କୋଦଳା ହତ୍ୟାକାଣ୍ଡରେ ତିନିଜଣ ଅଟକ : ଗଞ୍ଜାମ ପୋଲିସ ମୁଖ୍ୟାଳୟ ଛତ୍ରପୁରରୁ ବରିଷ୍ଠ ପୋଲିସ ପ୍ରଶାସନିକ ଅଧିକାରୀଙ୍କ ସହ ତଦନ୍ତଜାରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କୋଦଳା ଥାନା, କୋଦଳା ସହରରେ(ଏନଏସି) ଖଦାଳ ସାହିରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ଓ ଏଥିରେ ଜଣେ ଗୁରୁତର ହୋଇଛନ୍ତି । କୋଦଳା ସହର ଡାକବଙ୍ଗଳା ନିକଟରେ, ଏଭିଳି ଏକ ଅଦ୍ଭାବନୀୟ ଅଶାନ୍ତ ପରିବେଶ ଦେଖିବାକୁ ମିଳିଥିଲା । ପୋଲିସର ଉପସ୍ଥିତିରେ ଉତ୍ୟକ୍ତ ଲୋକେ ହତ୍ୟାକାରୀଙ୍କ ଘର ଜାଳିଦେବା ସହିତ ରାସ୍ତା ଅବରୋଧ କରିଥିବା ବେଳେ ସ୍ଥାନୀୟ ଜଣେ ପୂର୍ବତନ ନଗରପାଳ ଓ ପୋଲିସ ପ୍ରଶାସନ ଉପସ୍ଥିତିରେ ଲୋକଙ୍କୁ ବୁଝାସୁଝା କରାଯାଇ ରାସ୍ତାରୋକ ହଟା ଯାଇଥିଲା । ଏମିତି ଘଟଣା କିଛିବର୍ଷର ବ୍ୟବଧାନ ପରେ କୋଦଳା ସହରରେ ପୁଣି ଅଶାନ୍ତ ହୋଇପଡିଥିବା କୁହାଯାଏ । ତେବେ ଏଭଳି ନିର୍ମମ ଭାବେ ହତ୍ୟାକାଣ୍ଡ ଘଟାଇଥିବା ଆସାମୀ ଗିରଫ ହୋଇନଥିବା ଜଣାଯାଇଛି । ଆଜି ସନ୍ଧ୍ୟାସୁଦ୍ଧା ତିନିଜଣଙ୍କୁ ଥାନାରେ ଅଟକ ରଖାଯାଇଛି । ଘଟଣାସ୍ଥଳରେ ମୃତ କାଳୁ ଦାସ(୪୨) ଏବଂ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜୀବିତ ସାଗର ଦାସ (୨୫)ଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ବ୍ରହ୍ମପୁର ବଡ଼ମେଡ଼ିକାଲରେ ସାଗର ଦାସଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ବୋଲି କୁହାଯାଉଛି । ପ୍ରକାଶ ଥାଉକି, ଆଜି ସକାଳ ସମୟ ପ୍ରାୟ ୭ ଘଣ୍ଟା ୪୫ ବୋଧେ କାଳୁ ମଟନ୍ ଦୋକାନରୁ ଫେରିବା ବେଳେ କିଛି ଦୁର୍ବୃତ୍ତ ଅବା ତାଙ୍କ ଶତ୍ରୁତା ସମ୍ପନ୍ନ ଲୋକ ବିଚ୍ ରାସ୍ତାରେ ଛକି ବସିଥିଲେ, ସେମାନେ ଧାରୂଆ ଖଣ୍ଡାରେ ଓ ଲୁହା ରଡ଼ ସାହାଯ୍ୟରେ ତାଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଫଳରେ ଘଟଣାସ୍ଥଳରେ ହିଁ କାଳୁଙ୍କ ମୃତ୍ୟୁ ଘଟିଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଯୁବକ ସାଗର ଦାସ ଗୁରୁତର ଆହତ ହୋଇଥିବା କୁହାଯାଏ । ଯାହାକି ଏହା ପୂର୍ବ ଶତ୍ରୁତାକୁ ନେଇ ଘଟଣା ଘଟିଥିବା ଜଣାଯାଇଛି ।
ଆକ୍ରମଣର ଶିକାର ହୋଇଥିବା ଯୁବକ ସାଗରକୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ପଠାଯାଇଛି ବୋଲି କୋଦଳା ଥାନା କର୍ତ୍ତୃପକ୍ଷ ଜଣାଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପ୍ରବଣ ଥିଲା ବେଳେ ଗଞ୍ଜାମ ପୋଲିସ ମୁଖ୍ୟାଳୟରୁ ଅତିରିକ୍ତ ଜିଲ୍ଲା ଅଧୀକ୍ଷକ ରମେଶଚନ୍ଦ୍ର ସେଠୀ, ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ସାଇଣ୍ଟିଫିକ ଟିମ୍ ପ୍ରମୁଖ ପହଞ୍ଚିଥିଲେ । ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ଫେରାଇବା ନିମନ୍ତେ ପ୍ରୟାସ ଜାରୀ ରହିଛି ।

Leave A Reply

Your email address will not be published.