କାଳୀପଲ୍ଲୀ ପଞ୍ଚାୟତରେ ବ୍ଲକଅଧ୍ୟକ୍ଷ ଧନଞ୍ଜୟ ରେଡ୍ଡୀଙ୍କ ପ୍ରଚାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ ୨୦ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଦସ୍ୟ ପ୍ରାର୍ଥୀ ହୋଇ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ପ୍ରଚାର ଜୋର ସୋରରେ ଚଳାଇଛନ୍ତି । ଧନଞ୍ଜୟ ବାବୁ ଛତ୍ରପୁର ପଞ୍ଚାୟତ ସମିତିର ଅଦ୍ୟାବଧି ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି । ସେ ଜଣେ ବିଜେଡି ଦଳର ଟାଣୁଆ ନେତା ତଥା ସେ ବହୁ ଯୁବ ସଂଗଠନରେ ଜଡିତ ଓ ପ୍ରତିଷ୍ଠିତ ଭାବେ ପରିଚୟ ସୃଷ୍ଟି କରିବା ସାଂଗକୁ ଛତ୍ରପୁର ସଂଗ୍ରାମ କ୍ଲବ ଓ ଅଗ୍ରଣୀ ସଂଗଠନ ଛତ୍ରପୁରର ରୋଟାରୀକ୍ଲବର ମୁଖ୍ୟପୁରୋଧା ଦାୟିତ୍ୱରେ ଅଛନ୍ତି । ଛାତ୍ର ଜୀବନରୁ ରାଜନୀତିରେ ପଦାର୍ପଣ କରି ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମଧ୍ୟ ସେ ଛାତ୍ର ସଂସଦର ସଭାପତି ଭାବେ ବିପୁଳ ଭୋଟରେ ବିଜୟ ଲାଭ କରି ଭଲ ରେକର୍ଡ ସୃଷ୍ଟି କରିଛନ୍ତି । ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପ୍ରତିଷ୍ଠା କରି ଗଛ ଲଗାଇବା, ସବୁଜ ବନାନୀକରଣ କରିବା ତଥା ବନ୍ୟା, ବାତ୍ୟା, ମରୁଡି ଆଦି ଦୁର୍ବିପାକରେ ମଧ୍ୟ ଜନସେବାରେ ସକ୍ରୀୟତା ପ୍ରତିପାଦନ କରି ଆସିଥିବା ରୋଟାରୀଆନ ଏମ୍.ଧନଞ୍ଜୟ ରେଡ୍ଡୀ ବିଜୁ ଜନତା ଦଳରେ ସାମିଲ ହୋଇ ଦକ୍ଷିଣ ଓଡ଼ିଶାର ସଂଗଠନର ମଙ୍ଗ ଧରି ଆସିଛନ୍ତି । ଶ୍ରୀ ରେଡ୍ଡୀ ରାଜନୈତିକ ଭାବେ ଜଣେ ସଫଳ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିଛନ୍ତି । ସେ ଗଞ୍ଜାମ ଜିଲ୍ଲାପରିଷଦର ୨୦ ନମ୍ବର ଜୋନ ନିମନ୍ତେ ପ୍ରାର୍ଥୀ ହୋଇ ସଦସ୍ୟ ଭାବେ ବିଜୟୀ ହେଲେ ଜିଲ୍ଲାର ଗ୍ରାମୀଣ ଯୋଜନାକୁ ସାକାର କରିବା ଲକ୍ଷ୍ୟ ରଖିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ଭୋଟ ଗ୍ରହଣ ଆଉ ଗୋଟିଏ ଦିନର ବ୍ୟବଧାନ ଥିବା ବେଳେ ଗତକାଲି ଶେଷ ପର୍ଯ୍ୟାୟର ମାରାଥନ ରାଲିରେ ପ୍ରଚାରକ୍ଷେତ୍ରକୁ ବାହାରିଥିଲେ । ବିଜୁ ଜନତାଦଳ ପକ୍ଷରୁ ଗତକାଲି ଏକ ବିରାଟ ମାରାଥନ ରାଲିରେ ବାହାରି କାଳୀପଲ୍ଲୀ ପଞ୍ଚାୟତର ବିଭିନ୍ନ ଗାଁ ସାହିରେ ଭୋଟରଙ୍କୁ ପ୍ରଭାବିତ କରାଇ ଶ୍ରୀ ରେଡ୍ଡୀ ଭୋଟରଙ୍କ ମନ ଜିଣିଲା ଭଳି ଭୋଟ ଭିକ୍ଷା କରିଛନ୍ତି । ବିଜୁ ଜନତାଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀ ରେଡ୍ଡୀଙ୍କ ନିମନ୍ତେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଘର ଘର ବୁଲି ଭୋଟରଙ୍କୁ ଅନୁରୋଧ କରିଛନ୍ତି । ଉକ୍ତ ପ୍ରଚାରରେ ଗ୍ରାମବାସୀ, କର୍ମୀ ଓ ନେତୃବୃନ୍ଦ ସାମିଲ ହୋଇ ରାଲିରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.