ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ପ୍ରତିବର୍ଷ ଚାଷୀ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସଦ୍ୟ ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଡେଲାଙ୍ଗ ଅଞ୍ଚଳର ଚାଷଜମି ଜଳାର୍ଣ୍ଣବ ଓ ବର୍ଷାଜଳ ନିଷ୍କାସନ ହୋଇନପାରି ହଜାର ହଜାର ଏକର ଚାଷଜମି ଜଳବନ୍ଦୀ ଅବସ୍ଥାରେ ଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଡେଲାଙ୍ଗ-କଣାସ ମୁଖ୍ୟ ରାସ୍ତାର ଲୁଣା ନଦୀକୁ ସଂଯୋଗ କରୁଥିବା ମୁନିନ୍ଦା ଖଲାସି ନାଳ ମୁହାଁଣରେ କଲିକତି ଦଳ, ବେଣାବୁଦା, ଅମରି ଜାମ କରିବା ସହ ପ୍ରାୟ ଏକ କିଲୋମିଟର ବ୍ୟାପି ଜମି ରହିବା ଫଳରେ ବର୍ଷାଜଳ ନିଷ୍କାସନ ହୋଇନ ପାରି ସାଉରିଆ, ଘନିପୁର, କଲ୍ୟାଣପୁର, ଡେଲାଙ୍ଗ-କୋଠବାଡ, ମୁନିନ୍ଦା, ଧାନକେରା ଆଦି ପଞ୍ଚାୟତର ହଜାର ହଜାର ଏକର ଚାଷଜମି ଜଳାର୍ଣ୍ଣବ ହୋଇପଡିଛି । ଏହି କଲିକତି ଦଳକୁ ସଫା କରିବାରେ ସ୍ଥାନୀୟ ପ୍ରଶାସନ ଓ ଡ୍ରେନଜ୍‌ ବିଭାଗର ଅବହେଳା, ଆନ୍ତରିକତା ଅଭାବ ହେତୁ ପ୍ରତିବର୍ଷ ଚାଷୀକୁଳ ମେରୁଦଣ୍ଡ ଭାଙ୍ଗି ଦେଉଛି । ଏବେ ସୁଧା ଚାଷଜମିରେ ୩ ଫୁଟ ଉଚ୍ଚରେ ବର୍ଷା ଜଳ ଜମି ରହିବାରୁ ଚଳିତ ବର୍ଷ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ସୂଚନା ମିଳିଛି । କଲିକତି ଦଳ ଚାଷୀଙ୍କ କାଳ ହୋଇଛି । ବର୍ଷାଜଳ ନିଷ୍କାସନ କରିବାକୁ ହେଲେ ପ୍ରଥମେ କଲିକତି ଦଳ, ବେଣାବୁଦା, ଅମରିକୁ ସଫା କରାଗଲେ ଡେଲାଙ୍ଗର ବ୍ୟାପକ ଚାଷଜମି ଜଳବନ୍ଦିରୁ ମୁକ୍ତି ପାଇବ ବୋଲି ମତ ପ୍ରକାଶ ପାଉଛି । ପୂର୍ବରୁ ଏ ସର୍ମ୍ପକରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ସୁଫଳ ହେଉନାହିଁ ବୋଲି ଅଭିଯୋଗ ହେଉଛି । ଚାଷୀକୁଳର ସୁରକ୍ଷା ଓ ସେମାନଙ୍କର ଜୀବନଜୀବିକା ବିକାଶ ଧାରର ଉନ୍ନତି ନିମନ୍ତେ, ତୁରନ୍ତ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀଙ୍କ ପକ୍ଷ୍ୟରୁ ଯୁବ ସମାଜସେବୀ ଦିଲ୍ଲିପ କୁମାର ଧାଉଡିଆ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.