କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନ୍ଏସିର ୧୬ ଗୋଟି ୱାର୍ଡର କାଉନସିଲର ଏବଂ ଅଧ୍ୟକ୍ଷ ପଦବି ନିର୍ବାଚନୀ ପାଇଁ ବିଜେଡି, ଭାଜପା ଓ କଂଗ୍ରେସ ଦଳ ତରଫରୁ ୱାର୍ଡକୁ ୱାର୍ଡ ଯାଇ ପ୍ରତ୍ୟେକ ଭୋଟରଙ୍କୁ ନିଜ ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିବା ପାଇଁ ସଭା ସମିତି ମାଧ୍ୟମରେ ପ୍ରଚାର କରୁଛନ୍ତି । ଏପରିକି ତିନି ପ୍ରମୁଖ ଦଳର ରାଜନେତାମାନେ ମଧ୍ୟ ଭୋଟ ପ୍ରଚାରରେ ସାମିଲ ହୋଇଛନ୍ତି । ଆଜି ଭାରତୀୟ ଜନତା ପାର୍ଟିର ପ୍ରଚାରରେ ଷ୍ଟାର କ୍ୟାମ୍ପେନର ଭାବେ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଲକ୍ଷ୍ମଣ ବାଗ, ପୂର୍ବତନ କାଉନସିଲର ସତ୍ୟେନ୍ଦ୍ର ସୁନା ଦଳର ଅଧ୍ୟକ୍ଷ ପ୍ରାର୍ଥୀ ବେଦବ୍ୟାସ ନାଗ, ୱାର୍ଡ ନଂ. ୧୪ର ପ୍ରାର୍ଥୀ କୈଲାଶ ସୁନା ଓ ୱାର୍ଡ ନଂ.୧୫ ପ୍ରାର୍ଥୀ ଶ୍ରୀମତୀ ସତା ରାଉତ ଆଶ୍ରମପଡାରେ ଏକ ସଭା ମାଧ୍ୟମରେ ଭୋଟ ଭିକ୍ଷା କରିଥିଲେ । ସେହିପରି କଂଗ୍ରେସ ତରଫରୁ ବିଧାୟକ ସନ୍ତୋଷ ସିଂ ସାଲୁଜା ନିଜ ଭାଇ ତଥା ଅଧ୍ୟକ୍ଷ ପ୍ରାର୍ଥୀ ବରିୟାମ ସିଂ ସାଲୁଜା ଏବଂ ୧୬ ଗୋଟି କାଉନସିଲର ପ୍ରାର୍ଥିନୀ/ପ୍ରାର୍ଥୀଙ୍କ ପାଇଁ ୱାର୍ଡକୁ ୱାର୍ଡ ବୁଲି ଦଳ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ପୁଣି ବିଜୁ ଜନତା ଦଳ ତରଫରୁ ରାଜ୍ୟ ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ଅୟୁବ ଖାନ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାସ, ଜିଲ୍ଲା ଉପସଭାପତି ବିଜୟ କୁମାର ବଂଶଲ ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ବିନୟ କୁମାର ବିଭାର ଏବଂ ସମସ୍ତ ୧୬ଗୋଟି କାଉନସିଲର ପ୍ରାର୍ଥିନୀ/ପ୍ରାର୍ଥୀଙ୍କ ପାଇଁ ସଭାସମିତି ମାଧ୍ୟମରେ ଭୋଟ ଭିକ୍ଷା କରିଛନ୍ତି । ଉଭୟ ତିନି ଦଳ ତରଫରୁ କୌଣସି ରାଜ୍ୟସ୍ତରୀୟ ନେତା ଭୋଟ ପ୍ରଚାରରେ ସାମିଲ ହୋଇନାହାନ୍ତି ।