୨୫ ଦିନରେ ପହଂଚିଲା ମହାବିନାଶକାରୀ ଯୁଦ୍ଧ : ଆକ୍ରମଣରେ ଥକୁନାହିଁ ରୁଷ୍‌, ଆତ୍ମସପର୍ମଣ ପାଇଁ ମାନୁନାହିଁ ୟୁକ୍ରେନ୍‌

କିଭ୍‌ : ଆଜି ୨୫ ଦିନରେ ପହଂଚିଛି ମହାବିନାକାରୀ ରୁଷ-ୟୁକେନ୍‌ ଯୁଦ୍ଧ । ତାବଡ୍‌ତୋଡ଼ ଆକ୍ରମଣରେ ରୁଷ୍‌ ଥକୁ ନଥିବା ବେଳେ ଆତ୍ମସମର୍ପଣ ପାଇଁ ପ୍ରସ୍ତୁତ ହେଉନାହିଁ ୟୁକ୍ରେନ୍‌ । ଲକ୍ଷ୍ୟ ହାସଲ୍‌ ପର୍ୟ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ସ୍ପଷ୍ଟ କରି ଦେଇଛି ରୁଷ୍‌ । ଘମାଘୋଟ ବୋମା, ରକେଟ୍‌, ମିସାଇଲ୍‌ ମାଡ଼ରେ ୟୁକ୍ରେନ୍‌ର ମାଟି ଏବେ ନିଆଁର ବଳୟରେ ଫସି ଯାଇଥିବା ବେଳେ ୟୁକ୍ରେନ୍‌ର ଆକାଶ ଏବେ କଳା ଧୂଆଁର କବ୍‌ଜାରେ । ୟୁକ୍ରେନ୍‌ ରାଜଧାନୀ କିଭ୍‌କୁ ଅକ୍ତିଆର୍‌ କରିବା ପାଇଁ ରୁଷ୍‌ର ହଜାର ହଜାର ସଂଖ୍ୟକ ଖୁଂକାର ଚେଚେନ୍ୟା ସୈନ୍ୟ ଭୟଙ୍କର ଆକ୍ରମଣରେ ସାମିଲ୍‌ ହୋଇ ସାରିଛନ୍ତି । ଏବେ ଏବେ ଖବର ମିଳୁଛି, ୟୁକ୍ରେନ୍‌ ଉପରେ ଅତି ଭୟଙ୍କର ଶକ୍ତିଶାଳୀ ଭେକ୍ୟୁମ୍‌ ବମ୍‌ ମାଡ଼ କରିଛି ରୁଷ୍‌ । ଗତକାଲି ସୁପର୍‌ସୋନିକ୍‌ ମିସାଇଲ୍‌ ମାଡ଼ରେ ପୁଣି ଝୁଣି ସାରିଛି ୟୁକ୍ରେନ୍‌କୁ । ପୋକମାଛି ଭଳି ୟୁକ୍ରେନ୍‌ରେ ଅକାଳ ମୃତ୍ୟୁ ଭୋଗୁଛନ୍ତି ସାଧାରଣ ଜନତା । ଯୁଦ୍ଧ ରୋକିବା ଦିଗରେ ଗୋଟିଏ ପ୍ରକାର ସଂପୂର୍ଣ୍ଣ ବିଫଳ ହୋଇ ସାରିଛି ସାରା ବିଶ୍ୱ । ୟୁରୋପୀୟ ଦେଶଗୁଡ଼ିକରେ ଏହି ଯୁଦ୍ଧକୁ ନେଇ ଏବେ ଉତ୍ତେଜନା ଜାରି ରହିଥିବା ବେଳେ ନାଟୋ ପକ୍ଷରୁ ଜବର୍‌ଦସ୍ତ ଯୁଦ୍ଧାଭ୍ୟାସ ମଧ୍ୟ ଆରମ୍ଭ ହୋଇଯାଇଛି । ଅନ୍ୟପକ୍ଷରେ କେତେବେଳେ ଏହି ମହାଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଲମ୍ଫ ଦେବ, ସେହି ସଂଭାବନାକୁ ମଧ୍ୟ ଅସ୍ୱୀକାର କରିହେବନାହିଁ । ରୁଷ୍‌ ପକ୍ଷରୁ ପ୍ରତିମୁହୂର୍ତ୍ତରେ ଶକ୍ତିଶାଳୀ ବୋମା, ମିସାଇଲ, ରକେଟ୍‌ ମାଡ଼ରେ କୁନ୍ଥେଇ ପଡ଼ୁଛି ୟୁକ୍ରେନ୍‌ ମାଟି । ତଥାପି ମୁଣ୍ଡ ନୁଏଁଇବାକୁ ନାରାଜ । ଦୁଇ ଦେଶର ଯୁଦ୍ଧଖୋର୍‌ ମାନସିକତା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି ।

Leave A Reply

Your email address will not be published.