଥ୍‌ରସ ଘଟଣାକୁ ନେଇ ଦଙ୍ଗା କରିବାକୁ ଚାହୁଁଛନ୍ତି ବିରୋଧୀ : ମୁଖ୍ୟମନ୍ତ୍ରୀ ଯୋଗୀ

ଲଖ୍‌ନଉ : ଉତ୍ତର ପ୍ରଦେଶର ହାଥ୍‌ରସ୍‌ ଜିଲ୍ଲାର ବୁଲ୍‌ଗଢ଼ି ଗାଁରେ ହୋଇଥିବା ଲଜ୍ଜାଜନକ ଘଟଣା ପରେ ଏବେ ଉତ୍ତେଜନା ପୂର୍ଣ୍ଣ ସ୍ଥତି ଦେଖାଦେଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗାଁକୁ ପୋଲିସ ଛାଉଣୀରେ ରଖାଯାଇଛି । ମାମଲାର ତଦନ୍ତ କରିବା ନିମନ୍ତେ ଏସ୍‌ଆଇଟି ଆଜି ଗାଁକୁ ପହଂଚିଛି । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ ଆଜି ଅନ୍ୟ ଦଳଗୁଡ଼ିକର ନେତାମାନେ ମଧ୍ୟ ପହଂଚିଛନ୍ତି ।
ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ବିରୋଧୀ ଦଙ୍ଗା ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ସେ ସିଧାସଳଖ କହିଛନ୍ତି ଯେ, ସେମାନଙ୍କୁ ବିକାଶ ଭଲ ଲାଗୁନି । ଏଥିପାଇଁ ଦେଶ ଓ ରାଜ୍ୟରେ ଜାତିଗତ ଦଙ୍ଗା, ସାଂପ୍ରଦାୟିକ ଦଙ୍ଗା କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି; ଯେଉଁଥିରୁ ଏମାନେ ନିଜର ରାଜନୀତିକ ଉଦ୍ଦେଶ୍ୟ ସାଧିତ କରିବେ ।
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ରାଷ୍ଟ୍ରୀୟ ଲୋକଦଳ ନେତା ଜୟନ୍ତ ଚୌଧୁରୀଙ୍କ ଉପରେ ହୋଇଥିବା ଲାଠିଚାର୍ଜକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିବା ସହ ବିରୋଧୀମାନଙ୍କ ପ୍ରତି ଏଭଳି ହିଂସା ପ୍ରଦର୍ଶନ ୟୁପି ସରକାରଙ୍କ ଅହଙ୍କାର, ଅରାଜକତାର ନିଦର୍ଶନ ବୋଲି କହିଛନ୍ତି । ସେ ଆକ୍ଷେପ କରିଛନ୍ତି ଯେ, ବୋଧହୁଏ ଶାସକ ଦଳ ଭୁଲି ଯାଇଛନ୍ତି ଯେ, ଆମ ଦେଶ ଏକ ଗଣତାନ୍ତ୍ରିକ ଦେଶ । ଆଗାମୀ ସମୟରେ ଜନସାଧାରଣ ଶାସକ ଦଳକୁ ନିଶ୍ଚୟ ସ୍ମରଣ କରାଇବେ ।

Leave A Reply

Your email address will not be published.