ଆଜି ଜାତୀୟ ପ୍ରେସ୍‌ ଦିବସ : ଗଣମାଧ୍ୟମ ପ୍ରତିନିଧିଙ୍କୁ ଶୁଭେଚ୍ଛା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜାତୀୟ ପ୍ରେସ୍‌ ଦିବସ । ଏହି ଅବସରରେ ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ଦେଶର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସୂଚନାଯୋଗ୍ୟ ଯେ, ଭାରତୀୟ ପ୍ରେସ୍‌ ଦ୍ୱାରା ପରିବେଷଣ ହେଉଥିବା ଖବରର ମାନ ବଜାୟ ରଖିବା ଲକ୍ଷ୍ୟ ନେଇ ୧୯୬୬ ନଭେମ୍ବର ୧୬ ତାରିଖ ଦିନ ‘ଦ ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ପିସିଆଇ)’ ସ୍ଥାପିତ ହୋଇଥିଲା । ଏଣୁ ନଭେମ୍ବର ୧୬ ତାରିଖ ଦିନ ସାରା ଭାରତରେ ସନ୍ତକ ସ୍ୱରୂପ ଜାତୀୟ ପ୍ରେସ୍‌ ଦିବସ ପାଳନ କରାଯାଏ । ବାହ୍ୟ ଚାପମୁକ୍ତ ତଥା ନିର୍ଭିକ ଓ ନିରପେକ୍ଷ ଖବର ପରିବେଷଣ କ୍ଷେତ୍ରରେ ସାମ୍ବାଦିକମାନେ ବ୍ରତୀ ହେବା ଦିଗରେ ତଥା ଦେଶରେ ପରିବେଷିତ ହେଉଥିବା ଖବରର ମାନ ତଥା ନୈତିକତା ଯାଂଚ କରିବା କାମ ପିସିଆଇ ଦ୍ୱାରା ସଂପାଦିତ ହୋଇଆସୁଛି । ଏବେ ପିସିଆଇର ଅଧ୍ୟକ୍ଷ ପଦରେ ରହିଛନ୍ତି ଜଷ୍ଟିସ୍‌ ଚନ୍ଦ୍ରମୌଳୀ କୁମାର ପ୍ରସାଦ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗଣମାଧ୍ୟମ ପ୍ରତିନିଧିମାନେ ବର୍ତ୍ତମାନ ପରିସ୍ଥିତିରେ ନାନା ପ୍ରକାର ଆକ୍ରୋଶର ଶିକାର ହେଉଥିବା ପ୍ରତ୍ୟହ ନଜରକୁ ଆସୁଛି । ଦୁର୍ନୀତିଗ୍ରସ୍ତ ଅଧିକାରୀ, ଅପରାଧୀ ଗୋଷ୍ଠୀ ତଥା ଭ୍ରଷ୍ଟାଚାରୀ ରାଜନେତାଙ୍କ ଆକ୍ରମଣରେ ଆଜି ଲହୁଲୁହାଣ ହେଉଛି ଗଣମାଧ୍ୟମ । ଏଥିରେ ଗଣମାଧ୍ୟମ ପ୍ରତିନିଧିମାନେ ନାନା ପ୍ରକାର ପ୍ରତିବନ୍ଧକର ସାମ୍ନା କରୁଥିବା ବେଳେ ପ୍ରେସ୍‌ ସ୍ୱାଧୀନତାର ଉଲ୍ଲଂଘନ ହେଉଛି । ତଥାପି ଆଜିର ଗଣମାଧ୍ୟମ ପ୍ରତିନିଧିମାନେ ନିଜର ନିଷ୍ଠା ଓ ପରାକାଷ୍ଠା ଯୋଗୁଁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ବଳବତ୍ତର କରି ରଖିଛନ୍ତି ।

Leave A Reply

Your email address will not be published.