ବଲାଙ୍ଗିର ଜିଲ୍ଲାପାଳଙ୍କ ମହାନତା : ଦୁର୍ଘଟଣାରେ ଗୋଡ଼ ହରାଇଥିବା ଶୁଭମ ଚାଲିବାକୁ ହେଲେ ସକ୍ଷମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାପାଳଙ୍କ ଉଦ୍ୟମ ଯୋଗୁଁ ରାସ୍ତା ଦୁର୍ଘଟଣାରେ ଗୋଡ଼ ହରାଇଥିବା ଜଣେ ବାଳକ ଚାଲିବା ପାଇଁ ସକ୍ଷମ ହୋଇଛନ୍ତି । ଏପରି ଏକ ଖୁସିର ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଳକରେ । ଗାଇବାହାଲ ପଞ୍ଚାୟତ ସଗାରପାଲି ଗାଁର ସତ୍ୟ ଛତ୍ରୀଆଙ୍କ ଗୋଟିଏ ପୁଅ ଶୁଭମ ଛତ୍ରୀଆ । ବାପା ମା’ଙ୍କ ଗେହ୍ଲା ପୁଅ ହୋଇ ବେଶ୍‌ ହସ ଖୁସିରେ ଘରେ ଥିଲେ । କିନ୍ତୁ ଏକ ରାସ୍ତା ଦୁର୍ଘଟଣା ଶୁଭମ୍‌ଙ୍କ ପାଇଁ ଅଭିଶାପ ପାଲଟିଗଲା । ଦୁର୍ଘଟଣା ଗ୍ରସ୍ତ ହେବା ଯୋଗୁଁ ନିଜର ଡାହାଣ ଗୋଡ଼ ହରାଇ ବସିଥିଲେ । ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ପୁଅର ଚିକିତ୍ସା କରି ଘରକୁ ଆଣିଥିଲେ ସତ୍ୟ । ପୁଅ ଚାଲିବାକୁ ଅକ୍ଷମ ହେବାରୁ ଦୁଃଖରେ ଭାଙ୍ଗିପଡି ଘରେ ରଖିଥିଲେ । ବିଭିନ୍ନ ଲୋକଙ୍କ ଦ୍ୱାରସ୍ଥ ମଧ୍ୟ ହୋଇ ଉତ୍ତମ ଚିକିତ୍ସା ପାଇଁ ଗୁହାରି କରିଥିଲେ କିନ୍ତୁ ସଫଳ ହୋଇନଥିଲେ । ଏନେଇ ବଲାଙ୍ଗିର ଜିଲ୍ଲାପାଳଙ୍କଠାରେ ଗୁହାରୀ କଲା ପରେ ସତ୍ୟଙ୍କ ପ୍ରତି ଆଗଭର ହୋଇଥିଲେ ଜିଲ୍ଲାପାଳ ଚଞ୍ଚଳ ରାଣା । ଶୁଭମର ଚିକିତ୍ସା ଯାଞ୍ଚ କରି ଏକ କୁତ୍ରିମ ଗୋଡ଼ ଲଗାଇ ଦେଇଛନ୍ତି ସୁଦୂର ସୁନ୍ଦରଗଡ଼ ଜିଲ୍ଲା ଏଆର୍‌ସି ଠାରେ । ଏନେଇ ଜିଲ୍ଲାପାଳ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି । କୁତ୍ରିମ ଗୋଡ଼ ଲାଗିବାର ଖବର ଜଣାପଡିବା ପରେ ଶୁଭମକୁ ଦେଖିବା ପାଇଁ ଗାଁ ଲୋକଙ୍କ ସୁଅ ଛୁଟିଛି । ପରିବାର ଲୋକ ମଧ୍ୟ ଜିଲ୍ଲାପାଳଙ୍କଠାରେରେ କୃତଜ୍ଞତା ଜଣାଇଛନ୍ତି । ଏହି ଖବର ଜଣାପଡିବା ପରେ ଦେଓଗାଁ ଅଞ୍ଚଳରେ ଖୁସିର ମାହୋଲ ଦେଖାଦେଇଛି ।

Leave A Reply

Your email address will not be published.