କନ୍ଧମାଳ : କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକର ଜଣେ ସମିତିସଭ୍ୟ ପ୍ରାର୍ଥୀଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୁଲିସ ତାଙ୍କୁ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ପାଖରୁ ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, କୋଟଗଡ଼ ବ୍ଲକର ଯୁଡ଼ାବାଲି ପଞ୍ଚାୟତର ବିଜେଡି ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀ ତଥା ବିଜେଡି ସଭାପତି ଷ୍ଟିଫେନ୍ ପ୍ରଧାନଙ୍କୁ କିଛି ବ୍ୟକ୍ତି ଫୋନ୍ କରି କୋଟଗଡ଼ ହାଇସ୍କୁଲ୍ ପାଖକୁ ଦେଖା କରିବା ପାଇଁ ଡାକିଥିଲେ । ଷ୍ଟିଫେନ୍ ତାଙ୍କର କିଛି ସହଯୋଗୀଙ୍କ ସହ ହାଇସ୍କୁଲ୍ ନିକଟକୁ କିଏ ଡାକୁଛି ବୋଲି ଭାବି ଦେଖା କରିବା ପାଇଁ ଆସିଥିବା ବେଳେ ଦୁର୍ବୃତ୍ତମାନେ ଷ୍ଟିଫେନଙ୍କୁ ଜୋର୍ ଜବରଦସ୍ତି ଏକ ବୋଲେରୋ ଗାଡ଼ିରେ ବସାଇ ଅପହରଣ କରିନେଇଥିଲେ । ଷ୍ଟିଫେନଙ୍କ ସହ ଯାଇଥିବା ତାଙ୍କ ସହଯୋଗୀ ସଙ୍ଗେ ସଙ୍ଗେ ଘଟଣା ସଂପର୍କରେ ଗ୍ରାମବାସୀ ଓ ପୁଲିସକୁ ଜଣାଇଥିଲେ । ଗ୍ରାମବାସୀ ଏକାଠି ହୋଇ ମଧ୍ୟରାତ୍ରିରୁ ସକାଳ ୭ଟା ପର୍ଯ୍ୟନ୍ତ ସ୍ଥାନୀୟ ମୁନିଗୁଡ଼ା-ତୁମୁଡ଼ିବନ୍ଧ ରାସ୍ତାକୁ ଅବରୋଧ କରିଥିଲେ । ଖବରପାଇ ବାଲିଗୁଡ଼ା ଏସ୍ଡିପିଓ ଗୁଣ୍ତାଲା ରାଘେବେନ୍ଦ୍ର ରେଡ୍ଡୀ ଓ ସ୍ଥାନୀୟ ଆଇଆଇସି ଧିରେଶ କୁମାର ଲେଙ୍କା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇ ରାସ୍ତାରୋକ ହଟାଇଥିଲେ । ତେବେ ଅପହରଣକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବୀରେ ଗ୍ରାମବାସୀ ଥାନା ଆଗରେ ବସି ରହିଥିଲେ । ପୁଲିସ ଷ୍ଟିଫେନଙ୍କ ମୋବାଇଲ୍ ନମ୍ବର୍ ଟ୍ରାକ୍ କରି ତାଙ୍କୁ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ପାଖରୁ ଉଦ୍ଧାର କରିବା ସହ ଘଟଣାସ୍ଥଳରୁ କେତେକ ଅପହରଣକାରୀଙ୍କୁ କାବୁ କରିଥିଲା ।
ଷ୍ଟିଫେନ୍ ଘଟଣା ସଂପର୍କରେ କୋଟଗଡ଼ ଥାନାରେ ୧୧ ଜଣଙ୍କ ନାମରେ ଅଭିଯୋଗ କରିବା ପରେ ପୁଲିସ କେସ୍ ନମ୍ବର ୨୪/୨୨ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି । ଖବର ଲେଖା ହେବା ସୁଦ୍ଧା ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସେମାନେ ଗୁରୁଦେବ ମଳିକ, ମହାଦେବ ବଳିଆରସିଂ, ବାଦଲ ବଳିଆର ସିଂ, କରାସର ପାଟମାଝୀ, ସୁବାସ ମଳିକ ଓ ଆନନ୍ଦ କୁମାର ସିଂ ବୋଲି ଜଣାପଡିଛି । ଅନ୍ୟ ୫ ଜଣଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନାଧିକାରୀ ଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି ।