ଶିଶୁଦିବସ ପାଳନ ସହ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ପବ୍ଲିକ୍ ସ୍କୁଲ ଓ ଲାୟନ୍ସ କ୍ଲବ ରାଉରକେଲାର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଶିଶୁଦିବସ ପାଳନ ସହ ସପ୍ତାହ ବ୍ୟାପି ଚାଲିଥିବା ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଯାପିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ରାଜକିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ପରିଚାଳନା କମିଟିର ସଂପାଦକ କରୁଣାକର ମଲ୍ଲିକଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ରା ବ୍ଳକ ଶିକ୍ଷାଧିକାରୀ ପ୍ରଜ୍ଞା ପରମିତା ଜେନା ମୁଖ୍ୟଅତିଥି, ଲାୟନ୍ସ କ୍ଲବ ରାଉରକେଲାର ସଭାପତି ଲାୟନ ଡାକ୍ତର ଜ୍ୟୋତି ସ୍ବାଇଁ ଓ ମହିଳା ସଶକ୍ତିକରଣ ସଂପାଦିକା ଲାୟନ ସୁନିତା ଶ୍ରୀନିବାସନ ସମ୍ମାନିତ ଅତିଥି ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ପଣ୍ଡିତ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଶତରୂପା ସାହୁ ସ୍ବାଗତ ସଂଗୀତ ଓ ସୁଶ୍ରୀ ଶୁଭଲକ୍ଷ୍ମୀ ରାଉତ ଓଡିଶୀ ନୃତ୍ୟ ପରିବେଷଣ ପରେ ଛାତ୍ରୀମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହାପରେ ମାର୍ଶଲଆର୍ଟ ଏବଂ ଟାଇକୋଣ୍ଡୋ ଏକ୍ସପର୍ଟ କାଜଲ ପାଣ୍ଡେ ଓ ସହଯୋଗୀ ମାମୁନ ଦାସଙ୍କ ତତ୍ବାବଧାନରେ ଆତ୍ମରକ୍ଷା କୌଶଳ ଶିଖିଥିବା ଛାତ୍ରୀମାନେ ସେମାନଙ୍କ କୌଶଳ ପ୍ରଦର୍ଶନ କରିଥିଲେ । ମୁଖ୍ୟଅତିଥି ଶ୍ରୀମତୀ ଜେନା ଏହି ଅବସରରେ କହିଲେ ଯେ, ଏହି ଆତ୍ମରକ୍ଷା କୌଶଳ ଛାତ୍ରମାନଙ୍କୁ ମାନସିକ ଭାବେ ଦୃଢ କରିବ । ଏହାସହ ସେ ଆତ୍ମବିଶ୍ବାସ ଓ ଧୈର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ରାଉତ ଆଚରଣ ଓ ଉଚ୍ଚାରଣରେ ସମନ୍ବୟ ସହ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଡାକ୍ତର ସ୍ବାଇଁ ଏହିଭଳି କାର୍ଯ୍ୟକ୍ରମ ଦ୍ବାରା ବିଶେଷ କରି ଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି କହିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ସଂପାଦକ ଶ୍ରୀ ମଲ୍ଲିକ ଅତିଥିଙ୍କ ପରିଚୟ ସହ ସ୍ବାଗତ ଭାଷଣ ଓ କାର୍ଯ୍ୟକ୍ରମ ଶେଷରେ ଷ୍ଟାଫ୍ ସଂପାଦକ ସବିତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଉପଦେଷ୍ଟା ରବିନ୍ଦ୍ର ନାରାୟଣ ପଣ୍ଡା ବକ୍ତବ୍ୟ ରଖିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ରାଉତ, ଅଜୟ କୁମାର ମହାନ୍ତି, ସଂଜୀବ କୁମାର ଦାସ, ପ୍ରମୋଦ କୁମାର ପୃଷ୍ଟି, ପ୍ରତାପ କୁମାର ବେହେରା, ସାଧନ ନାୟକ, ଦିଲ୍ଲୀପ କୁମାର ସାହୁ, ମାନସୀ ପଟ୍ଟନାୟକ ପ୍ରମୁଖଙ୍କ ସହ ଅଭିଭାବକମାନେ ଉପସ୍ଥିତ ଥିଲେ । ପୂର୍ବରୁ ଆୟୋଜନ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ତଥା ଆତ୍ମରକ୍ଷା କୌଶଳ ଶିବିରର ଯୋଗଦେଇଥିବା ଛାତ୍ରୀଙ୍କୁ ଅତିଥିମାନେ ପ୍ରମାଣପତ୍ର ଓ ପୁରସ୍କାର ବଣ୍ଟନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।

Leave A Reply

Your email address will not be published.