ସର୍ଗିପାଲିର ସ୍ନେହଲତା ଛତ୍ରିଆ ଗଣଧର୍ଷଣ ଓ ହତ୍ୟାକାଣ୍ଡ ଘଟଣା : ୭ ବର୍ଷ ପରେ ବି ଦାଖଲ ହୋଇନି ଚାର୍ଜସିଟ, ଷ୍ଟାଟସ୍‌ ରିପୋର୍ଟ ମାଗିଲେ ପୋକ୍ସୋ କୋର୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ବହୁଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ଥାନା ଅନ୍ତର୍ଗତ ସର୍ଗିିପାଲି ଗାଁରେ ଗତ ୨୦୧୫ ମସିହାରେ ଘଟିଯାଇଥିବା ଦଳିତ ନାବାଳିକା ସ୍ନେହଲତା ଛତ୍ରିଆ ଅପହରଣ, ଗଣଧର୍ଷଣ ଓ ହତ୍ୟାକାଣ୍ଡ ଘଟଣାର ୭ବର୍ଷ ପରେ ମଧ୍ୟ କୋର୍ଟରେ ଚାର୍ଜସିଟ ଦାଖଲ ହୋଇନାହିଁ । ଫଳରେ ତଦନ୍ତ ବାଟବଣା ହେଉଥିବା ଓ ଅଭିଯୁକ୍ତମାନଙ୍କୁ କୋହଳ ମନୋଭାବ ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇଆସୁଛି । ୭ବର୍ଷ ପରେ ମଧ୍ୟ ଚାର୍ଜସିଟ ଦାଖଲ ହୋଇନଥିବା କାରଣରୁ ମୃତ ସ୍ନେହଲତାର ବାପା ଆର୍ତ୍ତ ଛତ୍ରିଆ ଓକିଲ ଦୀନେଶ ନାଗଙ୍କ ଜରିଆରେ ବଲାଙ୍ଗିର ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ତଦନ୍ତକାରୀ ସଂସ୍ଥା ବିରୁଦ୍ଧରେ ଅସନ୍ତୋଷ ବ୍ୟକ୍ତ କରି ଆବେଦନ କରିଥିଲେ । ବଲାଙ୍ଗିର ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଜିଆର କେସ ନମ୍ବର ୨୧/୨୦୧୫ର ମାମଲାରେ ଗତ ଜାନୁୟାରୀ ମାସରେ ହୋଇଥିବା ଉକ୍ତ ଆବେଦନକୁ ଗ୍ରହଣ କରି ମାମଲାର ତଦନ୍ତ କରୁଥିବା ରାଜ୍ୟ କ୍ରାଇମବ୍ରାଞ୍ଚକୁ ନୋଟିସ କରି ଆସନ୍ତା ଫେବୃୟାରୀ ୨୮ତାରିଖ ଭିତରେ ଏହି ମାମଲାର ତଦନ୍ତର ଷ୍ଟାଟସ୍‌ ରିପୋର୍ଟ ସହିତ ତୁରନ୍ତ ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ କରିଛନ୍ତି । ଗତ ଜାନୁୟାରୀ ୩୧ ତାରିଖରେ ହୋଇଥିବା ଉକ୍ତ କୋର୍ଟ ନିର୍ଦ୍ଦେଶ ପରେ ଚାପିହୋଇ ପଡି ରହିଥିବା ଏହି ସମ୍ବଦନଶୀଳ ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି ।

