୩ ମାସ ପରେ ପୁଣି ବଦଳିଲେ ଦେଓଗାଁ ଥାନା ଅଧିକାରୀ : ପୁରୁଣା ଫାଇଲର ପୁଣି ଖୋଳତାଡ ହେବ ତ’ !

  • ବବଲୁ ଓ ସୁନା ବ୍ୟବସାୟୀ ହତ୍ୟା ଘଟଣାର ତଦନ୍ତ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ୩ ମାସ ତଳେ ଦେଓଗାଁ ଥାନାର ଚର୍ଚ୍ଚିତ ଓଆଇସି ରଂଜନ ବରିହାଙ୍କୁ ଟିଟିଲାଗଡ଼ ଥାନାକୁ ବଦଳି ହୋଇଥିଲା । ତାଙ୍କ ବଦଳରେ ଟିଟିଲାଗଡ଼ ଥାନା ଆଇଆଇସି ପ୍ରଭାତ ରଂଜନ ମହାନ୍ତି ଦେଓଗାଁ ଥାନରେ ଗତ ଏପ୍ରିଲ ମାସରେ ଯୋଗ ଦେଇଥିଲେ । କିନ୍ତୁ ଯୋଗଦାନର ୩ ମାସ ନପୂରୁଣୁ ତାଙ୍କୁ ବଦଳି ନିଦ୍ଦେଶ ଆସିଛି । ତାଙ୍କ ବଦଳରେ ନୂଆ ଥାନା ଅଧିକାରୀ ଭାବେ ବାମଦେବ ସଂଖୁଆଳ ଦେଓଗାଁ ଥାନାରେ ଯୋଗ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଦେଓଗାଁ ଥାନା ଅଞ୍ଚଳରେ ୧୪ ମାସ ମଧ୍ୟରେ ଦୁଇଜଣ ନିଖୋଜଙ୍କ ନର କଙ୍କାଳ ଓ ମୃତଦେହ ଠାବ ହୋଇଥିବା ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ପୁଣି ଆଲୋଚନା ହେଉଛି । ଦୁଇଟି ଘଟଣା ଗୁପ୍ତଧନ କାରବାରକୁ ନେଇ ହୋଇଥିବା ଚର୍ଚ୍ଚା ହେଉଥିଲେ ବି ପଛଘୁଞ୍ଚା ଦେଇ ଚୁପ୍‌ ରହିଥିବା ପୁଲିସ କିଭଳି ଢଙ୍ଗରେ ତଦନ୍ତ କରୁଛନ୍ତ, ତାହା ଦେଖିବା ବାକି ରହିଛି । ଏପରିକି ଗତ ମାସରେ ନିଖୋଜ ହୋଇ ବୁଲୁଥିବା ଜଣେ ହତ୍ୟା ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରି ଥାନାରୁ ନିଖୋଜ ହୋଇଥିଲେ ବି ପୁଲିସ ହାତ ଖାଲି ଥିବାରୁ ଦେଓଗାଁ ଥାନା ଅଧିକାରୀଙ୍କ ବଦଳି ହେଇଥିବା ଚର୍ଚ୍ଚା ହେଉଛି । ଦେଓଗାଁ ଥାନା ଅଞ୍ଚଳ ଦେଇ ପୁଲିସ ବିଭିନ୍ନ ସମୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଗାଡ଼ିକୁ କାବୁ କରୁଥିଲେ ମଧ୍ୟ ମାଷ୍ଟରମାଇଣ୍ଡ କେବେ ଧରା ପଡ଼ିନାହାନ୍ତି । ଏହି ଘଟଣା ଗୁଡ଼ିକୁ ନେଇ ଦେଓଗାଁର ପୂର୍ବ ଓଆଇସି ଚର୍ଚ୍ଚାରେ ରହି ଆସୁଥିଲେ । ଏବେ ନୂଆ ଆଇଆଇସି ଏହି ଦୁଇ ହତ୍ୟାକାଣ୍ଡକୁ କିଭଳି ଭାବରେ ନେବେ ତାହା ଦେଖିବାକୁ ବାକି ରହିଛି ।

Leave A Reply

Your email address will not be published.