ଚାଲିଗଲେ ମାଟିର ଗର୍ବ ଓ ଗୌରବ ବଲାଙ୍ଗିର ସାମ୍ବାଦିକ ଜଗତର ଭୀଷ୍ମ ପିତାମହ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ ମାଟିର ଗର୍ବ ଓ ଗୌରବ ବଲାଙ୍ଗିର ସାମ୍ବାଦିକ ଜଗତର ପିତାମହ ଭୀଷ୍ମ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା(୮୪) । ଆଜି ଦିନ ୧ଟା ୪୫ମି.ରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ତାଙ୍କ ଦେହାନ୍ତ ଘଟିଛି । ନିକଟରେ ଭୁବନେଶ୍ୱରରେ ତାଙ୍କର ପୋସ୍‌ଷ୍ଟ୍ରେଡ୍‌ ଅପରେସନ୍‌ ହେବା ପରେ ବଲାଙ୍ଗିର ଫେରିଥିଲେ । ତଥାପି ଅସୁସ୍ଥତା ଯୋଗୁଁ ଏଇ କିଛି ଦିନ ତଳେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ର ଆଇସିୟୁ ବିଭାଗରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ବିଧିର ବିଧାନ ସମ୍ମୁଖରେ ଚିକିତ୍ସକଙ୍କ ସମସ୍ତ ପ୍ରଚେଷ୍ଟା ବିଫଳ ହେଲା ଓ ବଲାଙ୍ଗିର ସାମ୍ବାଦିକ ଜଗତର ପିତାମହ ଭୀଷ୍ମ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା ଆଖି ବୁଜିଦେଲେ । ସ୍ୱର୍ଗତ ବରିଷ୍ଠ ସାମ୍ବାଦିକ ଶ୍ରୀ ବେହେରା ଦୀର୍ଘ ବର୍ଷ ଧରି ‘ପ୍ରଜାତନ୍ତ୍ର’ରେ ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟ କରି ବର୍ତ୍ତମାନ କିଛି ବର୍ଷ ହେଲା ‘ପ୍ରତିଦିନ’ ଖବର କାଗଜରେ ସାମ୍ବାଦିକ ଭାବେ କାର୍ଯ୍ୟରତ ଥିଲେ । ବୟସର ଅପରାହ୍ନ ମଧ୍ୟ ତାଙ୍କୁ ଅଟକାଇ ପାରିନଥିଲା । ସଦାବେଳେ ଚଳଚଂଚଳ ଶ୍ରୀ ବେହେରା ଆତ୍ମୀୟତାର ସହକାରେ ତୁଳାଉଥିଲେ ସାମ୍ବାଦିକତା କର୍ମ । ଯୁବକ ସୁଲଭ କାର୍ଯ୍ୟଦକ୍ଷତା ତାଙ୍କଠାରେ ସ୍ପଷ୍ଟ ଅନୁଭବ କରି ହେଉଥିଲା । ତାଙ୍କ ନିଆରା ସାମର୍ଥ୍ୟ, ଭାବ ଓ ଆବେଗ ସବୁଦିନ ପାଇଁ କାର୍ଯ୍ୟରତ ସାମ୍ବାଦିକଙ୍କ ନିମନ୍ତେ ପ୍ରେରଣାଦାୟୀ ହୋଇରହିବ । ଶ୍ରୀ ବେହେରା ସାମ୍ବାଦିକତା କରିବା ସହ ସାହିତ୍ୟ ଜଗତରେ ମଧ୍ୟ ପାଦ ଦେଇଥିଲେ । ଗପ, କବିତା ତଥା ପ୍ରବନ୍ଧ ରଚନା କରିବା ଦିଗରେ ତାଙ୍କର ବିଶେଷ ରୁଚି ରହିଥିବା ବେଳେ ଜଣେ ନାଟ୍ୟ ଅଭିନେତା ଭାବେ ମଧ୍ୟ ସେ ବେଶ୍‌ ସୁନାମ ଅର୍ଜନ କରିଛନ୍ତି । ବହୁଚର୍ଚ୍ଚିତ ତଥା ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ‘ଭୁଖା’ରେ ସେ ଅଭିନୟ କରିଥିଲେ । ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ସେ ପ୍ରତିଷ୍ଠାତା ସଭ୍ୟ ଭାବରେ ସକ୍ରିୟ ରହିଥିବା ବେଳେ ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସେ ପ୍ରତିଷ୍ଠାତା ସଦସ୍ୟ ତଥା ଉପଦେଷ୍ଟା ଦାୟିତ୍ୱ ନିର୍ବାହ କରୁଥିଲେ । ତାଙ୍କ ଚିନ୍ତା, ଚେତନା ତଥା ସାଉଁଟିନେବା ପଣ ଯୁବକମାନଙ୍କ ପାଇଁ ଚିରଦିନ ପାଇଁ ଉଦାହରଣ ହୋଇ ରହିବ । ତାଙ୍କ ଦେହାନ୍ତରେ ସାରା ସହରରେ ଶୋକର ଲହରି ଖେଳି ଯାଇଥିବା ବେଳେ ବଲାଙ୍ଗିର ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ଭଗବାନଙ୍କ ଠାରେ ପ୍ରାର୍ଥନା ।

Leave A Reply

Your email address will not be published.