ବସ୍ତି ଅଞ୍ଚଳର ଗରୀବ ଓଡିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କୁ ଇ-ସ୍କୁଲ ସହାୟତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନା ମହାମାରୀ ଯୋଗୁଁ ସାଧାରଣ ଶିକ୍ଷା ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ବିଶେଷ ଭାବରେ ସରକାରୀ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଯେଉଁ ଛାତ୍ରଛାତ୍ରୀମାନେ ଅନ୍‌-ଲାଇନ ପାଠପଢା ସମୟରେ ଗୁରୁତ୍ୱର ସହ ପଢାପଢି କରି ନାହାନ୍ତି ବା ଯେଉଁ ଅଭିଭାବକମାନେ ସେମାନଙ୍କ ପିଲାଙ୍କ ପାଠପଢା ପ୍ରତି ଦୃଷ୍ଟି ଦେଇ ପାରି ନାହାନ୍ତି ସେଠି ପରିସ୍ଥିତି ଆହୁରି ସଙ୍ଗୀନ । କରୋନା କାଳରେ ବିନା ପରୀକ୍ଷାରେ ଛାତ୍ରଛାତ୍ରୀମାନେ ପାସ ହୋଇଥିବା ହେତୁ ଏବେ ବିଦ୍ୟାଳୟରେ ବିଚିତ୍ର ଅବସ୍ଥା ଦେଖିବାକୁ ମିଳୁଛି । ବାସ୍ତବିକ କ୍ଷେତ୍ରରେ ୭ମ ଓ ଅଷ୍ଟମ ଶ୍ରେଣୀର ପାଠ ଆସୁ ନ ଥିବା ଛାତ୍ରଛାତ୍ରୀମାନେ ଏବେ ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ବେଳେ ଏମାନଙ୍କୁ ପାଠ ବୁଝାଇବା ଶିକ୍ଷକଙ୍କ ପାଇଁ ଏବେ କଠିନ ବ୍ୟାପାର ହୋଇଛି । ଆଗକୁ ଏହି ଛାତ୍ରଛାତ୍ରୀମାନେ ସାଧାରଣ ବର୍ଷ ଭଳି ପରୀକ୍ଷାର ସମ୍ମୁଖୀନ ହେବେ । ଏପରି ସ୍ଥଳେ ଛତ୍ରପୁର ସହରର ବସ୍ତି ଅଞ୍ଚଳରେ ରହୁଥିବା ଗରିବ ଶ୍ରେଣୀର ପରିବାରର ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଇ ସ୍କୁଲ ପାଠ୍ୟକ୍ରମ ଯୋଗାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ଛତ୍ରପୁର ଷ୍ଟେସନ ରୋଡ ମେଟା ସାହି ନିକଟରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଭାଗୃହରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ସହରର ସମସ୍ତ ସ୍ୱଚ୍ଛସାଥୀଙ୍କ ସମେତ ତିନି ନମ୍ବର ୱାର୍ଡ଼ର କିଛି ଅବିଭାବକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଓକେସିଏଲର ଗଞ୍ଜାମ ଜିଲ୍ଲା ମୁଖ୍ୟ ଶ୍ରୀମତି ଏସ୍ ରେଖା ମହାନ୍ତି ଓ ଗଜପତି ଜିଲ୍ଲା ମୁଖ୍ୟ ଶ୍ରୀକାନ୍ତ ମହାନ୍ତି ମୋବାଇଲ ଫୋନ ଯୋଗେ କିପରି ଏହି ପାଠ୍ୟକ୍ରମ ପ୍ରଚଳନ ହେବ ସେ ବାବଦରେ ତାଲିମ ପ୍ରଦାନ କରିଥିଲେ । ଛତ୍ରପୁର ଏନ୍‌ଏସିର ମନୋରଞ୍ଜନ ମିଶ୍ର ଓ ଶୁଭଶ୍ରୀ ତରେଇ ଶିବିର ପରିଚାଳନା କରିଥିଲେ ।

Leave A Reply

Your email address will not be published.