![om academy](https://koshalaprabahalive.com/wp-content/uploads/2024/05/kkkk.jpg)
ଲୋଇସିଂହା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କନ୍ଦାଜୁରୀ ଗ୍ରାମର ବାସିନ୍ଦା ହୋଇ ନଥିବା ବେଳେ ଚଂଚକତା ପୂର୍ଣ୍ଣ ଭାବେ ସେଠାରେ ଭୋଟର ତାଲିକାରେ ଜନୈକ ବ୍ୟକ୍ତି ତଥା ତାଙ୍କ ପୁଅ ସାମିଲ ହୋଇଥିବା ଘଟଣା ନଜରକୁ ଆସିଛି । ଏ ନେଇ ଲୋଇସିଂହା ବିଡ଼ିଓଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲେ ହେଁ ଅଭିଯୋଗର ଦଶ ଦିନ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।
କନ୍ଦାଜୁରୀ ରାଜପରିବାରର ଦାୟାଦ ଗୌରୀ କୁମାରୀ ସିଂଦେଓ ଏବଂ ତାଙ୍କ ପରିବାର ସଦସ୍ୟ ସ୍ଥାନୀୟ ବିଡ଼ିଓଙ୍କ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ, ଲୋଇସିଂହା ବ୍ଳକର ପୂର୍ବତନ ଅଧ୍ୟକ୍ଷ ଋଷିକୁମାର ଅଗ୍ରୱାଲ ଓ ତାଙ୍କ ପୁଅ ନିତେଶ ଅଗ୍ରୱାଲ କନ୍ଦାଜୁରୀ ଗ୍ରାମର ବାସିନ୍ଦା ନୁହନ୍ତି । ଏଠାରେ ତାଙ୍କର କୌଣସି ସମ୍ପର୍କୀୟ ରହୁ ନ ଥିବା ବେଳେ ତାଙ୍କର କୌଣସି ସ୍ଥାବର ଅଥବା ଅସ୍ଥାବର ସମ୍ପତ୍ତି ମଧ୍ୟ ନାହିଁ । ତେବେ ଚଂଚକତା କରି କନ୍ଦାଜୁରୀ ଗ୍ରାମ ୱାର୍ଡ ନଂ-୭ର କ୍ରମିକ ସଂଖ୍ୟା ୧୪୫ରେ ଋଷିକୁମାର ଅଗ୍ରୱାଲ ଓ ତାଙ୍କ ପୁଅ ନିତେଶ ଅଗ୍ରୱାଲ ନିଜ ନାମ ଭୋଟର ତାଲିକାରେ ସାମିଲ କରିଛନ୍ତି । ଅସଲରେ ସେମାନେ ବଲାଙ୍ଗିର ସହର ୱାର୍ଡ ନ- ୧୪ରେ ଦୀର୍ଘଦିନ ହେଲା ସପରିବାର ବସବାସ କରିବା ସହିତ ବ୍ୟବସାୟ କରି ଖଜଣା ପୈଠ କରି ଆସୁଛନ୍ତି । ଏଭଳି ସ୍ଥିତିରେ ସେମାନେ କିଭଳି କନ୍ଦାଜୁରୀ ଗ୍ରାମର ବାସିନ୍ଦା ହେଲେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀମତୀ ସିଂଦେଓ । ଏଥିସହିତ ଉଭୟ ବାପ ପୁଅଙ୍କ ନାମକୁ ଗ୍ରାମର ଭୋଟର ତାଲିକାରୁ ବାଦ ଦେବାକୁ ସେ ଦାବୀ କରିଛନ୍ତି । ଅପରପକ୍ଷରେ ଆସନ୍ତା ନିର୍ବାଚନରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଥିବା ନିତେଶ ଅଗ୍ରୱାଲ ଯେକୌଣସି ସ୍ଥାନରୁ ସମିତି ସଭ୍ୟ ଭାବେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଇଛୁକ ଥିବାରୁ କୌଶଳ କ୍ରମେ କନ୍ଦାଜୁରୀ ଗ୍ରାମର ଭୋଟର ତାଲିକାରେ ନିଜ ନାମକୁ ଦର୍ର୍ଜ କରିଥିବା ସରପଞ୍ଚ ତନୟା ବେହେରା ଅଭିଯୋଗ କରିଛନ୍ତି । ଏପରିକି ଅଙ୍ଗନବାଡି କର୍ମୀ କନକ ବ୍ରହ୍ମା ମଧ୍ୟ ଏ ନେଇ ଆପତ୍ତି ଉଠାଇଥିବା ଜଣାଯାଇଛି । ମିଥ୍ୟା ନାମ ପଞ୍ଜିକରଣକୁ କୌଣସି ବି ସ୍ଥିତିରେ ବରଦାସ୍ତ କରାଯିବ ନାହିଁ ଏବଂ ଏ ନେଇ ଆଇନର ଆଶ୍ରୟ ନିଆଯିବ ବୋଲି କନ୍ଦାଜୁରୀ ପଂଚାୟତର ପୂର୍ବତନ ସରପଞ୍ଚ ଅଶୋକ ବେହେରା ସୂଚନା ଦେଇଛନ୍ତି । ଅଭିଯୋଗ ବାବଦରେ ଲୋଇସିଂହା ବିଡ଼ିଓ ରାମଚନ୍ଦ୍ର ଖାଡିଆଙ୍କ ପ୍ରତିକ୍ରିୟା ନିଆଯିବାରେ ଭୋଟର ତାଲିକାରୁ ନାମ ବାଦ ଦେବା କାମ ମୋର ନୁହେଁ, ଉପ ଜିଲ୍ଲାପାଳ ହିଁ ଏ ନେଇ ନିଷ୍ପତ୍ତି ନେଇ ପାରିବେ ବୋଲି ପ୍ରକାଶ କରିଥିଲେ । ଉଭୟ ଋଷିକୁମାର ଅଗ୍ରୱାଲ ଓ ନିତେଶ ଅଗ୍ରୱାଲ ଏକ ପ୍ରମୁଖ ରାଜନୈତିକ ଦଳର ସକ୍ରିୟ କର୍ମକର୍ତ୍ତା ଥିବାରୁ ରାଜନୈତିକ ଚାପରେ ପ୍ରଶାସନ କୌଣସି ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ଘଟଣାକୁ ଚପେଇ ଦେବା ପାଇଁ ପ୍ରଶାସନିକ ସ୍ତରରେ ଜନୈକ ବରିଷ୍ଠ ଅଧିକାରୀ ମୋଟା ରକମର ଅର୍ଥ ହାତେଇଥିବା ଶୁଣିବାକୁ ମିଳୁଛି । ବଲାଙ୍ଗିର ଜିଲ୍ଲାପାଳ ଏଥିପ୍ରତି ସ୍ୱତନ୍ତ ଭାବେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।
![](https://koshalaprabahalive.com/wp-content/uploads/2021/12/9a18e3b7-694a-424a-a3e6-3814e9d2b1d7-766x1024.jpg)
![](https://koshalaprabahalive.com/wp-content/uploads/2021/12/42b7dc68-5adf-48cc-8e67-8e8eb5299efe.jpg)
![](https://koshalaprabahalive.com/wp-content/uploads/2021/12/22413950-896b-4b1d-9808-7c6b45465dea.jpg)