ଓଡ଼ିଆ ପୁଅ ପ୍ରଶାନ୍ତଙ୍କ ପ୍ରଚେଷ୍ଟାରେ ଦୁବାଇରେ ‘ଆମର୍ ସାହିତ୍ୟ’ ୱେବ୍ ସାଇଟ୍ ଲୋକାର୍ପିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଇତି ମଧ୍ୟରେ ବିଜୟା ଦଶମୀ ଦିନ ଲୋକାର୍ପିତ ହୋଇ ଯାଇଛି ‘ଆମର୍ ସାହିତ୍ୟ’ ୱେବ୍ ସାଇଟ୍ । ଦୁବାଇରେ ରହୁଥିବା ପ୍ରଶାନ୍ତ ମେହେରଙ୍କର ପ୍ରଚେଷ୍ଟାରେ ଓ ଅନ୍ୟାନ୍ୟ ଉଦ୍ୟମୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏହି ୱେବ୍ ସାଇଟ୍ ତିଆରି ହୋଇ କବି, ଲେଖକ, ପାଠକ ଓ ପୃଷ୍ଠପୋଷକଙ୍କ ପାଇଁ ଉପଲବ୍ଧ ହୋଇଅଛି । ଅନ୍ ଲାଇନ୍ ମାଧ୍ୟମରେ ଏହାକୁ ମିଳିତ ଭାବରେ ସୁଇଚ୍ ଦବାଇ ଏହାକୁ ସଚଳ କରାଯାଇଛି । ଏଥିରେ ସର୍ବଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ, ରାଜ୍ୟ ସଭା, ସୁରେଶ ପୁଝାରି, ସାଂସଦ, ଲୋକସଭା, ପ୍ରଦୀପ ପୁରୋହିତ, ପୂର୍ବତନ ବିଧାୟକ, ପଦମ୍‌ପୁର, ଅରବିନ୍ଦ ପାଢ଼ୀ, ବରିଷ୍ଠ ଆଇ.ଏ.ଏସ୍, ପଦ୍ମଶ୍ରୀ ହଲ୍‌ଧର୍ ନାଗ୍, ବରିଷ୍ଠ ଗୀତିକାର ଦୁର୍ଗା ପଣ୍ଡା, ନାଟ୍ୟକାର କେଶ ରଞ୍ଜନ ପ୍ରଧାନ, ଅଧ୍ୟାପକ ପରମେଶ୍ୱର ମୁଣ୍ଡ, ସାହିତ୍ୟିକ ସପନ୍ ମିଶ୍ର, କବି ଅଶୋକ ପୁଝାରି, ଅଧ୍ୟ୍ୟାପକ ସୁଶାନ୍ତ ମିଶ୍ର, ଉପସ୍ଥାପିକା ସଂଗୀତା ପଣ୍ଡା ପ୍ରମୁଖଙ୍କ ଭର୍‌ଚୁଆଲ୍ ଉପସ୍ଥିତିରେ ଅଂଚଳର ତଥା ଦେଶ ଓ ଦେଶ ବାହାରର ଅନେକ କବି, ଲେଖକ, ପାଠକ ଓ ପୃଷ୍ଠପୋଷାକ ଯୋଗ ଦେଇଛନ୍ତି । ପ୍ରଥମେ ଆମର ସାହିତ୍ୟର ପ୍ରତିଷ୍ଠାତା ଓ ଆୟୋଜକ ପ୍ରଶାନ୍ତ ମେହେର ସମସ୍ତଙ୍କୁ ସ୍ୱାଗତ କରି ୱେବ୍‌ ସାଇଟ୍‌ର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ଥିଲେ । ଏହାଦ୍ୱାରା ସମସ୍ତ ସମ୍ବଲପୁରୀ/କୋଶଲୀ ଲେଖାଲେଖି ଓ ଭାଷା ଭାଷୀ ଲୋକେ ଏକତ୍ର ଭାବେ ଆମର ସାହିତ୍ୟ ପାଇ ପାରିବେ । ବକ୍ତାମାନେ ବିଭିନ୍ନ ମତ ଦେଇ ‘AamarSahitya.Com’ର ଆବଶ୍ୟକତା, ପ୍ରାସଙ୍ଗିକତା ଓ ଆଗାମୀ ଦିନରେ ଏହାର ଉପାଦେୟତା ବିଷୟରେ ଅନେକ ସୁଚିନ୍ତିତ ପ୍ରସ୍ଥାବ ଦେଇଥିଲେ । ପ୍ରଥମେ ଏହି ୱେବ୍‌ ସାଇଟ୍ ବାବଦରେ ସମସ୍ତଙ୍କୁ ସୂଚନା ଦେବା, ଏହି ଭାଷାଭାଷୀ ସମସ୍ତେ ଏହାକୁ ବ୍ୟବହାର କରି ଅନ୍ୟକୁ ଏ ବାବଦରେ ଜଣାଇବା ଏବଂ ସର୍ବୋପରି ଏଥିରେ ଆବଶ୍ୟକୀୟ ଆମ ଭାଷାର ସମସ୍ତ ସାହିତ୍ୟକୁ ସଂଗ୍ରହ କରି ରଖିବା କାର୍ଯ୍ୟ ହାତକୁ ନିଆଯାଉ ବୋଲି ମତ ପ୍ରକାଶ ପାଇଥିଲା । ଏହି ମନୋଜ୍ଞ କାର୍ଯ୍ୟକ୍ରମକୁ ଆମର ସାହିତ୍ୟର ସଦସ୍ୟ ଆରତୀ ସାହୁ ସଂଯୋଜନା କରି ଉପସ୍ଥିତ ସମସ୍ତ ଅଂଶ ଗ୍ରହଣକାରୀଙ୍କର ପରିଚୟ ଦେବା ସହ ଏହି ୱେବ୍‌ସାଇଟ୍ ତିଆରି ପଛରେ ରହିଥିବା ସମସ୍ତ ପରିଶ୍ରମ ବାବଦରେ ବର୍ଣ୍ଣନା କରିଥିଲେ । ପ୍ରାରଂଭରେ ସୁଗାୟକ ଅଜିତ ପାଣିଗ୍ରାହୀ ସମଲେଇ ବନ୍ଦନା ଓ ଶେଷରେ ‘ସମାପନ ଗୀତ’ ଗାଇଥିଲେ । ଏହି ସମୟରେ ଦୁବାଇରୁ ଚିନ୍ମୟୀ ବେହେରା ସରସ୍ୱତୀ ପୂଜା କରିଥିଲେ । ଶେଷରେ ଉମାକାନ୍ତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.