ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି । ଆଜି ଅପରାହ୍ନ ୧ଟା ସୁଦ୍ଧା ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ସୂଚନା ରହିଛି । ପ୍ରାୟ ସମସ୍ତ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଥିବା ବେଳେ ବାଲାଟ ପେପର ତ୍ରୁଟି ଯୋଗୁଁ କେନ୍ଦ୍ରାପଡା ଓ ଯାଜପୁରରେ ନିର୍ବାଚନ ବାତିଲ ହୋଇଥିବା ଜଣାପଡିଛି । ସେଠାରେ ପରବର୍ତ୍ତୀ ସମୟରେ ରି-ପୁଲିଂ ହେବ ବୋଲି ସୂଚନା ରହିଛି ।
ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ବାଧାପ୍ରାପ୍ତ ହୋଇଥିବା ୪୫ଟି ବୁଥରେ ବୁଧବାର ଦିନ ରି-ପୁଲିଂ ହେବ । ଏହି ପୁଲିଂ ସେଣ୍ଟର ଗୁଡ଼ିକରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଭୋଟ ସରିବା ପରେ ବାଲାଟ ବାକ୍ସ ଗୁଡିକ ବ୍ଲକ ଅଫିସର ଅନ୍ୟ ଏକ ସ୍ୱତନ୍ତ୍ର ସ୍ଥାନରେ ରଖାଯିବ ବୋଲି ସୂଚନା ରହିଛି । ତୃତୀୟ ପର୍ଯ୍ୟାୟରେ ୩୦ଟି ସ୍ଥାନରେ ମତଦାନ ବାଧାପ୍ରାପ୍ତ ହୋଇଥିବା ବେଳେ ସେଠାରେ ଆସନ୍ତା ୨୫ ତାରିଖରେ ରି-ପୁଲିଂ ହେବ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।