ବାଦୀପଡା-ସଇଁନ୍ତଲା ବ୍ରିଜ ଆଉ ସମ୍ପୂର୍ଣ୍ଣ କେବେ : ଅଂଚଳବାସୀଙ୍କ ମଧ୍ୟରେ ଘନଘୋର ଅସନ୍ତୋଷ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବର୍ଷ ବର୍ଷ ବିତିଗଲାଣି, ହେଲେ ଅଧାପନ୍ତରିଆ ଭାବେ ପଡିରହିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା- ବାଦୀପଡା ଲାଂଥ ନଦୀ ବ୍ରିଜ । ସ୍ଥାନୀୟ ରାଜନେତାଙ୍କ ଅଣଦେଖା ଓ ଠିକାଦାରଙ୍କ ଅବହେଳା ଯୋଗୁଁ ଠିକ ଭାବେ କାର୍ୟ୍ୟ ସମ୍ପାଦନ ହୋଇପାରୁ ନଥିବା ଅଭିଯୋଗ ହୋଇଛି । ସୂଚନା ମତେ ଡୁଙ୍ଗୁରିପାଲି, କଅଁସର, ଘୁନସର ଭଳି ଅନେକ ପଞ୍ଚାୟତର ଲୋକେ ଏହି ବାଦୀପଡା ରାସ୍ତା ଦେଇ ନଦୀ ପାର ହୋଇ ଯା’ଆସ କରିଥାନ୍ତି । ସୂଚନାଯୋଗ୍ୟ ଯେ, ବାଦୀପଡା ନିକଟରେ ଉକ୍ତ ନଦୀ ଉପରେ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ଏକ ପୋଲ ନିର୍ମାଣ କାର୍ୟ୍ୟ ଗତ ୧୮/୦୨/୨୦୧୬ରୁ ଆରମ୍ଭ ହୋଇଥିବା ବେଳେ ଏହି ପୋଲ ନିର୍ମାଣ କାର୍ୟ୍ୟ ଗତ ୧୪/୦୫/୨୦୧୮ ମସିହାରେ ସମାପ୍ତ ହେବା କଥା । ହେଲେ ଠିକାଦାରଙ୍କ ଅବହେଳା ଯୋଗୁଁ ବ୍ରିଜ ନିର୍ମାଣ କାର୍ୟ୍ୟ ସଂପୂର୍ଣ୍ଣ ହୋଇ ପାରୁନାହିଁ, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘନଘୋର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଗତ ସୋମବାର ଦିନ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଉକ୍ତ ବ୍ରିଜର ତଦାରଖ କରିବା ପାଇଁ ଆସିଥିବା ବେଳେ ଅସନ୍ତୋଷ ଲୋକଙ୍କ ପ୍ରଶ୍ନ ବାଣରେ ଦୁଇ ମନ୍ତ୍ରୀ ଘାଇଲା ହୋଇଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ବର୍ଷ ଧରି ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ଦେଖା ଦର୍ଶନ ମିଳୁ ନଥିବା ଭଳି ଅଭିଯୋଗ ମଧ୍ୟ ଉଠାଇଥିଲେ ଲୋକେ । ତେବେ କେବେ ଏହି ବ୍ରିଜ ସମ୍ପୂର୍ଣ୍ଣ ହେବ, ତାହାକୁ ନେଇ ଅପେକ୍ଷା ରହିଛି । ଅନେକ ଥର ସ୍ଥାନୀୟ ଲୋକମାନେ ଜାତୀୟ ରାଜପଥ ଅବରୋଧ କରିବା ପରେ ପ୍ରଶାସନ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ, ହେଲେ ପ୍ରତିଶ୍ରୁତି ପାଣିର ଗାର ପାଲଟିଗଲା । ଜିଲ୍ଲା ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ଅଂଚଳବାସୀ ।

ସେମାନେ ଯାହା କହନ୍ତି-

ପୂର୍ବତନ ସରପଞ୍ଚ ମୁକୁନ୍ଦ ନାଗ
ବ୍ରିଜ ଲାଗି ଆମେ କହି କହି ଅଥା ହେଲା ଉତ୍‌ରୁ ରାଜରାସ୍ତାକେ ଉତ୍‌ରି କରି ବନେ ଥର ଆନ୍ଦୋଳନ କଲୁଁନ’ । ହେଲେ ଆମର କଥା କେ ସରକାର ନାଇଁ ଶୁନବାର୍‌ । ଏଭେ ମନ୍ତ୍ରୀ ସୁଶାନ୍ତ ସିଂ ବି ଆସିଥିଲେ । ହେଲେ ଆମର କଥା ନାଇଁ ଶୁନିକରି ରିସ୍‌ମି ହେଇ କରି ପଲେଇ ଗଲେ । ହେତିର୍‌ ଲାଗି ଆଏବାର ଦିନେ ଆନ୍ଦୋଳନ ଜୋର୍‌ଦାର୍‌ କରବାର୍‌ ସାଙ୍ଗେ ଆଏବାର ସମିଆଁ ଥି ଭୋଟ ବି ନାଇଁ ଦଉନ’ ବଲି ଆମର୍‌ ଅଞ୍ଚଲର୍‌ ଲୋକ୍‌ ଚିନ୍ତା କରିଛୁଁ ।

ଶ୍ରୀପତି ସାହୁ, ଛାତ୍ର
ବର୍ଷା ଦିନେ ଆମେ ସ୍କୁଲ୍‌ କେ ପଢ଼ି ଯାଇ ନାଇଁ ପାର୍‌ବାର୍‌ । ବ୍ରିଜ ଚାମ୍‌ କେଭେ ସର୍‌ବା ଯେ ମାହାପୁରୁ କେ ଜନା । ବର୍ଷା ଦିନେ ଡଙ୍ଗା କେ ଭର୍‌ସା କରି ପାର୍‌ ହେଇ କରି ଆମେ ପାଠ ପଢି ଯାଏସୁଁ । ଯଦି ସରକାର ଟିକେ ଇ’ ବ୍ରିଜ୍‌ କାମ୍‌ ସାର୍‌ବାର୍‌ ଲାଗି ଚିନ୍ତା କର୍‌ତେ ବଏଲେ ବନେ ହେତା ।

Leave A Reply

Your email address will not be published.