jayashree

ଭାରତରେ କରୋନା ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ

● ଲଗାତର ଦଶମ ଦିନରେ ସକ୍ରିୟ ମାମଲା ୧୦ ଲକ୍ଷରୁ କମ୍ ରହିଛି
● ଭାରତରେ ମୋଟ ସୁସ୍ଥ ପ୍ରାୟ ୫୩ ଲକ୍ଷ
● ଗତ ୧୨ ଦିନରେ ୧୦ ଲକ୍ଷ ସୁସ୍ଥ

ନୂଆଦିଲ୍ଲୀ, (ପିଆଇବି) : ଭାରତରେ କରୋନା ସକ୍ରିୟ ମାମଲା ସଂଖ୍ୟା କ୍ରମାଗତ ୧୦ ଲକ୍ଷରୁ ତଳେ ରହିଛି । କ୍ରମାଗତ ଦଶମ ଦିନ ପାଇଁ ଦେଶରେ ସକ୍ରିୟ ମାମଲା ୧୦ ଲକ୍ଷ ତଳେ ରହିଛି । ଦେଶରେ ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ସୁସ୍ଥ ହେବାରେ ଲାଗିଛନ୍ତି । ଏହି ସଂଖ୍ୟାର ହାର ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୮୫,୩୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି ।
ଭାରତରେ ଆଜିସୁଦ୍ଧା ମୋଟ ସୁସ୍ଥଙ୍କ ସଂଖ୍ୟା ୫୨,୭୩,୨୦୧ରେ ପହଞ୍ଚିଛି । ପ୍ରତିଦିନ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜାତୀୟ ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଉଛି । ଜାତୀୟ ସୁସ୍ଥତା ହାର ଏବେ ୮୩.୫୩%ରେ ରହିଛି ।
ମୋଟ ସୁସ୍ଥଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୧୨ ଦିନରେ ୧୦ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇପାରିଛନ୍ତି । ମୋଟ ସୁସ୍ଥଙ୍କ ମଧ୍ୟରୁ ୭୭ ପ୍ରତିଶତ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି ।
ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ ଅଛନ୍ତି ଆନ୍ଧ୍ର ପ୍ରଦେଶ ଓ ତାମିଲନାଡ଼ୁ ।
ଦେଶରେ ଏବେ ସକ୍ରିୟ କରୋନା ମାମଲା ୯,୪୦,୭୦୫ରେ ଅଛି । ୨୦୨୦ ସେପ୍ଟେମ୍ବର ୧୧ରେ ମଧ୍ୟ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୯.୪ ଲକ୍ଷ ଥିଲା ।
ମୋଟ ସକ୍ରିୟ ମାମଲାରୁ ୭୬ ପ୍ରତିଶତ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ଦେଶରେ ମୋଟ ପଜିଟିଭ୍ ସଂଖ୍ୟାର ମାତ୍ର ୧୪.୯୦% ଏବେ ସକ୍ରିୟ ମାମଲା ଭାବେ ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୬,୮୨୧ଟି ନୂଆ ପଜିଟିଭ୍ ମାମଲା ଆସିଛି । ନୂତନ ମାମଲା ଗୁଡ଼ିକ ମଧ୍ୟରୁ ୭୬% କେବଳ ୧୦ଟି ରାଜ୍ୟରୁ ଆସିଛି । ନୂଆ ମାମଲା ଗୁଡ଼ିକ ମଧ୍ୟରେ କେବଳ ମହାରାଷ୍ଟ୍ରରୁ ଆସିଛି ୧୮ ହଜାର ମାମଲା । କର୍ଣ୍ଣାଟକ ଏବଂ କେରଳରୁ ୮ ହଜାର ଲେଖାଏଁରୁ ଅଧିକ ମାମଲା ଆସିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୮୧ଟି ମୃତ୍ୟୁ ମାମଲା ହୋଇଛି । ଏଥିରୁ ୮୨% ମୃତ୍ୟୁ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଛି । ଗତକାଲି ହୋଇଥିବା ମୃତ୍ୟୁର ୪୦% ଅର୍ଥାତ୍ ୪୮୧ଟି ମହାରାଷ୍ଟ୍ରରୁ ଏବଂ ୮୭ଟି କର୍ଣ୍ଣାଟକରୁ ହୋଇଛି ।

Leave A Reply

Your email address will not be published.