jayashree

ସଂଯୁକ୍ତ କିସାନ ମୋର୍ଚ୍ଚାର ପ୍ରସ୍ତୁତି ବୈଠକ : ଜୋରଦାର ହେବ ଅନ୍ଦୋଳନ, ବଲାଙ୍ଗିର ହେବ ସମ୍ପୂର୍ଣ୍ଣ ବନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଭାରତ ବନ୍ଦକୁ ବଲାଙ୍ଗିରରେ ସଫଳ କରିବା ପାଇଁ ସଂଯୁକ୍ତ କିସାନ ମୋର୍ଚ୍ଚା ତରଫରୁ ଆହ୍ୱାନ କରାଯାଇଛି । ସହରର ସମସ୍ତ ଛୋଟ ବଡ ସଂଗଠନ ଏହି ବନ୍ଦରେ ତାଙ୍କର ସମର୍ଥନ ପ୍ରଦାନ କରିଛନ୍ତି । ସମସ୍ତଙ୍କ ସମର୍ଥନ କ୍ରମେ ସୋମବାର ଦିନ ଜିଲ୍ଲାରେ ଅଖଚକ, ଦୋକାନ, ବଜାର, ସ୍କୁଲ କଲେଜ, ସରକାରୀ ବେସରକାରୀ ଅନୁଷ୍ଠାନ ୧୨ ଘଣ୍ଟା କାଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ତେବେ ଏହି ବନ୍ଦରେ ସମସ୍ତ ଅତ୍ୟାବଶକୀୟ ସାମଗ୍ରୀ ଓ ସେବାକୁ ବାଦ ଦିଆଯିବ ବୋଲି ଆଜି ସ୍ଥାନୀୟ ଯାଦବ ଭବନ ଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସଂଯୁକ୍ତ କିସାନ ମୋର୍ଚ୍ଚା ତରଫରୁ କୁହାଯାଇଛି । ତିନି କଳା କୃଷି ଆଇନକୁ ଗତ ୯ ମାସ ହେଲା ଚାଷୀକୁଳ ତୀବ୍ର ବିରୋଧ କରିବା ସହ ଏହାକୁ ଫେରାଇ ନେବା ପାଇଁ ଆନ୍ଦୋଳନ ଜାରି ରଖିଛି । କେନ୍ଦ୍ରୀୟ କିସାନ ସଂଗଠନ ଏହାର ବିରୋଧରେ ଆସନ୍ତା ୨୭ରେ ଭାରତ ବନ୍ଦର ଡାକରା ଦେଇଛି । ବଲାଙ୍ଗିର ଜିଲ୍ଲାରେ ଏହି ବନ୍ଦକୁ ଜୋରଦାର ଭାବେ ପାଳନ କରିବାକୁ ସଂଯୁକ୍ତ କିସାନ ମୋର୍ଚ୍ଚା ଅଣ୍ଟା ଭିଡିଛି । ଜିଲ୍ଲା ବଣିକ ସଂଘ, ବସ ମାଲିକ ସଂଘ, ଟ୍ରକ ମାଲିକ ସଂଘ, ୟୁଟ୍ୟୁବ, ଏଆଇଟିୟୁସି, ଏନଆଇଟିୟୁସି, ଷ୍ଟେଟ ବ୍ୟାଙ୍କ, ୟୁଜିବି କର୍ମଚାରୀ ସଂଘ ଭଳି ପ୍ରମୁଖ ସଂଗଠନ ସମେତ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, ମାହେଶ୍ୱରୀ ସଂଗଠନ, ଅଟୋ ୟୁନିଅନ ସମେତ ଅନେକ ଛୋଟ ବଡ ସଂଗଠନ ଏହି ବନ୍ଦଙ୍କୁ ତାଙ୍କର ସମର୍ଥନ ଜଣାଇଛନ୍ତି । ଆସନ୍ତାକାଲି ସହରର ବିଭିନ୍ନ ସ୍ଥାନରେ ପଥ ପ୍ରାନ୍ତ ସଭା କରାଯାଇ ଜନସାଧାରଣଙ୍କ ସମର୍ଥନ ଲୋଡାଯିବ । ସେହିପରି ଜିଲ୍ଲାର ସମସ୍ତ ୧୪ ଗୋଟି ବ୍ଲକରେ ମଧ୍ୟ ବିଭିନ୍ନ ସଂଗଠନକୁ ବନ୍ଦକୁ ସମର୍ଥନ ଜଣାଇବା ପାଇଁ ଅନୁରୋଧ କରାଯାଇଛି । ତେବେ ସମସ୍ତଙ୍କ ସମର୍ଥନ କ୍ରମେ ଜିଲ୍ଲାକୁ ୧୨ଘଣ୍ଟା ପାଇଁ ସଂପୁର୍ଣ୍ଣ ବନ୍ଦ କରାଯିବ ବୋଲି ସଂଯୁକ୍ତ ମୋର୍ଚ୍ଚା ସୂଚନା ଦେଇଛି । ଆଜିର ଏହି ପ୍ରସ୍ତୁତି ବୈଠକରେ ଚାଷୀ ନେତା ଅରୁଣ ମିଶ, ଜତି ପ୍ରଧାନ, ଆକାଶ ମିଶ୍ର ବିଭୁଦତ୍ତ ମିଶ୍ର, କୃଷ୍ଣ ସାହୁ, ମନୋଜ ମହାନ୍ତି, ବିଧୁଭୂଷଣ ତ୍ରିପାଠୀ, ବିବେକା ନନ୍ଦ ପଟେଲ, ସୋମନାଥ ମିଶ୍ର, ଅଂକୁଶ ପାଣ୍ଡିଆ, ମନୋଜ ଗୁରୁ ପ୍ରମୁଖ ଉପସ୍ଥିତ ରହି ସମର୍ଥନ ଜଣାଇଥିଲେ ।

Leave A Reply

Your email address will not be published.