
ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟରେ ୨୦୦୭ ମସିହାରୁ ପ୍ରାୟ ୧୪ ବର୍ଷ ଧରି ପ୍ରାୟ ୧୧୫୦ ଜଣ ଆୟୁଷ ଡାକ୍ତର ପି.ଏଚ୍.ସି / ସି.ଏଚ୍.ସି. ଆଉଟଡୋରମାନଙ୍କରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରିଆସୁଛନ୍ତି । ଚାକିରିର ସ୍ଥାୟୀ ନିଯୁକ୍ତି ପାଇଁ ସରକାରଙ୍କ ଠାରେ ବାରମ୍ବାର ଦାବୀ ଉପସ୍ଥାପନ ସହ ବହୁବାର ଆନ୍ଦୋଳନ ମଧ୍ୟ କରିସାରିଛନ୍ତି । ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ କାର୍ଯ୍ୟରତ ସମସ୍ତ ପାରାମେଡିକ୍ସମାନଙ୍କୁ ରାଜ୍ୟ ସରକାର ନିୟମିତ କଲେ । ଆୟୁଷ ଡାକ୍ତରଙ୍କୁ ମଧ୍ୟ ନିୟମିତ କରିବାର ଦୃଢ ପ୍ରତିଶୃତି ଦେଇ ଶେଷରେ ନିରାଶ କଲେ । ରାଜ୍ୟ ଆୟୁଷ ଡାକ୍ତର ସଂଘ ତରଫରୁ ଏ ସଂକ୍ରାନ୍ତରେ ଭୁବନେଶ୍ୱର ଠାରେ ଗତ ୨୩ ସେପ୍ଟେମ୍ବର ଦିନ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ରାଜ୍ୟ ସଭାପତି ଡାକ୍ତର ଲୋଟସ ମିଶ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବାର ପ୍ରଚେଷ୍ଟା କରିଥିଲେ । ସରକାର ଏକ ଦ୍ୱିପାକ୍ଷିକ ଆଲୋଚନା ପାଇଁ ସଂଘକୁ ସେହି ଦିନ ଡକାଇଥିଲେ ମଧ୍ୟ ସନ୍ତୋଷଜନକ ପ୍ରତିଶୃତି ସରକାରଙ୍କ ତରଫରୁ ମିଳିନଥିବା କହି ରାଜ୍ୟ ସଭାପତି କ୍ଷୋଭ ପ୍ରକାଶ କରିଥିଲେ । ଏପରିକି ୨୦୦୭ ମସିହାରେ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ୮୦୦୦ ଥିଲା ଯାହା ଏବେ ୨୯୦୦୦ ହୋଇଛି ମାତ୍ର ସେ ସମୟର ଚୁକ୍ତିଭିତ୍ତିକ ଏମ୍.ବି.ବି.ଏସ୍ ଡାକ୍ତରଙ୍କ ଦରମା ୧୨୦୦୦ ରୁ ୭୦୦୦୦ ରେ ପହଂଚି ସାରିଛି । ସମସ୍ତ ପ୍ରକାର ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଯେପରି ମ୍ୟାଲେରିଆ, ଡେଙ୍ଗୁ, ଯକ୍ଷ୍ମା ନିୟନ୍ତ୍ରଣ, ଆଉଟ୍ଡୋର ସହ ଏମରଜେନ୍ସି ପରିଚାଳନା, ଡେଲିଭରି, ମାତୃଶିଶୁ ପୋଷଣ ଦିବସମାନଙ୍କରେ କ୍ଷେତ୍ର ପରିଦର୍ଶନ ସହ ମହାମାରୀ ସମୟରେ ରୋଗୀ । ଏ ସବୁକୁ ଦୃଷ୍ଟିରେ ରଖି ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟ ସରକାର କିଛି ଘୋଷଣା ନ କଲେ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ / ଶାସ୍ତ୍ରୀ ଜୟନ୍ତୀରୁ ରାଜ୍ୟ ବ୍ୟାପି ସଂଘ ଅସହଯୋଗ ଆନ୍ଦୋଳନକୁ ଓହ୍ଲାଇବ । ଯେଉଁଥିରେ ଆୟୁଷ ଡାକ୍ତରମାନେ କାର୍ଯ୍ୟରେ ରହି କେବଳ ଆୟୁଷ ବିଭାଗ ସଂକ୍ରାନ୍ତୀୟ କାର୍ଯ୍ୟ କରି ବାକି ସବୁରୁ ନିବୃତ୍ତ ରହି ଅନିର୍ଦ୍ଦିଷ୍ଟ କାଳ ପ୍ରତିବାଦ କରିବେ ବୋଲି ରାଜ୍ୟ ସଂଘ ତରଫରୁ ନିଷ୍ପତ୍ତି ନେବା ସହ ଏକ କାଳୀନ ଭାବେ ସମସ୍ତ ଜିଲ୍ଲା ସଦର ମହକୁମା ଠାରେ ଆଜି ଜିଲ୍ଲା ଆୟୁଷ ଡାକ୍ତର ସଂଘ ଉଭୟ ଜିଲ୍ଲାପାଳ ଏବଂ ସି.ଡି.ଏମ୍.ଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ବଲାଙ୍ଗିର ଜିଲ୍ଲା ଆୟୁଷ ଡାକ୍ତର ସଂଘ ତରଫରୁ ସଭାପତି ଡାକ୍ତର ମନୋରଂଜନ ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ପି.ଏଚ୍.ସି /ସି.ଏଚ୍.ସି.ରେ କାର୍ଯ୍ୟରତ ପ୍ରାୟ ୪୦ଜଣରୁ ଅଧିକ ଡାକ୍ତର ଉପସ୍ଥିତ ରହି ଉଭୟ ଜିଲ୍ଲାପାଳ ଏବଂ ସିଡିଏମ୍ଓଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।
