
ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ଅଣ୍ଟା ଭଡିଲା ନାଗରିକ କମିଟି । ଏନେଇ ଶନିବାର ସ୍ଥାନୀୟ ପିଏନ୍ୟୁଏ କଲେଜ ପରିସରରେ ଅନୁଷ୍ଠିତ ଏକ ଆଲୋଚନା ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ଆଲୋଚନା କରାଯାଇଥିବା ସହରର ବିଭିନ୍ନ ସମସ୍ୟାର ସମାଧାନ କରିବା ନିମନ୍ତେ ନାଗରିକ କମିଟି ପକ୍ଷରୁ ଏକ ଦାବୀ ପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି । ସବୁ କ୍ଷେତ୍ରରେ ଯୋଗ୍ୟତା ଭିତ୍ତିକ ତଥା ସମସ୍ତ ଭିତ୍ତିଭୂମିର ରୂପରେଖ ନିରୂପଣ ହୋଇଥିଲେ ମଧ୍ୟ ଭାରତବର୍ଷର ପ୍ରଥମ ବ୍ରିଟୀଶ ସାମ୍ରାଜ୍ୟଧୀନ ଜିଲ୍ଲା ହେଡକ୍ୱାଟର ତଥା ସଦରମହକୁମା ଛତ୍ରପୁର ଏନ୍ଏସିକୁ ମ୍ୟୁନିସିପାଲଟି ଭାବେ ଘୋଷଣା କରିବାରେ ରାଜ୍ୟ ସରକାର କୁଣ୍ଠାବୋଧ କରୁଥିବା ନେଇ ଛତ୍ରପୁର ନାଗରିକ କମିଟି ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଛି । ସହରର ପରିସୀମା ଓ ଜନସଂଖ୍ୟା, ଜନବସତି, କୋଠା, ଏପାର୍ଟମେଣ୍ଟ, କମ୍ପାନୀ, ଟୁଇରିଜିମ ସ୍ପଟ ଆଦି ବୃଦ୍ଧି ପାଇଥିବା ବେଳେ ଏହି ସହରକୁ ମ୍ୟୁନିସିପାଲଟି କରିବା ପାଇଁ ପ୍ରଶାସନ ପଛଘୁଞ୍ଚା ଦେଇଛନ୍ତି । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଜିଲ୍ଲା ହସ୍ପିଟାଲ ଭାବେ ମାନ୍ୟତା ଦିଆଯିବା, ଏହି ହସ୍ପିଟାଲକୁ ଦୈନିକ ବହୁ ସଂଖ୍ୟାରେ ସଡକ ଦୁର୍ଘଟଣାଜନିତ ରୋଗୀ ବହୁ ସଂଖ୍ୟାରେ ଆସିଥାନ୍ତି, ତେଣୁ ଏହି ହସ୍ପିଟାଲରେ ଆଇସିୟୁ ଓ ଟ୍ରୋମା ସେଣ୍ଟର ପ୍ରତିଷ୍ଠା କରାଯିବା ନିମନ୍ତେ ଦାବୀ ହୋଇଛି । ଛତ୍ରପୁର ସହରକୁ ୪ ଘଣ୍ଟା ଧରି ପାନୀୟ ଜଳଯୋଗାଣ ବ୍ୟବସ୍ଥା ଯୋଗାଇ ଦିଆଯିବା, ଡିଆରଡିଏ ଛକ ଓ କଲେଜଛକ ଠାରେ ଓଭରବ୍ରିଜ୍ ନିର୍ମାଣ ନ ହେବା ପର୍ଯ୍ୟନ୍ତ ଟ୍ରାଫିକ୍ ପୋଷ୍ଟ ସହ ପହରା ବ୍ୟବସ୍ଥା ଅବା ନିୟମିତ ପୁଲିସ ମୁତୟନ କରାଯିବା, ଜାତୀୟ ରାଜପଥରେ ପ୍ରମୁଖ ଛକ ମାନଙ୍କରେ ଯାନବାହନ ଗୁଡିକର ବେଗ ନିୟନ୍ତ୍ରଣ ସିଷ୍ଟମ ବ୍ୟବସ୍ଥା କରିବା, ଋଷିକୁଲ୍ୟା ଜଳସେଚନ ପ୍ରଣାଳୀ ଦ୍ୱାରା ପିଲିବନ୍ଧ ସମେତ ବିଭିନ୍ନ କେନାଲ ଗୁଡିକର ପୁନଃ ଉଦ୍ଧାର ବ୍ୟବସ୍ଥା କରିବା, ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା, ଦ୍ରୁତଗାମୀ ଟ୍ରେନ୍ର ରହଣି ବ୍ୟବସ୍ଥା, ଅନ୍ୟତ୍ର ସ୍ଥାନରେ ଥିବା ବିଭିନ୍ନ ବିଭାଗର ଜିଲ୍ଲା କାର୍ଯ୍ୟାଳୟକୁ ଛତ୍ରପୁର ସଦରମହକୁମାକୁ ଅଣାଯିବା, ସହ ସର୍ବୋପରି ଛତ୍ରପୁର ସହରର ବିକାଶ ନିମନ୍ତେ ଅନ୍ୟାନ୍ୟ ଦାବୀ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ଶ୍ୟାମ ସୁନ୍ଦର ପଟ୍ଟନାୟକ, ଘନଶ୍ୟାମ ଚୌଧୂରୀ, ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସିମାଞ୍ଚଳ ନାହାକ, କାଳି ପ୍ରସାଦ ଦାଶ, ମନୋଜ କୁମାର ବେହେରା, ଅନାମ ଚନ୍ଦ୍ର ପ୍ରଧାନ, ସୋମନାଥ ସାହୁ, ପର୍ଶୁରାମ ଗୌଡ, କେ. ସତ୍ୟନାରାୟଣ ରେଡ୍ଡି, ଡି. ଆଦିନାରାୟଣ ରେଡ୍ଡି, ବାବୁ ନାହାକ, ଅରୁଣ କୁମାର ଶତପଥୀ, ଡ.ରାଜେନ୍ଦ୍ର କୁମାର ଦାଶ, ଦିଲ୍ଲୀପ କୁମାର ସାମଲ, ଅଜିତ କୁମାର ସେଠୀ, ରାମଚନ୍ଦ୍ର ବେହେରା, ଜି. ଶେଷୁ ରେଡ୍ଡି, ସୁଧୀର ସାହୁ, ଲକ୍ଷ୍ମୀ ନାରାୟଣ ପଣ୍ଡା, ରାଜେନ୍ଦ୍ର କୁମାର ସାହୁ, ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।