ଛତ୍ରପୁର ସହରକୁ ଖୁବଶୀଘ୍ର ମ୍ୟୁନିସିପାଲିଟି ଘୋଷଣା ନିମନ୍ତେ ବିଜୁ ଆଇନ ସାମ୍ମୁଖ୍ୟର ସ୍ୱତନ୍ତ୍ର ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ଓ ଆଖପାଖ ଅଂଚଳର ପାରିପାର୍ଶ୍ଵିକ ବିକାଶ ଏବଂ ଅଂଚଳବାସୀଙ୍କ ହିତ ନିମନ୍ତେ ବିଭିନ୍ନ କାର୍ଯ୍ୟଗୁଡିକ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟ ଅଣ୍ଟା ଭିଡିଛି । ଏନେଇ ସ୍ଥାନୀୟ ଗୌରୀ ଶଙ୍କର କଲ୍ୟାଣ ମଣ୍ଡପଠାରେ ବିଜୁ ଆଇନ ସାମ୍ମୁଖରେ ଏକ ସ୍ୱତନ୍ତ୍ର ବୈଠକ ସଭାପତି ସୁରେଶ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଛତ୍ରପୁର ନିକଟ ଦେଇ ଯାଇଥିବା ଜାତୀୟ ରାଜପଥରୁ ସହରକୁ ସଂଯୋଗ କରୁଥିବା ଡିଆର୍‌ଡିଏ ଛକଠାରୁ ରିକାପଲ୍ଲୀ ଛକ ପର୍ଯ୍ୟନ୍ତ ରାସ୍ତାରେ ତୁରନ୍ତ ଫ୍ଲାଏ ଓଭର ନିର୍ମାଣ କରିବା ସକାଶେ କେନ୍ଦ୍ରମନ୍ତ୍ରୀ ଏବଂ ଜାତୀୟ ରାଜପଥ କର୍ତ୍ତୁପକ୍ଷଙ୍କ ଉପରେ ଦାବୀ ଉପସ୍ଥାପନ କରାଯିବା । ଛତ୍ରପୁର ରେଳ ଷ୍ଟେସନ୍‌ର ସମସ୍ତ ଉନ୍ନତିକରଣ ନିମନ୍ତେ ବୈଷୟିକ କମିଟି ଦ୍ୱାରା ପ୍ରସ୍ତୁତ ହୋଇଥିବା ୯ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଯୋଜନାଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ର ରେଳ ମନ୍ତ୍ରୀ ଓ ରେଳ ଉଚ୍ଚ କର୍ତ୍ତୁପକ୍ଷଙ୍କ ପାଖରେ ଯୋଗାଯୋଗ କରିବା ପାଇଁ ଦାବୀ ଉପସ୍ଥାପନା କରାଯିବ । ବ୍ରହ୍ମପୁରଠାରେ ବର୍ତ୍ତମାନ କାର୍ଯ୍ୟରତ ଦୁଇଟି ଡିଏଲସି କୋର୍ଟ ମଧ୍ୟରୁ ଗୋଟିଏ କୋର୍ଟକୁ ଛତ୍ରପୁରଠାରେ ଅବସ୍ଥାପିତ କରିବା ସହ ଏହାର ସିମା- ନିର୍ଦ୍ଧାରଣ କରାଯାଇ ଛତ୍ରପୁର ସବ-ଡିଭିଜନ ଅଧିନସ୍ଥ ବିଚାରାଧିନ କେସଗୁଡିକୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ଉପରିସ୍ଥ ଅଧିକାରୀଙ୍କଠାରେ ଦାବୀ ଉପସ୍ଥାପନ କରିବା, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବର୍ତ୍ତମାନ ସ୍ଥିତି ଏହାର ଆବଶ୍ୟକ ଜନସଂଖ୍ୟାର ଧାର୍ଯ୍ୟ ଲକ୍ଷ୍ୟ ଅତିକ୍ରମ କରିସାରିଛି । ଏଣୁ ଏହାକୁ ତୁରନ୍ତ ମ୍ୟୁନିସିପାଲିଟି ରୂପେ ବିବେଚନା କରିବା ସକାଶେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବା, ଛତ୍ରପୁର ରେଳ ଷ୍ଟେସନ ନିକଟରୁ ୧୫ ନମ୍ବର ଜଳ ଯୋଗାଣ କେନାଲ ପୁରୁଣା ଏନ୍‌ଏଚ୍‌ ୫, ପୁତ୍ତି ଗୋପାଳପୁର ଏବଂ ଡିଆର୍‌ଡିଏ ଛକ ପର୍ଯ୍ୟନ୍ତ ସଂଯୋଗୀକରଣ ହିଡ ରାସ୍ତା ଏବଂ ଅନସ୍ଲୋ ଷ୍ଟାଡିୟମଠାରୁ ଉପଖଣ୍ଡ ଉଠା-ଜଳସେଚନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସଂଯୋଗୀକରଣ କେନାଲ ରାସ୍ତାକୁ ସୁଦୃଢିକରଣ କରିବାକୁ ଜିଲ୍ଲାପାଳଙ୍କ ଜରିଆରେ ସଂପୃକ୍ତ ଅଧିକାରୀ ଅନୁରୋଧ କରି ଚିଠା ପ୍ରଦାନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଛତ୍ରପୁର ପିଲିବନ୍ଧକୁ ଜଳପୂର୍ଣ୍ଣ କରାଯାଇଥିବାରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ସାମ୍ମୁଖ୍ୟର ବରିଷ୍ଠ ଉପଦେଷ୍ଠା ଅଶୋକ ଚୌଧୂରୀ, ବିଜୟ କୃଷ୍ଣ ପଟ୍ଟନାୟକ, ପ୍ରଦୀପ କୁମାର ପାତ୍ର, ରାମକୃଷ୍ଣ ଦାଶ ଉପସଭାପତି ଅହି ଭୂଷଣ ସାହୁ, ସିମାଂଚଳ ମହାପାତ୍ର, ଭୈରବୀ ପଟ୍ଟନାୟକ, ସାଧାରଣ ସମ୍ପାଦକ ଏଲ୍ . ଗୋପାଳ ରାଓ, ସମ୍ପାଦକ ରାଜେନ୍ଦ୍ର ଦାଶ, ସୌରୀ ପ୍ରସାଦ ବେହେରା, କୃଷ୍ଣ ବେହେରା, କାଳି ପ୍ରସାଦ ଦାଶ, ମିଡିଆ ସେଲ ସମ୍ପାଦକ ଡି. ପଦ୍ମନାଭ, ବରିଷ୍ଠ ସଦସ୍ୟ ବିଜୟ କୁମାର ପଲାଇ, ଡମିନାଥ ସାହୁ, ରୁଦ୍ର ପ୍ରସାଦ ବେହେରା, ସନ୍ତୋଷ ପଶୁପାଳକ ଯୋଗ ଦେଇ ମତ ଉପସ୍ଥାପନ କରିଥିଲେ । ଶେଷରେ ଉପସଭାପତି ଅଭିଭୂଷଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.