କରୋନା କଟକଣାକୁ କୋହଳ କଲେ ରାଜ୍ୟ ସରକାର : ସେପ୍ଟେମ୍ବର ମାସ ପାଇଁ ଆସିଲା ନୂଆ ଗାଇଡଲାଇନ୍‌

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ମାସ ପାଇଁ କରୋନା କଟକଣାକୁ କୋହଳ କରିବା ସହ ଆଜି ନୂଆ ଗାଇଡଲାଇନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଏହି ନୂଆ ଗାଇଡଲାଇନ ଅନୁସାରେ ସେପ୍ଟେମ୍ବର ୧ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବାକୁ ଥିବା ବେଳେ ନାଇଟ୍ କର୍ଫ୍ୟୁରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ହୋଇଛି । ପୂର୍ବରୁ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଅବଧି ଆରମ୍ଭ ହେଉଥିଲା । ତେବେ ତାହା ପରିବର୍ତ୍ତନ ହୋଇ ରାତି ୧୦ଟାକୁ ଘୁଞ୍ଚାଇ ଦେଇଛନ୍ତି ରାଜ୍ୟ ସରକାର । ସୂଚନା ଅନୁସାରେ ପୌରାଞ୍ଚଳମାନଙ୍କରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟାଯାଏଁ ବଳବତ୍ତର ରହିବ । ସକାଳ ୫ରୁ ରାତି ୧୦ ଭିତରେ ସମସ୍ତ ଶିଳ୍ପାନୁଷ୍ଠାନ, ଦୋକାନ ବଜାର ଖୋଲା ରହିବ । ଧାର୍ମିକ, ରାଜେନୈତିକ ଓ ସାମାଜିକ ସମାବେଶ ଉପରେ କଟକଣା ପୂର୍ବ ଭଳି ଲାଗୁ ରହିବ । ପ୍ରଦର୍ଶନୀ, ବାଣିଜ୍ୟିକ ମହୋତ୍ସବ ବାରଣ କରାଯାଇଛି । ସମସ୍ତ ପ୍ରେକ୍ଷାଳୟ ଓ ସମ୍ମିଳନୀ କକ୍ଷରେ କୋଭିଡ ଗାଇଡଲାଇନ୍ ଜାରି ରହିବ । ବାହାଘର, ବ୍ରତଘର ଓ ଶେଷକୃତ ଆଦି କ୍ଷେତ୍ରରେ ୨୫୦ ଜଣ ଲୋକଙ୍କୁ ନେଇ ସରକାରଙ୍କ ପ୍ରତି ଜାରି ହୋଇଥିବା ଗାଇଡଲାଇନକୁ ମାନି କାର୍ଯ୍ୟ କରିପାରିବେ । ବିବାହ ଶୋଭାଯାତ୍ରା ୫୦ରୁ ଅଧିକ ଲୋକେ ସାମିଲ ହୋଇପାରିବେ ନାହିଁ । ଏହା ସହିତ ରାଜ୍ୟର ସମସ୍ତ ସୂଚନା କେନ୍ଦ୍ର, ପାଠାଗାର ଆଦି ଖୋଲା ରହିବାକୁ ଥିବା ବେଳେ ସେଠାକାର ଦାୟିତ୍ୱରେ ଥିବା ଲୋକେ କୋଭିଡ କଟକଣା ପାଳନ ପ୍ରତି ଧ୍ୟାନ ଦେବେ । ସେହିପରି ଫିଲ୍ମ ହଲ୍, ଅଡିଟୋରିୟମ୍ ଖୋଲା ରହିବାକୁ ଥିବା ବେଳେ ହଲ୍‌ରେ ଯେତିକି ସିଟ୍‌ ଥିବ ସେତିକି ଲୋକ ହଲ୍‌ରେ ବସିପାରିବେ । ସିନେମା ହଲ୍‌ରେ କୋଭିଡ ନିୟମ ଲୋକମାନେ ମାନୁଛନ୍ତି କି ନାହିଁ ତାହାର ଦାୟିତ୍ୱ ସିନେମା ହଲ୍‌ର ମାଲିକ ବୁଝିବେ । ଅଗଷ୍ଟ ୯ ଆଦେଶ ଅନୁସାରେ ସେପ୍‌ଟେମ୍ବର ମାସର ପାର୍ବଣମାନ ଚାଲିବ ।

Leave A Reply

Your email address will not be published.