ପ୍ରକାଶ୍ୟ ଯେ, ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତଗ୍ରତ ସର୍ଗିପାଲି ଗ୍ରାମର ଆର୍ତ୍ତ ଛତ୍ରିଆ ଓ ମା’ ଡାଲିମଙ୍କ ଝିଅ ସ୍ନେହଲତା ଛତ୍ରିଆ(୧୫)ଙ୍କୁ ଗତ ୨୦୧୫ମସିହା ମେ’ ୨୨ ତାରିଖରେ ଅପହରଣ ଓ ଗଣଧର୍ଷଣ କରାଯାଇ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଘଟଣାରେ ଖପ୍ରାଖୋଲ ପୋଲିସର ନିଷ୍କ୍ର୍ରିୟତା ବିରୁଦ୍ଧରେ ୨୦୧୫ ମସିହା ଜୁନ ୨୧ ତାରିଖରେ ଏକ ବିଶାଳ ଜନ ଆନ୍ଦୋଳନ ହୋଇଥିଲା । ରାଜ୍ୟର ଅନେକ ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନ ବଲାଙ୍ଗିରରେ ମିଳିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଏସ୍‌ପି କାର୍ଯ୍ୟାଳୟ ଘେରାଉ କରିଥିଲେ । ଫଳରେ ପୋଲିସ ସେହି ସର୍ଗିପାଲି ଗାଁର ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାର ୪ଦିନ ପରେ ଘଟଣାର ତଦନ୍ତ ଦାୟିତ୍ୱ ପୋଲିସ ହାତରୁ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା । କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ମାତ୍ର ୩ ରୁ ୪ ଥର ଆସିଛି । କିନ୍ତୁ ଘଟଣାରେ କୌଣସି ଅଗ୍ରଗତି ହୋଇନାହିଁ । ଘଟଣାର ୪ ବର୍ଷ ପରେ ରାଜ୍ୟ ସରକାର ଏହି ମାମଲାକୁ ସିବିଆଇ ତଦନ୍ତ କରିବାକୁ ସୁପାରିଶ କରିଥିଲେ । କିନ୍ତୁ ଏହି ମାମଲାକୁ ସିବିଆଇ ତଦନ୍ତ କରିବାକୁ ମନା କରିଦେଇ ରାଜ୍ୟ ପୋଲିସ ଏହାର ତଦନ୍ତ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ କ୍ରାଇମବ୍ରାଞ୍ଚ ମଧ୍ୟ ଏହି ମାମଲାର ତଦନ୍ତରେ ଆଗ୍ରହ ପ୍ରକାଶ କରୁନଥିବା ଓ ସେହି କାରଣରୁ ଠିକ ସମୟରେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ ହୋଇ ନପାରିବାରୁ ସେମାନେ କୋର୍ଟରୁ ଜାମିନ ପାଇଛନ୍ତି ବୋଲି ଅଭଯୋଗ ହେଉଛି । ଏପରିକି ୭ ବର୍ଷ ପରେ ମଧ୍ୟ ଚାର୍ଜସିଟ ଦାଖଲ ହୋଇନଥିବାରୁ କ୍ରାଇମବ୍ରାଞ୍ଚର ତଦନ୍ତରେ ମୃତକର ପରିବାର ଓ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏଭଳି ଏକ ସମ୍ବଦନଶୀଳ ଘଟଣାରେ ତଦନ୍ତରେ ଅହେତୁକ ବିଳମ୍ବର କାରଣ କ’ଣ ବୋଲି ପ୍ରଶ୍ନ ହେଉଛି । ମୃତ ସ୍ନେହଲତାକୁ ନ୍ୟାୟ ମିଳିବ କେବେ ? ୨୦୧୫ରେ ଉକ୍ତ ଘଟଣା ପରେ ପରେ ତତ୍‌କାଳୀନ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସର୍ଗିର୍ପାଲି ଗାଁକୁ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ ଓ ଏକ ନିରପେକ୍ଷ ତଦନ୍ତ ଦାବୀ କରିଥିଲେ । ଆଲୋଚନା କାଳରେ ସର୍ଗିପାଲି ଗାଁରେ ଜାତିଆଣ ଭେଦଭାବ ଓ ବେଆଇନ କୁଚିଆ ମଦ କାରାବାରକୁ ନେଇ ଦଳିତ ବସ୍ତି ଓ ଗାଁ ଲୋକଙ୍କ ସହ ବିଭେଦ ରହି ଆସିଥିବା ଜଣାପଡିଥିଲା । ଗାଁରେ ଦୀର୍ଘବର୍ଷ ହେଲା ଉଭୟ ଗୋଷ୍ଠୀ ମଧ୍ୟରେ ବିଭେଦ ଲାଗି ରହିଥିଲା । ମୃତ ନାବାଳିକାର ମା’ ଡାଲିମ ଛତ୍ରିଆ ଏସଏସଜି ଗ୍ରୁପର ସଭାପତି ଭାବରେ ବଲାଙ୍ଗିର ଏସପିଙ୍କୁ ମଦ କୁଚିଆ ବନ୍ଦ ପାଇଁ ପିଟିସନ କରିଥିଲେ । ଏହି ପିଟିସନକୁ ସ୍ନେହଲତା ଲେଖିଥିଲା । ଯାହାର ଫଳ ସ୍ୱରୂପ ସ୍ନେହଲତାକୁ ଗଣଧର୍ଷଣ କରାଯିବା ସହ ବର୍ବରୋଚିତ ଭାବରେ ହତ୍ୟା କରାଯାଇଥିବା ପରିବାରବର୍ଗ ବିରୋଧୀ ଦଳ ନେତାଙ୍କ ପାଖରେ ଅଭିଯୋଗ କରିଥିଲେ । ସର୍ଗିପାଲି ଗାଁରେ କିଛି ଅସାମାଜିକ ଲୋକ ସ୍ଥାନୀୟ ଧଣ୍ଡାମୁଣ୍ଡା ମଦଭାଟିରୁ ମଦ ଆଣି ଗାଁରେ କୁଚିଆ ଦୋକାନ ଖୋଲି ବିକ୍ରି କରୁଥିଲେ । ଗାଁରେ ମଦୁଆଙ୍କ ପ୍ରାଦୁର୍ଭାବ ଦେଖାଦେବାରୁ ସ୍ଥାନୀୟ ଏସଏସଜି ମହିଳାମାନେ ମଦ କୁଚିଆକୁ ବିରୋଧ କରିଥିଲେ । ଏହା ଫଳରେ ଗାଁରେ ବିଭେଦ ଦେଖାଦେଇଥିଲା ଓ ପରେ ଏହି କାଣ୍ଡ ହୋଇଥିବା ଅଭିଯୋଗ ହୋଇଥିଲା । ର୍ଏବେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଉପଯୁକ୍ତ ତଦନ୍ତକରି ଚାର୍ଜସିଟ ଦାଖଲ କରିବ ବୋଲି ଆମେ ଆଶା କରୁଛୁ ବୋଲି ମାମଲାକୁ ପରିଚାଳନା କରୁଥିବା ଓକିଲ ଦୀନେଶ ନାଗ କହିଛନ୍ତି ।

Leave A Reply

Your email address will not be published.