ଅବସରପ୍ରାପ୍ତ ଲୋକ ସମ୍ପର୍କ ଓ ସୂଚନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାଧୀନତା ଦିବସ ପାଳନ ଅବସରରେ ପଦ୍ମପୁର ଉପଖଣ୍ଡ ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ୨୦୧୦ରେ ଶ୍ରୀ ପାଣିଗ୍ରାହୀ ପଦ୍ମପୁର ଉପଖଣ୍ଡର ଲୋକ ସମ୍ପର୍କ ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟରେ ପଦ୍ମପୁର ଚାକିରୀ କାଳରେ ସରକାରୀ କାର୍ଯ୍ୟକ୍ରମ ସହିତ ସହରର ବିଭିନ୍ନ ସାମାଜିକ, ସାଂସ୍କୃତିକ ତଥା ସାହିତ୍ୟି ସଂଗଠନ ସହିତ ଯୋଡି ହୋଇଯାଇଥିଲେ । ଏଥି ସହିତ ସେ ଉପଖଣ୍ଡ ସ୍ୱଳ୍ପ ସଂଚୟ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇ ଆସି ଥିଲେ । ତାଙ୍କରି ପ୍ରୟାସରେ ସାଧାରଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସ ସହରରେ ଦୁଇଟି ମୁଖ୍ୟ ଉତ୍ସବର ରୂପ ଧାରଣ କରିଥିଲା । ନିଜସ୍ୱ ଦକ୍ଷତା ତଥା ଅମାୟିକ ସ୍ୱଭାବ ଯୋଗୁଁ ସେ ସର୍ବତ୍ର ପରିଚିତ ଥିଲେ । ତେବେ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ମଞ୍ଚରେ, କୋଭିଡ କଟକଣା ଭିତରେ ଶ୍ରୀ ପାଣିଗ୍ରାହୀଙ୍କୁ ପଦ୍ମପୁରର ଉପ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ଏକ ନିରାଡ଼ମ୍ବର ତଥା ସୀମିତ ଉପସ୍ଥିତି ଭିତରେ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମକୁ ଅଶୋକ ବହିଦାର ସଂଯୋଜନା କରିଥିବା ବେଳେ ସୌମ୍ୟକ ପଟ୍ଟନାୟକ, ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ସହକାରୀ ଉପ ଜିଲ୍ଲାପାଳ ସୁଶ୍ରୀ ଦୀପ୍ତିମୟୀ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ କାର ଆସୋସିଏସନ୍‌ର ସଭାପତି ଗୌନ୍ତିଆ ସାହୁ, ସମାଜସେବୀ ନିରୋଜ ଦୋରା, ହୁଦୟାନନ୍ଦ ଦାନୀ, ସୁରେନ୍ଦ୍ର ସାହୁ, ରମେଶ ଗୁର୍ଲାଙ୍କ ସମେତ ଅନେକ ସରକାରୀ ପଦାଧିକାରୀ, ପୋଲିସ କର୍ମଚାରୀ, ଗଣ ମାଧ୍ୟମ ପ୍ରତିନିଧି ତଥା ମାନ୍ୟଗଣ୍ୟ ବ୍ୟକ୍ତିଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.