ନବନିଯୁକ୍ତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ଭର୍ଚୁଆଲ ତାଲିମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତ ନିର୍ବାଚନ ଆୟୋଗଙ୍କ ତରଫରୁ ୫ଗୋଟି ରାଜ୍ୟ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରିଚାଳନା ନିମନ୍ତେ ଓଡ଼ିଶାରୁ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ପୁଲିସ ସେବା ଓ ଭାରତୀୟ ରାଜସ୍ୱ ସେବା ବର୍ଗରୁ ମୋଟରେ ୭୩ଜଣ ବରିଷ୍ଠ ଅଧିକାରୀଙ୍କୁ ନିର୍ବାଚନ ଆୟୋଗ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରି ସେମାନଙ୍କୁ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଭର୍ଚୁଆଲ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଓ ତାଙ୍କ ସହଯୋଗୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଭର୍ଚୁଆଲ ତାଲିମ ପ୍ରଦାନ କରାଯାଇଛି ।
ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରାଙ୍କ ସହ ଅନ୍ୟ ଦୁଇ ସହଯୋଗୀ ନିର୍ବାଚନ କମିଶନର ରାଜୀବ କୁମାର ଓ ଅନୁପ ଚନ୍ଦ୍ର ଉପସ୍ଥିତ ରହି ପର୍ଯ୍ୟବେକ୍ଷକମାନଙ୍କୁ ନିର୍ବାଚନ ସଂପର୍କିତ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ । ବିଭିନ୍ନ ରାଜ୍ୟର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଗଲେ ପର୍ଯ୍ୟବେକ୍ଷକମାନେ ଅବାଧ, ସ୍ୱଚ୍ଛ ଓ ନିରାପଦ ନିର୍ବାଚନ କିପରି କରାଯାଇ ପାରିବ ସେ ସଂପର୍କରେ ନିର୍ବାଚନ କମିଶନର ଗୁରୁତ୍ୱାରୋପ କରିଥିଲେ । କୋଭିଡ଼୍‌ ସମୟରେ ନିରପେକ୍ଷ ଓ ନିରାପଦ ନିର୍ବାଚନ କିପରି କରାଯାଇପାରିବ, ତା’ଉପରେ ବିଶେଷ ଧ୍ୟାନ ଦେବାକୁ ନବନିଯୁକ୍ତ ପର୍ଯ୍ୟବେକ୍ଷକମାନଙ୍କୁ ତାଲିମ ଦିଆଯାଇଛି । ନିର୍ବାଚନ ଆୟୋଗଙ୍କ ସଚିବ ଉମେଶ ସ୍ନିହା ନିର୍ବାଚନ ପରିଚାଳନା ସଂପର୍କିତ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍‌ ପର୍ଯ୍ୟବେକ୍ଷକମାନଙ୍କୁ ଦେଖାଇଥିଲେ ।

Leave A Reply

Your email address will not be published.