ଆମ୍ବୁଲାନ୍ସରେ ଶବ ନେଇ ଆସୁଥିବା ବେଳେ ଟ୍ରଲର ଧକ୍କାରେ ଶବ ହୋଇଗଲେ

  • ଅନ୍ୟ ଜଣେ ଗୁରୁତର, କପିଲାଭଟା ଗାଁରେ ଶୋକାକୁଳ ପରିବେଶ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାୟଗଡା ଜିଲ୍ଲା ବିଷମକଟକର ଏକ ଘରୋଇ ହସପିଟାଲରୁ ଜଣେ ସମ୍ପର୍କୀୟଙ୍କ ଶବକୁ ନେଇ ଆମ୍ବୁଲାନ୍ସ ଯୋଗେ ଘରକୁ ଫେରୁଥିବା ବେଲେ ମୁନିଗୁଡା ବ୍ଲକ ତଥା ଅମ୍ବାଦଳା ଥାନା ମଞ୍ଜୁରକୁପା ଗାଁ ନିକଟରେ ଏକ ଟ୍ରଲର ଧକ୍କା ଦେବାରୁ ଗତକାଲି ୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଗୁରୁତର ଆହତ ହୋଇଥିବା ଯୁବକ ମଧ୍ୟ ମୃତ୍ୟୁ ବରଣ କରିଥିବା ନେଇ ସୁଚନା ମିଳିଛି । ବର୍ତ୍ତମାନ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ମୃତକ ମାନେ ହେଲେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁର ଭକ୍ତି ହଂସ(୧୯), ସୁଶାନ୍ତ ବିଶି (୪୭) ଓ ଆମ୍ବୁଲାନ୍ସ ଡ୍ରାଇଭର ଅଭୟ କୁଶୁଲିଆ (୪୫) । ସେମାନେ ଗତକାଲି ସନ୍ଧ୍ୟା ସୁଦ୍ଧା ମୃତ୍ୟୁ ବରଣ କରିଥିଲେ । ଗୁରୁତର ଆହତ ହୋଇଥିଲେ ନୂଆପଡା ଜିଲ୍ଲା ଖଡିଆଳ ଥାନା ଭୂଲିଆସିକୁଆଁ ଗାଁର ଲକ୍ଷ୍ଣଣ କରୁଆଁ (୩୫) ଓ ଜିତେନ୍ଦ୍ର ଭୋଇ (୩୨) ଏହି ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ବିଳମ୍ବିତ ରାତ୍ରିରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମଣ କରୁଆଁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ଅମ୍ବାଦୋଲା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ପୁଲିସ କହିିଛି । ସୂଚନା ମତେ, ବଙ୍ଗୋମୁଣ୍ଡା ଥାନା କପିଲାଭଟା ଗାଁର ହଣା(୫୫)ଙ୍କ କୀଡନି ଜନିତ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ରାୟଗଡା ଜିଲ୍ଲାର ବିଷମକଟକ ଠାରେ ଥିବା ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହେବାରୁ ତାଙ୍କ ମଝିଆ ପୁଅ ଭକ୍ତି ହଂସ, ପଡୋଶୀ ଘରର ସୁଶାନ୍ତ ବିଶି, ଅଭୟ କୁଶଲିଆ(ଆମ୍ବୁଲାନ୍ସ ଡ୍ରାଇଭର), ଲକ୍ଷ୍ମଣ କରୁଆଁ ଓ ଜିତେନ୍ଦ୍ର ଭୋଇ ଏକ ଆମ୍ବୁଲାନ୍ସ (ଓଡି ୨୪ ଡି ୦୦୫୧)ରେ ଶବ ନେଇ ଘର ଅଭିମୁଖେ ବାହାରିଥିଲେ । ତେବେ ଅମ୍ବାଦୋଲା ଥାନା ମଞ୍ଜୁରକୁପା ଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର ଆମ୍ବୁଲାନ୍ସ ଉପରେ ମାଡି ଯାଇଥିଲା । ଦୃତ ଗତିରେ ଆସି ଟ୍ରଲରଟି ମାଡି ଯିବାରୁ ଆମ୍ବୁଲାନ୍ସଟି ୩୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଯାଇଥିଲା । ଏହାପରେ ଉଭୟ ଟ୍ରଲର ଓ ଆମ୍ବୁଲାନ୍ସ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲେ । ଆଜି ସକାଳେ ଭକ୍ତି ହଂସ, ସୁଶାନ୍ତ ବିଶି, ଆମ୍ବୁଲାନ୍ସ ଡ୍ରାଇଭର ଅଭୟ କୁଶଲିଆଙ୍କ ମୃତଦେହକୁ ମୁନିଗୁଡା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ଲକ୍ଷ୍ମଣ କରୁଆଁଙ୍କ ମୃତଦେହକୁ ରାୟଗଡା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକ ମାନଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ଖବର ପାଇ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣୀ ସୁନାନୀ, କପିଲାଭଟା ସରପଂଚ ଗଜିନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ମୃତକଙ୍କ ପରିବାରକୁ ୨ ହଜାର ଟଙ୍କା ଲେଖାଏଁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା କରାଯାଇଛି ଓ ଆଗାମୀ ଦିନରେ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ପରେ ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ, ସାଂସଦଙ୍କ ଆରଡବଲୁଏସ୍‌ଏସ୍‌ର ପ୍ରତିନିଧି ନରସିଂହ ଥନାପତି, ବଙ୍ଗୋମୁଣ୍ଡା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି କୁଷଧ୍ୱଜ ବେହେରାଙ୍କ ସହ ବହୁ ଶୁଭେଚ୍ଛୁ ଆତ୍ମୀୟ ସ୍ୱଜନ ମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ଗାଁରେ ଶବ ପହଂଚିବା ପରେ ଶୋକାକୁଳ ପରିବେଶ ଦେଖା ଦେଇଥିଲା । କପିଲାଭଟା ଗାଁରେ ଗୋଟିଏ ପ୍ରକାର ସ୍ତବ୍ଧ ହୋଇଯାଇଥିବା ଦେଖିବାକୁ ମିଲିଛି । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଂଚଳରେ ଶୋର ଛାୟା ଖେଲି ଯାଇଛି । ଗାଁର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି ।

Leave A Reply

Your email address will not be published.