ସରିଥିଲା ବ୍ୟାନର, ପୋଷ୍ଟର ଛପା : ରାତାରାତି ବଦଳିଗଲା ନିର୍ବାଚନୀ ଚିହ୍ନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଞ୍ଚାୟତ ଭୋଟ୍‌କୁ ନେଇ ବରଗଡ଼ ଜିଲାରେ ଘଡ଼ିକେ ଘୋଡ଼ା ଛୁଟୁଛି । ଜିଲାର ଅମ୍ବାଭୋନା ବ୍ଲକର ଜିଲା ପରିଷଦ ଜୋନ-୨ରୁ କଂଗ୍ରେସ ଓ ଭାଜପା ପ୍ରାର୍ଥିନୀ ନାମାଙ୍କନ ପ୍ରତ୍ୟାହାର କରିବା ପରେ ସହଜରେ ବିଜେଡ଼ି ଏହି ଆସନକୁ ହାତେଇ ପାରିଛି ଏବଂ ଏହି ଆସନରୁ ରାଜ୍ୟରେ ପଞ୍ଚାୟତ ଭୋଟ୍‌ରେ ବିଜେଡ଼ି ଖାତା ଖୋଲିଛି । ଏହି ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଉକ୍ତ ବ୍ଲକ ଅନ୍ତର୍ଗତ ଲଖନପୁର ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ସୀମାନ୍ତ କୁମାର ସାହୁଙ୍କ ନିର୍ବାଚନୀ ଚିହ୍ନ ରାତାରାତି ବଦଳିଯିବା ଏବେ ଆଲୋଚନାର ବିଷୟ ହୋଇଛି । ଏନେଇ ଗତକାଲି ସରପଞ୍ଚ ପ୍ରାର୍ଥୀ ସୀମାନ୍ତ ବରଗଡ଼ ଉପଜିଲାପାଳ ଶୁଭେନ୍ଦ୍ର କୁମାର ସାମଲଙ୍କ ନିକଟରେ ଫେରାଦ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହାର ବିଧିବଦ୍ଧ ତଦନ୍ତ କରିବାକୁ ସେ ନିବେଦନ କରିଛନ୍ତି । ପ୍ରକାଶ ଯେ, ଲଖନପୁର ପଞ୍ଚାୟତର ସରପଞ୍ଚ ଆସନ ପାଇଁ ୫ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଗତ ୨୫ତାରିଖରେ ପ୍ରଥମେ ପ୍ରକାଶିତ ସରପଞ୍ଚ ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନ ତାଲିକାରେ ପ୍ରାର୍ଥୀ ସୀମାନ୍ତଙ୍କୁ ଖୋଲା ଛତା ଚିହ୍ନ ମିଳିଥିଲା ଏବଂ ସେ ନେଇ ପଞ୍ଚାୟତ ନୋଟିସ ବୋର୍ଡ଼ରେ ମଧ୍ୟ ଉଲ୍ଲେଖ ରହିଥିବା ସୀମାନ୍ତ କହିଛନ୍ତି । ଏହାପରେ ସେ ସେହି ଚିହ୍ନକୁ ନେଇ ବ୍ୟାନର, ପୋଷ୍ଟର ଛାପିଥିବା ବେଳେ ତାଙ୍କ ସମର୍ଥକଙ୍କୁ ଖୋଲା ଛତାରେ ପ୍ରଚାର କରିବାକୁ କହିଥିବା ସୀମାନ୍ତ ପ୍ରକାଶ କରିଛନ୍ତି । ପରବର୍ତ୍ତୀ ସମୟରେ ତାହା ପରିବର୍ତ୍ତନ କରାଯାଇ ଅନ୍ୟ ଏକ ତାଲିକାରେ ସୀମାନ୍ତଙ୍କୁ ଲଙ୍ଗଳ ଚିହ୍ନ ମିଳିଥିବା ନେଇ ଉଲ୍ଲେଖ ରହିଛି ଏବଂ ଏହାକୁ ନେଇ ତାଙ୍କ ସମର୍ଥକ ତଥା ଭୋଟରମାନେ ଦ୍ୱନ୍ଦ୍ୱରେ ପଡ଼ିଥିବା ସେ କହିଛନ୍ତି । ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସେ ଉପଜିଲାପାଳଙ୍କୁ ନିବେଦନ କରିଛନ୍ତି । ଏହି ପଞ୍ଚାୟତର ଅନ୍ୟ ୨ ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନ ବଦଳିଥିବା ସୂଚନା ମିଳିଛି । ଏ ସମ୍ପର୍କରେ ବିଧିବଦ୍ଧ ତଦନ୍ତ କରି ବିହିତ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ କହିଛନ୍ତି ।

Leave A Reply

Your email address will not be published.