- କବି ଗୀତିକାର ଜ୍ୟୋତି ରଞ୍ଜନ ମିଶ୍ରଙ୍କ ଭଜନ ସଂକଳନ ‘ଗୀତ ମୁକୁତା ‘ ଲୋକାର୍ପିତ
ବଲାଙ୍ଗିର, (କେପିଏନ୍ଏସ୍) : ସାଂପ୍ରତିକ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ମଣିଷ ନିଜ ଭିତରେ ହଜି ଯାଉଛି । ଏକ ବ୍ୟକ୍ତି କୈନ୍ଦ୍ରିକ ଜୀବନ ମଣିଷର ସାମାଜିକତାକୁ ନଷ୍ଟ କରିଦେଉଛି । ଜଗତ ଓ ଜୀବନକୁ ବୁଝିବା ପାଇଁ ମଣିଷକୁ ସମୂହର ଚେତନା ଭିତରେ ପ୍ରବେଶ କରିବା ଦରକାର । ନିଜକୁ ଭୁଲି ସମୂହ ଚେତନାରେ ପହଞ୍ଚିବା ପାଇଁ ଦରକାର ଆଧ୍ୟାତ୍ମବୋଧ । ସେଇ ଆଧ୍ୟାତ୍ମିକ ବିଚାର ଓ ଭାବର ତଲ୍ଲିନତା ମିଳିପାରିବ ଭଜନ, ଜଣାଣ ଓ ବିଭୁ ଭକ୍ତିର ନିବେଦନରେ ।ଦୁଶ୍ଚିନ୍ତା, ଦୁସ୍ଥିତି ଓ ଅବଚେତନ ମନର ସ୍ଥିରତା ପାଇଁ ଭକ୍ତି ଭାବର ସାହିତ୍ୟ ପଠନ ଜରୁରୀ ହୋଇ ପଡିଛି ଆଜିର ସମୟରେ । ଏହି ମର୍ମରେ ପ୍ରକାଶ ପାଇଛି କବି ଗୀତିକାର ଜ୍ୟୋତି ରଞ୍ଜନ ମିଶ୍ରଙ୍କ ଭକ୍ତି ଭାବର ଅନନ୍ୟ ଉପଲବ୍ଧିର ଭଜନ ସଂକଳନ ‘ଗୀତ ମୁକୁତା’ର ଲୋକାର୍ପଣ ସମାରୋହ ଅବସରରେ । ସ୍ରୋତସ୍ୱତୀ ପ୍ରକାଶନୀ ଦ୍ୱାରା ପ୍ରକାଶିତ ଏହି ଭଜନ ସଂକଳନର ଲୋକାର୍ପଣ ସମାରୋହରେ ଅଧ୍ୟକ୍ଷତା କରିଥିଲେ ପ୍ରକାଶନୀ ସଂସ୍ଥା ତରଫରୁ ସନ୍ଦୀପ କୁମାର କୁଅଁର । ମୁଖ୍ୟ ଅତିଥି ଭାବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସମ୍ମାନିତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟା ଡାକ୍ତର ଜ୍ୟୋତିର୍ମୟୀ ସାହୁ ଓ ସମୀକ୍ଷକ ଭାବରେ ଅଧ୍ୟାପକ କୌତୁକ ପନ୍ଦର ଓ କବି ଜ୍ୟୋତିରଞ୍ଜନ ମିଶ୍ର ମଂଚାସୀନ ହୋଇଥିଲେ । ଅତିଥିମାନେ ଆଜିର ନୀରସ ଜୀବନକୁ ସରସ କରିବାରେ ସଂଗୀତ ବିଶେଷ କରି ଭକ୍ତି ସଂଗୀତର ଆବଶ୍ୟକତା ରହିଛି ଓ ଏହାରି ମାଧ୍ୟମରେ ଅଂଚଳର ଦେବାଦେବୀଙ୍କୁ ମଧ୍ୟ ଲୋକ ଜୀବନର ଧାରା ସହ ଶିଷ୍ଟ ଜୀବନବୋଧକୁ ଯୋଡି ଦିଆଯିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ସ୍ଥାନୀୟ ଅମଲା ଭବନଠାରେ ଆୟୋଜିତ ଏହି ସମାରୋହ ଆରମ୍ଭରେ ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କବି ରତ୍ନମୟ ତ୍ରିପାଠୀ ।