ଅସହାୟ ବିଧବା ବୃଦ୍ଧା ଜୁଲି ଦଣ୍ଡସେନା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ : ବାରମ୍ବାର ହତ୍ୟା ଧମକ ଦେଇ ବୃଦ୍ଧାଙ୍କ ବୋହୁ ଘରୁ ବିତାଡିତ କରିଥିବା ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବେଳାଭୂମି ସହର ଗୋପାଳପୁର ଏନଏସି ଅନ୍ତର୍ଗତ ୬ ନମ୍ବର ୱାର୍ଡ ଅଞ୍ଚଳରେ ରହୁଥିବା ଜନୈକ ବିଧବା ବୃଦ୍ଧା ଅକଥନୀୟ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସେ ରହୁଥିବା ଘରର ଆବଶ୍ୟକୀୟ କାଗଜପତ୍ର, ଘରରପଟ୍ଟା-ଡକ୍ୟୁମେଣ୍ଟସ, ରାଶନକାର୍ଡ, ରନ୍ଧନଗ୍ୟାସ କାର୍ଡ, ବଣ୍ଡ-କାଗଜପତ୍ର ଆଦି ବୃଦ୍ଧାଙ୍କ ଅନୁପସ୍ଥିତର ସୁଯୋଗ ନେଇ ଟ୍ରଙ୍କ ପେଢି ଭାଙ୍ଗି ଜବରଦସ୍ତ ଛଡାଇ ନେଇ ଯାଇଛନ୍ତି । ବୃଦ୍ଧାଙ୍କ ନାମ ଜୁଲି ଦଣ୍ଡସେନା, ବୟସ ପ୍ରାୟ ୬୨, ନିଜପୁଅ ଗୁଜୁରାଣ ମେଣ୍ଟାଇବା ପାଇଁ ବାହାର ରାଜ୍ୟକୁ କେଉଁଆଡେ ଯାଇଥିବା ବେଳେ ବୃଦ୍ଧାଙ୍କ ନିଜ ବୋହୂ ଅନ୍ୟଜଣେ ପୁରୁଷ ଲୋକ ସହ ଅନୈତିକ କାମ କରି ସେହି ଘରେ ରହିଛନ୍ତି । ବିଚରା ବିଧବା ବୃଦ୍ଧାଙ୍କୁ ଘରୁ ବାହାର କରିଦେଇଛନ୍ତି । କୌଣସି ଯୁକ୍ତି ଓ ଆପତ୍ତି କଲେ ଜୀବନରେ ମାରିଦେବା ଭଳି ବୃଦ୍ଧାଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ବିଚରା ବୃଦ୍ଧାଙ୍କୁ ଏବେ ବାର ଦ୍ୱାର ଶୁଣ୍ଢି ପିଣ୍ଢା ହୋବାକୁ ପଡିଛି । ଦୀର୍ଘଦିନର ଏଭଳି ଦୁର୍ଦ୍ଦଶା ଭୋଗୀଥିବା ଏହି ବୃଦ୍ଧା ନିଜ ଅଞ୍ଚଳର ଭଦ୍ରମଣ୍ଡଳୀଙ୍କ ସହଯୋଗ ନେଇଥିଲେ, ପରେ ନିକଟସ୍ଥ ଏନଏସି ଅଧିକାରୀ ଓ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ସେ କହିଛନ୍ତି । ଶେଷରେ ଗତ ଦୁଇଦିନ ହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ମଙ୍ଗଳବାର ଜିଲ୍ଲାପାଳଙ୍କୁ ଭେଟିଥିଲେ । ନିଜ ପାରିଶ୍ରମିକ ଖର୍ଚ୍ଚ ସହ ବ୍ୟାଙ୍କ ଋଣ ଏବଂ ସରକାରଙ୍କ ଅନୁଦାନରେ ହୋଇଥିବା ଆବାସ ଯୋଜନାରେ କରିଥିବା ଘର ଖଣ୍ଡିକ ନିଜ ବୋହୁ ଦଖଲ କରିନେଇଛି ଏବଂ ବୋହୂ ଜବତ କରିଥିବା ସମସ୍ତ ଆବଶ୍ୟକୀୟ କାଗଜପତ୍ର ତାଙ୍କୁ ଫେରାଇ ଦେବାକୁ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି । ପରିଣତ ବୟସରେ ବି ନିଜ ପେଟ ଚଳିବା ପାଇଁ ପରିଶ୍ରମ କରୁଥିବା ବୃଦ୍ଧା ଜଣକ ନିଜର ସୁରକ୍ଷା ସହ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କୁ ବିନତୀ କରିଛନ୍ତି । ଖୁବ ଶୀଘ୍ର ବୃଦ୍ଧାଙ୍କୁ ଉଚିତ ନ୍ୟାୟ ମିଳିବା ହିଁ ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.