ପାଉଁରୁଟି ବିକି ପରିବାର ଚଳାଉଛି ଦଶ ବର୍ଷର ବାଳକ ସୁମନ୍ତ : ସରକାରୀ ଯୋଜନା ତା’ ପାଇଁ ସାତ ସପନ ପାଲଟିଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶର ଭବିଷ୍ୟତ ନିଜ ପରିବାର ପୋଷଣ ପାଇଁ ବୁଲି ବୁଲି ବିକ୍ରି କରୁଛି ପାଉଁରୁଟି । ଯେଉଁ ହାତରେ ବର୍ତ୍ତମାନ ଖାତା, କଲମ, ବହି ବସ୍ତାନୀ ଧରିବା କଥା, ସେହି ହାତରେ ଏବେ ବିକ୍ରି କରିବାକୁ ପଡୁଛି ପାଉଁରୁଟି । କଅଁଳ ବୟସରେ ପରିବାରର ବୋଝ । ବାପା ମା’ ଛେଉଣ୍ଡ ୧୦ ବର୍ଷୀୟ ସୁମନ୍ତ ଧରୁଆ ନିଜର ତିନି ଭାଇ ଭଉଣୀ ଓ ଅଜାଆଈଙ୍କ ପେଟରେ ଦାନା ଦେବା ପାଇଁ କରୁଛି ସଂଘର୍ଷ ।

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଲୁକୁପାଲି ଗାଁର ଏହି ପରିବାରର ଦୁଃଖ ଭରା କାହାଣୀ ଶୁଣିଲେ ଆଖିରୁ ଲୁହ ଝରିଯିବ । ସୁମନ୍ତଙ୍କ ବାପା ସ୍‌ସ୍ୱର୍ଗତ କାଶୀ ଧରୁଆ ପ୍ରାୟ ୧୦ ବର୍ଷ ତଳେ ମୃତ୍ୟୁବରଣ କରି ସାରିଥିବା ବେଳେ ବାପାଙ୍କ ମୃତ୍ୟୁ ପରେ ମା’ ତପସ୍‌ସ୍ୱିନୀ ଧରୁଆ ଚାରି ଛୁଆଙ୍କୁ ଛାଡି କୁଆଡେ ଚାଲିଗଲେ । ସେତିକି ଦିନଠୁ ନିଜର ବୃଦ୍ଧ ଅଜାଆଈଙ୍କ ପାଖରେ ରହି ଆସୁଛନ୍ତି ଅସହାୟ ଚାରି ଭାଇ ଭଉଣୀ ସୁମନ୍ତ ଧରୁଆ(୧୦), ପଦ୍ମିନୀ ଧରୁଆ(୨୦), ପଦ୍ମା ଧରୁଆ(୧୬) ଓ ହେମନ୍ତ ଧରୁଆ(୧୦) । ଦାରିଦ୍ରତା ଆଗରେ ବଳି ପଡି ଯାଇଛି ଚାରି ଛୁଆଙ୍କ ପାଠ ପଢା ।

ବୃଦ୍ଧ ଅଜାଆଈ ପର ମୂଲ ଲାଗି ଛୁଆଙ୍କ ଭରଣ ପୋଷଣ କରୁଥିଲେ । ହେଲେ ବର୍ତ୍ତମାନ ବାର୍ଦ୍ଧକ୍ୟ ଅବସ୍ଥା ଯୋଗୁଁ ଘରେ ପଡିରହିଛନ୍ତି । ଏମାନଙ୍କ ପାଇଁ ସରକାରୀ ଯୋଜନା ବାଟବଣା । ଝାଟି ମାଟି ଘରେ ବିତୁଛି ଛଅ ପ୍ରାଣୀଙ୍କ ଜୀବନ । ନା’ ମିଳିଛି ପକ୍କା ଘର ନା ମିଳିଛି ରାସନ କାର୍ଡ । ଜୀବନ ଜୀଇଁବା ପାଇଁ ଏଠି ଚାଲିଛି ଘନଘୋର୍‌ ସଂଘର୍ଷ । ନିଜର ପରିବାର ପୋଷଣ କରିବା ପାଇଁ ବୁଲି ବୁଲି ପାଉଁରୁଟି ବିକ୍ରି କରୁଥିବା ନାବାଳକ ସୁମନ୍ତ ଓ ତାଙ୍କ ପରିବାର ଉପରେ କେବେ ପ୍ରଶାସନର ଦୃଷ୍ଟି ପଡିବ, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.