ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ଠାରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ପାଣ୍ଠିରୁ ନିର୍ମିତ ହୋଇଥିବା ମହିଳା ମହାସଂଘର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ସଦସ୍ୟା ସୁଜାତା ଦିଗାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ କାର୍ଯ୍ୟାଳୟ ଉଦଘାଟିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ୧୨୦ ଏସ୍ଏଚ୍ଜି ମହିଳା ସଂଘର ସଭ୍ୟା ଓ କର୍ମକର୍ତ୍ତା ଯୋଗଦେଇ ମୁଖ୍ୟମନ୍ତ୍ରୀକୁ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟାଳୟ ନିର୍ମାଣ ହେବା ଫଳରେ ଗ୍ରାମରେ ଥିବା ମହିଳାମାନେ ଆର୍ଥିକ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ଜିଲ୍ଲା ପରିଷଦ ସଦସ୍ୟା ସୁଜାତା ଦିଗାଲ ମତ ପ୍ରକାଶ କରିଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ବାରଖମା ପଞ୍ଚାୟତ ସରପଞ୍ଚ କୁନାଲ ପ୍ରଧାନ, ଅବସରପ୍ରାପ୍ତ ସେନା ଅଧିକାରୀ ତଥା ବିଶିଷ୍ଟ ସମାଜସେବୀ ରାଜେନ୍ଦ୍ର ଦିଗାଲ, ପୂର୍ବତନ ନାଏବ ସରପଞ୍ଚ ସଂଜୀବ ଦିଗାଲ, ଶିଖାରାଣୀ ଦିଗାଲ ପ୍ରମୁଖ ଉପସ୍ଥିତ ରହିଥିଲେ ।