
ବଲାଙ୍ଗିର, (କେପିଏନ୍ଏସ୍) : ଏକ ଡକାୟତି ଘଟଣାରେ ପୁଇଁନ୍ତଲା ପୋଲିସକୁ ମିଳିଛି ଏକ ବଡ ସଫଳତା ଏହି ମାମଲାରେ ୬ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ ମୋଟର ସାଇକେଲ, ଗୋଟିଏ ଖଣ୍ଡା ଏବଂ ଗୋଟିଏ ଖେଳଣା ପିସ୍ତଲ ଜବତ ହୋଇଥିବା ସଦର ଏସ୍ଡିପିଓ ତୋଫାନ୍ ବାଗ ସୂଚନା ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ ତୁଷୁରା ନିକଟସ୍ଥ ଖର୍ଡା ନିବାସୀ ଡ୍ରାଇଭର ସୁଦର୍ଶନ ବଢିଆ ଗତମାସ ୨୩ ତାରିଖ ଦିନ ଅପରାହ୍ନ ସମୟରେ ବଲାଙ୍ଗିର ଆସିବା ବାଟରେ ଖମାରମୁଣ୍ଡାଛକ ନିକଟରେ ତାଙ୍କ ଗାଡି ବ୍ରେକଡାଉନ୍ ହେବା ଫଳରେ ସେ ଗାଡି ଅଟକାଇ ଥିଲେ । ସେହି ସମୟରେ ୪ ଜଣ ଅଜଣା ଦୁର୍ବୁତ୍ତ ଆସି ତାଙ୍କୁ ଆକ୍ରମଣ କରି ତାଙ୍କଠାରୁ ୬ ହଜାର ଟଙ୍କା ଲୁଟ୍ କରି ନେଇଥିଲେ । ଏ ସଂକ୍ରାନ୍ତରେ ଡ୍ରାଇଭର ଶ୍ରୀ ବରିହା ପୁଇଁନ୍ତଲା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କେସ୍ ନମ୍ବର ୧୨୧/୨୩.୬.୨୦୨୧ ଦଫା ୩୯୨ ଆଇପିସି/୩୯୫ ଆଇପିସି/୨୫/୨୭ ଆର୍ମ ଆକ୍ଟ ଆଧାରରେ ପୁଇଁନ୍ତଲା ପୋଲିସ ତଦନ୍ତ କରି ୬ ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଘଟଣାରେ ବ୍ୟବହୃତ ମୋଟର ସାଇକେଲ, ଖେଳଣା ପିସ୍ତଲ ଓ ଏକ ଖଣ୍ଡା ଜବତ କରିବା ସହ ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି । ପୁଲିସ ତଦନ୍ତରୁ ଜଣାପଡିଛି ଯେ, ଆମ୍ପଡା, ଚିମିନିଭାଟି, ମାଧିଆପାଲି, ଜାମସର ଓ ଆଖପାଖ ଅଞ୍ଚଳର ୧୦-୧୨ ଜଣ ଅସାମାଜିକ ଯୁବକ ଦଳବଦ୍ଧ ଭାବରେ ବଲାଙ୍ଗିର ଟାଉନ୍ ଏବଂ ପୁଇଁନ୍ତଲା ଅଞ୍ଚଳରେ ଡକାୟତି, ଛିନ୍ତାଇ ତଥା ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ଅଛନ୍ତି । ଏମାନଙ୍କୁ ଧରିବା ପାଇଁ ମଧ୍ୟ ପୋଲିସ ପକ୍ଷରୁ ତନାଘନା ଉଦ୍ୟମ ଜାରି ରହିଛି ।
