ଦଳିତ ମାନଙ୍କ ଉପରେ ବାରମ୍ବାର ଆକ୍ରମଣର ପ୍ରତିବାଦ ନେଇ ଭାଜପା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜେଡି ନେତା ଓ କର୍ମୀ ମାନଙ୍କ ଦ୍ୱାରା ଦଳିତ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ, ପୋଲିସ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଏବଂ ବାବା ସାହେବ ଡ଼ଃ.ଆମ୍ବେଦକରଙ୍କ ଫୋଟୋ ଫୋପାଡ଼ିବା ଭଳି ଅସମ୍ମାନକୁ ରାଜ୍ୟ ଭାଜପା ଅନୁସୂଚିତ ମୋର୍ଚ୍ଚା ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏହାର ପ୍ରତିବାଦରେ ଗୁରୁବାର ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରକାଶ ଥାଉକି, କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅଧିନ ବାଳକାଟି ପଞ୍ଚାୟତରେ ନରେଗା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋପାଇଖାନା, ଗ୍ରାମ୍ୟ ଉନ୍ନୟନଯୋଜନାରେ ଆସିଥିବା ରାସ୍ତା ନିର୍ମାଣ ଓ ଅନ୍ୟାନ୍ୟ ଉନ୍ନତିମୂଳକ ସରକାରୀ ଯୋଜନାରେ ହୋଇଥିବା ଅର୍ଥବାଟମାରଣା ଭଳି ବ୍ୟାପକ ଦୁର୍ନୀତିର ପର୍ଦ୍ଦାଫାସ କରାଇଥିବା ନବକିଶୋର ମଲ୍ଲୀକଙ୍କ ପୁଅ ହରିଶ୍ ଚନ୍ଦ୍ର ମଲ୍ଲୀକଙ୍କ ଉପରେ ବିଜେଡି ସମର୍ଥକଗଣ ଉତକ୍ଷିପ୍ତ ହୋଇଥିଲେ । ଜୁଲାଇ ୧ ତାରିଖରେ ନବକିଶୋର ମଲ୍ଳୀକ, ତାଙ୍କ ଭାଇ ଜୟକୃଷ୍ଣ, ସ୍ତ୍ରୀ, ବୋହୁ, ଆଠ ବର୍ଷର ନାତି ଉପରେ ଆକ୍ରମଣ କରାଯାଇଥିଲା । ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଏ ସମ୍ପର୍କରେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ବେଳେ ତାଙ୍କ ଏତଲା ମଧ୍ୟ ଗ୍ରହଣ କରିନଥିଲା, କି କାହାରିକୁ ଗିରଫ ମଧ୍ୟ କରିନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବିଷୟ ବୋଲି ଭାଜପା ପକ୍ଷରୁ କ୍ଷୋଭପ୍ରକାଶ କରି କୁହାଯାଇଛି । ଜୁଲାଇ ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ସେଠାରେ ମହିଳା ମାନଙ୍କ ଉପରେ ଆକ୍ରମଣ ସହ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଚିତ୍ରକୁ ଅସମ୍ମାନ କରାଯାଇଥିଲା ବୋଲି ଭାଜପା ପକ୍ଷରୁ ଦୃଢ଼ ଅଭିଯୋଗ ହୋଇଛି । ଏନେଇ ଜୁଲାଇ ୨୮ ତାରିଖରେ ନାଉଗାଁ ଥାନା ରେ ଏତଲା ଦେଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅତ୍ୟନ୍ତଦୁଃଖ ଓ ପରିତାପର ବିଷୟ ସହ ଏହା ଏକ ଅଗଣତାନ୍ତ୍ରିକ ବୋଲି ରାଜ୍ୟ ସରକାରଙ୍କୁ ସମାଲୋଚନା କରି କୁହାଯାଇଛି । ଏହାର ପ୍ରତିବାଦ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବୀରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ରାଜ୍ୟ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚା ନିଷ୍ପତି ନେଇଥିବା ପ୍ରକାରେ ଗୁରୁବାର ଗଞ୍ଜାମ ଜିଲ୍ଲା ଭାଜପା ଅନୁସୂଚିତ ଜାତିମୋର୍ଚ୍ଚାର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ଲିଗାଲ ସେଲ୍‌ର ଅଧ୍ୟକ୍ଷ ପ୍ରଦୀପ କୁମାର ପାଢୀ, ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, କୀର୍ତନ ଦାସ, ସଂଜିତ ରାଉଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.