ବାଲିଗୁଡା ଏନ୍‌ଏସିରେ ମତଦାନ ହାର ୬୯.୦୭ % : ଶାନ୍ତି ଶୃଙ୍ଖଳା ସହ ସମାପନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ୍‌ଏସିର ୧୩ ଗୋଟି ୱାର୍ଡର ୧୭ଟି ମତଦାନ କେନ୍ଦ୍ରରେ ଜଣେ ଅଧ୍ୟକ୍ଷ ଏବଂ ୧୩ଟି କାଉନସିଲର ପଦବୀ ପାଇଁ ଗୁରୁବାର ସକାଳ ୮ଟାରୁ ୫ ଘଟିକା ମଧ୍ୟରେ ମତଦାନ ପ୍ରକ୍ରିୟା ଶୃଙ୍ଖଳାର ସହ ଶେଷ ହୋଇଛି । ସୂଚନା ଅନୁଯାୟୀ, ବାଲିଗୁଡା ଏନ୍‌ଏସିର ଗୋଟିଏ ଅଧ୍ୟକ୍ଷ ପଦବୀ ପାଇଁ ତିନି ଜଣ ପ୍ରାର୍ଥୀ ଏବଂ ୧୩ଟି କାଉନସିଲର ପଦବୀ ପାଇଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଛନ୍ତି । ସମସ୍ତ ୧୭ ଗୋଟି କେନ୍ଦ୍ରରେ ଧାଡିରେ ଶୃଙ୍ଖଳାର ସହିତ ମତଦାନ ହୋଇଥିବା ଦେଖିବାକୁ ମିଳିଛି । ଭୋଟରମାନେ ଏଥର ଉତ୍ସାହର ସହ ପ୍ରଥମ ଥର ପାଇଁ ଏକା ଥରକେ ଦୁଇଟି ଇଭିଏମ୍ ମେସିନରେ ମତଦାନ କେନ୍ଦ୍ରରେ ଉପସ୍ଥିତ ରହି ମତଦାନ କରିଛନ୍ତି । ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପିଙ୍କ୍‍ ବୁଥ ସଞ୍ଚାଳିତ ହୋଇଥିଲା । ସୂଚନା ଅନୁଯାୟୀ, ଅପରାହ୍ନ ୫ ଘଟିକା ସୁଦ୍ଧା ସମସ୍ତ ୧୭ ଗୋଟି କେନ୍ଦ୍ରରେ ମୋଟ ୫୦୭୬ଜଣ ପୁରୁଷ ଏବଂ ୫୦୭୯ଜଣ ମହିଳାଙ୍କୁ ମିଶାଇ ସର୍ବମୋଟ ୧୦ହଜାର ୧୫୬ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ବାଲିଗୁଡା ଏନ୍‌ଏସିରେ ମତଦାନ ହାର ୬୯.୦୭% ରହିଛି । ସମସ୍ତ ଉତ୍ତେଜନା ଓ ଅତି ଉତ୍ତେଜନାପୂର୍ଣ୍ଣ କେନ୍ଦ୍ରରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ବେଳେ ସେକ୍ଟର ଅଫିସର ପ୍ରତି ୨ଘଣ୍ଟା ଅନ୍ତରରେ ମତଦାନର ସ୍ଥିତି ଅନୁଧ୍ୟାନ କରିଥିଲେ । ନିର୍ବାଚନ ଅଧିକାରୀ ତଥା ବାଲିଗୁଡା ତହସିଲଦାର ଶଶାଙ୍କ ଶେଖର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିର୍ବାଚନ କାର୍ଯ୍ୟ ସଞ୍ଚାଳିତ ହୋଇଥିଲା । ୫ଟା ପରେ କଡା ସୁରକ୍ଷା ମଧ୍ୟରେ ପୁଲିଂ ପାର୍ଟି ସ୍ଥାନୀୟ ଷ୍ଟ୍ରଙ୍ଗରୁମ୍‍ ନିକଟରେ ପହଞ୍ଚି ଇଭିଏମ୍‍ ମେସିନ ସହ ସମସ୍ତ ସରଞ୍ଜାମ ପୈଠ କରିଛନ୍ତି । ଗୋଟିଏ ଅଧ୍ୟକ୍ଷ ପଦ ଓ ୧୩ ଟି କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ମୁଦ ରହିଥିବା ଜଣାପଡିଛି । ଆସନ୍ତା ୨୬ତାରିଖ ଦିନ ଭୋଟ ଗଣତି ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.