ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ସ୍ଥାପିତ ନୂଆ ଏମ୍ସଗୁଡିକ ରାଜ୍ୟଗୁଡିକରେ ଉନ୍ନତ କୋଭିଡ ସେବା ଯୋଗାଉଛି

  • କୋଭିଡ ସଙ୍କଟ ବେଳେ ତୃତୀୟକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଞ୍ଚଳିକ ବୈଷମ୍ୟ ଦୂର କରୁଛି
  • ଜଟିଳ ମ୍ୟୁକୋରମାଇକୋସିସ୍ ସଂକ୍ରମଣ ଚିକିତ୍ସା ଉପଲବ୍ଧ ରହିଛି

ନୂଆଦିଲ୍ଲୀ, (ପିଆଇବି) : ଦେଶରେ ଡାକ୍ତରୀ ଶିକ୍ଷା ବ୍ୟବସ୍ଥା ଉନ୍ନତ କରିବା ଓ ଉନ୍ନତମାନର ତୃତୀୟକ ଡାକ୍ତରଖାନାର ଆବଶ୍ୟକତା ପୂରଣ ପାଇଁ ଅଗଷ୍ଟ ୨୦୦୩ରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମଏସଏସଓ୍ୱାଇ) ଘୋଷିତ ହୋଇଥିଲା । ଏହା ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ।
ବଞ୍ଚିତ ରାଜ୍ୟଗୁଡିକରେ ଗୁଣବତ୍ତା ସମ୍ପନ୍ନ ଡାକ୍ତରୀ ଶିକ୍ଷା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ଏହି ଯୋଜନାକୁ ନୂଆ ପ୍ରୋତ୍ସାହନ ଦେଇଥିଲା ଓ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ କିଛି ନୂଆ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ସ୍ଥାପନ କରାଯାଉଛି । ଏହି ଯୋଜନା ଅନ୍ତର୍ଗତ ଏପର୍ୟ୍ୟନ୍ତ ୨୨ଟି ନୂଆ ଏମ୍ସ ସ୍ଥାପନ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏଥିରୁ ଛଅଟି ଏମ୍ସ ଯଥା ଭୋପାଳ, ଭୁବନେଶ୍ୱର, ଯୋଧପୁର, ପାଟନା, ରାୟପୁର ଓ ଋଷିକେଶ ସମ୍ପୂର୍ଣ୍ଣ କାର୍ୟ୍ୟକ୍ଷମ ହୋଇଛି । ଅନ୍ୟ ସାତଟି ଏମ୍ସରେ ଓପିଡି ଓ ଏମବିବିଏସ ପାଠ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଉ ପାଞ୍ଚଟି ସଂସ୍ଥାନରେ କେବଳ ଏମବିବିଏସ ପାଠ୍ୟକ୍ରମ ଆରମ୍ଭ ହୋଇଛି ।
ପିଏମଏସଏସଓ୍ୱାଇ ଅନ୍ତର୍ଗତ ସ୍ଥାପିତ ହୋଇଥିବା/ହେଉଥିବା ଏହି ଆଞ୍ଚଳିକ ଏମ୍ସଗୁଡିକ ମହାମାରୀ ଆରମ୍ଭ ଦିନରୁ ହିଁ କୋଭିଡ ପ୍ରବନ୍ଧନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ଥିବା ଅଞ୍ଚଳରେ ଏହି ଏମ୍ସଗୁଡିକର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ।
ମଧ୍ୟମ ଓ ଗୁରୁତର ଅସୁସ୍ଥ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଏହି ସଂସ୍ଥାନଗୁଡିକ ଶଯ୍ୟା କ୍ଷମତା ବୃଦ୍ଧି କରି କୋଭିଡ-୧୯ର ଦ୍ୱିତୀୟ ଲହରକୁ ମୁକାବିଲା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏପ୍ରିଲ ୨୦୨୧ର ଦ୍ୱିତୀୟ ସପ୍ତାହରୁ ଏମ୍ସଗୁଡିକରେ ୧୩୦୦ରୁ ଅଧିକ ଅକ୍ସିଜେନ ବେଡ ଓ କୋଭିଡ ଚିକିତ୍ସା ପାଇଁ ସମର୍ପିତ ପ୍ରାୟ ୫୩୦ ଆଇସିୟୁ ବେଡ ସାମିଲ କରାଯାଇଛି । ଏବେ ବିଭିନ୍ନ ଏମ୍ସରେ ପ୍ରାୟ ୧୯୦୦ ଅକ୍ସିଜେନ ବେଡ ଓ ୯୦୦ ଆଇସିୟୁ ବେଡ ଉପଲବ୍ଧ ଅଛି । ଏହି କ୍ରମରେ ଏମ୍ସ, ଭୁବନେଶ୍ୱରରେ ୨୯୫ ଅଣ-ଆଇସିୟୁ ଅକ୍ସିଜେନ ଶଯ୍ୟା ଓ ୬୨ ଭେଣ୍ଟିଲେଟର ଯୁକ୍ତ ଆଇସିୟୁ ଶଯ୍ୟା ଉପଲବ୍ଧ ରହିଛି ।
କୋଭିଡ ମାମଲାର ପ୍ରଭାବୀ ପରିଚାଳନା ପାଇଁ ଭାରତ ସରକାର ଏହି ନୂଆ ଏମ୍ସଗୁଡିକୁ ଭେଣ୍ଟିଲେଟର, ଅକ୍ସିଜେନ କନସେଣ୍ଟ୍ରେଟର, ଅକ୍ସିଜେନ ସିଲିଣ୍ଡର, ଏନ-୯୫ ମାସ୍କ, ପିପିଇ କିଟ୍ ଓ ଫାବିପିରାଭିର, ରେମଡେସିଭିର ଓ ଟୋସିଲିଜୁମାବ ଭଳି ଅତ୍ୟାବଶ୍ୟକ ଔଷଧ ଯୋଗାଇ ଦେଉଛନ୍ତି ।
ତୃତୀୟକ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ଆଞ୍ଚଳିକ ଏମ୍ସଗୁଡିକ କୋଭିଡ ରୋଗୀଙ୍କୁ ଗୁରୁତର ଅଣକୋଭିଡ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛନ୍ତି । ଏଥିରେ ଡାଏଲିସିସ୍, ହୃଦ୍ ରୋଗୀ, ଗର୍ଭବତୀ ଓ ଶିଶୁ ରୋଗ ଆଦି ସାମିଲ ରହିଛନ୍ତି ।
ବିଭିନ୍ନ ରାଜ୍ୟରେ ଏବେ ମ୍ୟୁକୋରମାଇକୋସିସ ରୋଗୀ ଚିହ୍ନଟ ହେଉଛି । ତେବେ ଏମ୍ସ ଭୁବନେଶ୍ୱରରେ ଏହାର ସଫଳ ଓ ଉଚ୍ଚଗୁଣାତ୍ମକ ଚିକିତ୍ସା ହେଉଛି ।

Leave A Reply

Your email address will not be published.

2 × 4 =

error: Content is protected !!