ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଆରମ୍ଭ : ପ୍ରଥମେ ଦିବ୍ୟାଙ୍ଗ ମାନଙ୍କୁ ଆର୍ଥିକ ସହାୟତା ଏବଂ ପରେ କିନ୍ନର ମାନଙ୍କୁ ଘରବାରି ପଟ୍ଟା ପ୍ରଦାନ କଲେ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପାରମ୍ପରୀକ ପ୍ରଥାନୁସାରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ପରିସରସ୍ଥ ଜଉଗଡ଼ ସମ୍ମିଳନୀ କକ୍ଷରେ ନିର୍ଦ୍ଧାରୀତ ସମୟ ଦିବା ୧୦ଘଣ୍ଟା ସମୟରେ ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଦିବ୍ୟାଙ୍ଗମାନଙ୍କ ସମସ୍ୟା ଉପରେ ଅବଗତ ହୋଇ ସେମାନଙ୍କ ହାରିଗୁହାରି ବୁଝିଥିଲେ ଏବଂ ପୂର୍ବରୁ ଦାଖଲ କରିଥିବା କେତେ ଜଣ ଦିବ୍ୟାଙ୍ଗ ମାନଙ୍କୁ ଡକାଇ ଆର୍ଥିକ ସହାୟତା ପ୍ରଦାନ ଏବଂ କେତେଜଣ ଦିବ୍ୟାଙ୍ଗଙ୍କୁ ଲେପଟପ୍‌ ପ୍ରଦାନ କରିଛନ୍ତି ଜିଲ୍ଲାପାଳ । ସେହିପରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ରହୁଥିବା ୧୭ ଜଣ କିନ୍ନରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘରବାଡ଼ି ପଟ୍ଟା ପ୍ରଦାନ କରଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଛତ୍ରପୁରଠାରେ ଅଭିଯୋଗ ଶୁଣାଣି ମହଲରେ ଏହି ପଟ୍ଟା ବଣ୍ଟନ କରିଛନ୍ତି । ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ମିଳିତ ସହଯୋଗରେ ଏହି ପାରମ୍ପରୀକ ପ୍ରଥା ଶୁଣାଣି ହୋଇଛି । ସାମୂହିକ ଭାବେ କିନ୍ନର ମାନେ ପଟ୍ଟା ପାଇ ଖୁସିବ୍ୟକ୍ତ କରିଛନ୍ତି । ଜିଲ୍ଲାପ୍ରଶାସନଙ୍କୁ କିନ୍ନରମାନେ ଏହି ମଞ୍ଚରେ ସାଧୁବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶୁଣାଣି ମଞ୍ଚରେ ଡିଆରଡିଏ ପିଡି.ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସ୍, ସହରାଞ୍ଚଳ ପିଡ଼ି ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପ-ଜିଲ୍ଲାପାଳ ନୀଳମାଧବ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ବର୍ଗର ବହୁପଦାଧିକାରୀ ଏହି ଶୁଣାଣି ମହଲରେ ଉପସ୍ଥିତ ଥିଲେ । ଏପରିକି ସୋମବାର ଶୃଙ୍ଖଳିତ ଧାରାକ୍ରମରେ ରାଶନକାର୍ଡ ହିତାଧିକାରୀ ଏବଂ ଅନେକ କ୍ଷେତ୍ରରେ ପାଇବାକୁଥିବା ବହୁ ଅଭିଯୋଗକାରୀ ଜିଲ୍ଲାପାଳଙ୍କୁ ଭେଟି ନିଜର ଦରଖାସ୍ତ ସହ ହାଜର ହୋଇଥିଲେ । ଏଣିକି ପ୍ରତିମାସ ସୋମବାର ଦିନ ଏହି ଶୁଣାଣି ଜିଲ୍ଲାମହକୁମା ଛତ୍ରପୁରରେ ଜାରୀ ରହିବ ବୋଲି କୁହାଯାଇଛି । ଲୋକଙ୍କ ଆପତ୍ତି ଓ ଅଭିଯୋଗ ଶୁଣାଣି ସୁରୁଖୁରୁରେ ହେବ ବୋଲି ଅନେକ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.