
ଖବର ସଂଗ୍ରହ ବେଳେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ : ଘଟଣାକୁ ଡେଲାଙ୍ଗ ପ୍ରେସ କ୍ଲବ ପକ୍ଷରୁ ନିନ୍ଦା, ଅଭିଯୁକ୍ତଙ୍କୁ ଗିରଫ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଭୋଟ ଗ୍ରହଣ ତାରିଖ ପାଖେଇ ଆସୁଥିବା ବେଳେ ସମ୍ପ୍ରତି ପିପିଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜୋନରେ ନିର୍ବାଚନୀ ହିଂସା ବୃଦ୍ଧି ପାଇବାରେ ଲାଗିଛି । ପଞ୍ଚାୟତ ନିର୍ବାଚନକୁ କେନ୍ଦ୍ର କରି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜିଲ୍ଲା ପରିଷଦ ଜୋନରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରକୁ ନେଇ ଆକ୍ରମଣ ଓ ହିଂସାକାଣ୍ଡ ସୃଷ୍ଟି ହୋଇଥିବା ବେଳେ ଏକ ନିର୍ଦ୍ଧିଷ୍ଟ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କେନ୍ଦ୍ର କରି ବେନୁପଡା ଏବଂ ବଡ଼ଆଙ୍କୁଲା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ତେବେ ସୋମବାର ପୁରୀ ଜିଲ୍ଲା ପିପିଲି ବ୍ଲକ ୨୪ ନମ୍ବର ଜୋନ ଅନ୍ତର୍ଗତ ତେଇଶିପୁର ପଞ୍ଚାୟତ ପୋଟଳ ଗ୍ରାମରେ ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ଧରଣୀଧର ସାହୁ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରୁଥିବା ବେଳେ ବିରୋଧୀ ବିଜେପି କର୍ମୀଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ ସମ୍ପ୍ରତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏପରିକି ସେଠାକୁ ଖବର ସଂଗ୍ରହ କରିବାକୁ ଯାଇଥିବା ଡେଲାଙ୍ଗ ବ୍ଲକର କାର୍ଯ୍ୟରତ ସାମ୍ବାଦିକ ବିଜୟ କୁମାର ମହାପାତ୍ରଙ୍କୁ ମଧ୍ୟ ବିପକ୍ଷ ଗୋଷ୍ଠୀର କେତେକ ଅସାମାଜିକ ଯୁବକ ଆକ୍ରମଣ କରିବାରୁ ତାଙ୍କର ବାମ ହାତ ଭାଙ୍ଗି ଯାଇଥିବା ବେଳେ ସେ ଗୁରୁତର ଭାବେ ଆହତ ହୋଇଥିବା ନେଇ ପିପିଲି ଥାନାରେ ଅଭିଯୋଗ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଅପରାହ୍ନରେ ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ଧରଣୀଧର ସାହୁ ତାଙ୍କ ସମର୍ଥକମାନଙ୍କ ସହ ପୋଟଳ ଗ୍ରାମରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ତାଙ୍କୁ ବିଜେପିର କେତେକ ଅସାମାଜିକ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ । ସେହି ସମୟରେ ଡେଲାଙ୍ଗ ଓ ପିପିଲି ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ବିଜୟ କୁମାର ମହାପାତ୍ର ସେଠାକୁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ପୋଟଳ ଗ୍ରାମର ବିଜେପି କର୍ମୀ ବିଭୁପ୍ରସାଦ ସ୍ୱାଇଁ, ପ୍ରତାପ ପରିଡ଼ା ଓ ବିକ୍ରମ ସ୍ୱାଇଁଙ୍କ ସମେତ ଅନ୍ୟ ୧୦ରୁ ୧୫ ଜଣ ଅସାମାଜିକ ଯୁବକ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଦୁର୍ବୃତ୍ତଙ୍କ ମାଡ଼ରେ ସାମ୍ବାଦିକଙ୍କ ବାମହାତ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ତାଙ୍କ ପକେଟରୁ ୧୫ଶହ ଟଙ୍କା ଲୁଟ୍ କରି ନେଇ ଯାଇଛନ୍ତି ବୋଲି ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନର ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବାକୁ କଡା ପଦକ୍ଷେପ ଗ୍ରହଣ କରିଥିବା ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଗଣତନ୍ତ୍ରର ହତ୍ୟା ତଥା ଗଣମାଧ୍ୟମର କଣ୍ଠରୋଧ ବୋଲି ଡେଲାଙ୍ଗ ପ୍ରେସ କ୍ଲବ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ସାମ୍ବାଦିକମାନଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଡେଲାଙ୍ଗ ପ୍ରେସ କ୍ଲବ ସମ୍ପାଦକ ସାମ୍ବାଦିକ ସନ୍ତୋଷ କୁମାର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ମିଶ୍ର, ଧୀରେନ୍ଦ୍ର ନାଥ ସେନାପତି, ଦିଲ୍ଳୀପ କୁମାର ଧାଉଡ଼ିଆ, ଚିତ୍ତରଞ୍ଜନ ଜେନା, ଗୀତାରାଣୀ ରଣଜିତ, ଅନିମାଞ୍ଜଳି ମିଶ୍ର, ଗଗନ ଖଟେଇ, ନିରଞ୍ଜନ ନାୟକ, ସନ୍ତୋଷ କୁମାର ପଣ୍ଡା ଓ ପ୍ରଦୀପ୍ତ ନାୟକ ପ୍ରମୁଖ ଦାବୀ କରିଛନ୍ତି ।