ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କନ୍ଧମାଳ : ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଲେଖିଲା ବିକାଶର ନୂଆ କାହାଣୀ । ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ି ହୋଇଛି କନ୍ଧମାଳ ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଫୁଲବାଣୀ ଗସ୍ତ କରିବା ସହ କନ୍ଧମାଳ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୧ ଲକ୍ଷ ୬୭ ହଜାର ହିତାଧିକାରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡରେ ଯୋଡ଼ି ହୋଇଛନ୍ତି । ଏଥିସହ ଜିଲ୍ଲାର ପ୍ରାୟ ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଫୁଲବାଣୀ ମିନି ଷ୍ଟାଡିୟମରେ ପହଞ୍ଚିବା ସହ ହିତାଧିକାରୀଙ୍କୁ ପ୍ରଦାନ କରିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ । ପରେ ପରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ, ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିଥିଲେ । ବିଜୁ ସ୍ମାର୍ଟ କାର୍ଡ ବ୍ୟତୀତ ମୁଖ୍ୟମନ୍ତ୍ରୀ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତିର ୧୮୯ଟି ପ୍ରକଳ୍ପ(୧୧ କୋଟି ୫୦ ଲକ୍ଷ ଟଙ୍କା), ରାସ୍ତା, କୋଠାବାଡି ଓ ସେତୁ ପାଇଁ ୩୪ଟି ପ୍ରକଳ୍ପ(୧୩୯ କୋଟି ଟଙ୍କା), ସ୍ୱାସ୍ଥ୍ୟ ସେବା ଓ ବିଦ୍ୟୁତ ଭିତ୍ତିଭୂମି ବିକାଶ ପାଇଁ ୪୪ କୋଟି ୮୧ ଲକ୍ଷ ଟଙ୍କାର ୨ଟି ପ୍ରକଳ୍ପ, ୪୮ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି । ଯାହା ଦ୍ୱାରା କି ଆଗାମୀ ଦିନରେ କନ୍ଧମାଳ ଜିଲ୍ଲା ଉପାନ୍ତରୁ ବିକାଶର ଦ୍ୱାର ଦେଶରେ ପହଁଚିବ । ସେହିପରି ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ପ୍ରଦାନ କରିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଭଳି ଏକ ଜନମଙ୍ଗଳକାରୀ କାର୍ଡକୁ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ କରିଥିବା ଯୋଜନାର ସଫଳ ରୂପାୟନ ବିଷୟରେ ବାର୍ତ୍ତା ରଖିଥିଲେ ମୁଖ୍ୟମନ୍ତ୍ରୀ । କନ୍ଧମାଳ ଜିଲ୍ଲା ଆଗାମୀ ଦିନରେ ଏକ ପ୍ରଗତିଶୀଳ ଜିଲ୍ଲାରେ ପରିଣତ ହେବ । ସାଧାରଣ ଲୋକଙ୍କ ଜୀବନଯାପନ ପକ୍ରିୟାରେ ପରିବର୍ତ୍ତନ ହୋଇଛି । କନ୍ଧମାଳର ହଳଦୀ ସମଗ୍ର ବିଶ୍ୱରେ ପରିଚୟକୁ ପ୍ରତିପାଦିତ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାର ୧ ଲକ୍ଷ ୬୭ ହଜାର ହିତାଧିକୀରୀ ସଭିଏଁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡରେ ଚିକିତ୍ସିତ ହୋଇପାରିବେ । ସାଧାରଣ ଗରିବ ଲୋକଟିଏ ଯେପରି ଉନ୍ନତ ଚିକିତ୍ସା ପାଇ ପାରିବ, ତାହା ହିଁ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ସ୍ୱାସ୍ଥ୍ୟ ପାଇଁ ଜମି, ଅଳଙ୍କାର ଆଦି ବିକ୍ରୟ କରିବାକୁ ପଡ଼ୁଥିଲା । ତାହା ମୁଖ୍ୟମନ୍ତ୍ରୀଙ୍କୁ ବ୍ୟଥିତ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିପାଇଁ ଏଭଳି ଏକ ଅଭିନବ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ସରକାର ପହଁଚାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମଞ୍ଚରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କଅଁର ଏବଂ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ରହିବା ସହ ସାଧାରଣ ଲୋକଙ୍କୁ ଉଦ୍‌ବୋଧନ ପ୍ରଦାନ କରିଥିଲେ । ସେପଟେ ସୁରକ୍ଷାକୁ ନଜରରେ ରଖି ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

Leave A Reply

Your email address will not be published.