ଗୁରୁତର ଅଭିଯୋଗ : ଜାତୀୟ ପତାକାକୁ ଅବମାନନା ଅଭିଯୋଗ ଆଣିବାରୁ ପିଟିଲେ ସାର୍

ଲୋଇସିଂହା, (କେପିଏନ୍‌ଏସ୍‌) : ପତାକା ପାଇଁ ପାହାର । ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଘୁଙ୍ଗି ଗାଁରେ । ଅଭିଯୋଗ ଅନୁସାରେ ରବିବାର ଘୁଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । କିନ୍ତୁ ସନ୍ଧ୍ୟାରେ ଆଉ ସ୍କୁଲର ଜାତୀୟ ପତାକାକୁ ଓହ୍ଲାଇ ନଥିଲେ ସ୍କୁଲ କର୍ତ୍ତୃପକ୍ଷ । ଆଜି ସକାଳୁ ଏହା ଦେଖିବା ପରେ ଗାଁର ବାସିନ୍ଦା ଡୋଳାମଣି ଭୋଇ ପ୍ରଧାନ ଶିକ୍ଷକ କୁଞ୍ଜବିହାରୀ ସାହୁଙ୍କ ନିକଟକୁ ଯାଇ ଜାତୀୟ ପତାକାକୁ କାହିଁକି ଅସମ୍ମାନ କରୁଛ ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ ହଠାତ ପ୍ରଧାନ ଶିକ୍ଷକ ଓଲଟା ରାଗି ଯାଇ ଡୋଳାମଣିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଡୋଳାମଣି । ଡୋଳାମଣିଙ୍କ ମୁହଁ ଏବଂ ଗୋଡରେ ଆଘାତ ଲାଗିଛି । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ଦାଖଲ ହୋଇନାହିଁ । ସେପଟେ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ପ୍ରଧାନ ଶିକ୍ଷକ । ଜାତୀୟ ପାତାକା ଆଜି ପର୍ଯ୍ୟନ୍ତ ଉଡୁନଥିଲା କି ଡୋଳାମଣିଙ୍କୁ ସେ ମାଡ଼ ମାରିନାହନ୍ତି ବୋଲି କହିଛନ୍ତି । ସେପଟେ ଜାତୀୟ ପତାକାକୁ ଅସମ୍ମାନ ଏବଂ ପ୍ରତିବାଦ କରିବାରୁ ଯୁବକଙ୍କ ମାଡ଼ ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.