ଓଡ଼ିଶାରେ ବଢ଼ିଲା ଆଂଶିକ ଲକ୍‌ଡାଉନ୍‌ : ଗାଇଡଲାଇନ୍‌ ନେଇ ମୁଖ୍ୟ ଶାସନ ସଚିବଙ୍କ ଘୋଷଣା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ ଜୁଲାଇ ୧୬ ଯାଏ ବଢ଼ାଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ଘୋଷଣା କରି କହିଛନ୍ତି ଯେ, ଆଂଶିକ ଲକ୍‌ଡାଉନକୁ ଲୋକେ ପାଳନ କରିଛନ୍ତି । ୧୭ ଜିଲ୍ଲାରେ ସଂଧ୍ୟା ୫ ଯାଏ ସବୁ ଦୋକାନ ଖୋଲିବାକୁ ଅନୁମତି ଥିଲା । ଖୁସିର କଥା ୧୭ ଜିଲ୍ଲାରେ ସଂକ୍ରମଣ ଆଉ ବଢ଼ି ନାହିଁ । ବାକି ୧୩ ଜିଲ୍ଲାରୁ ୩ ଜିଲ୍ଲା ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝରରେ ପଜିଟିଭିଟି ୫%ରୁ କମ୍ ରହିଛି । ୩ ଜିଲ୍ଲାରେ ପଜିଟିଭିଟି ରେଟ୍ ୫%କୁ କମିଥିବାରୁ କ୍ୟାଟେଗୋରୀ ଏ’କୁ ଏହି ୩ ଜିଲ୍ଲା ଯାଇଛି । ଫଳରେ ସଂକ୍ରମଣ କମିଥିବା ୨୦ଟି ଜିଲ୍ଲା କ୍ୟାଟେଗୋରୀ ଏ’ରେ ସାମିଲ ହୋଇଛି । ସ୍ଥିତି ଦେଖି ଗ୍ରାଜୁଆଲି ଅନ୍‌ଲକ୍ ଆରମ୍ଭ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ କ୍ୟାଟେଗୋରୀ ଏ’ରେ ଥିବା ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ରହିଥିବା ବେଳେ ଏବେ ଏହି କ୍ୟାଟେଗୋରୀରେ ଆଉ ୩ ଜିଲ୍ଲା ସାମିଲ ହୋଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା-ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର । ସେହିପରି କ୍ୟାଟେଗୋରୀ ବି’ ଜିଲ୍ଲା ଗୁଡ଼ିକ ହେଲା- ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ । ପଜିଟିଭିଟି ୫%ରୁ ଅଧିକ ଥିବା ବାକି ୧୦ ଜିଲ୍ଲା କ୍ୟାଟେଗୋରୀ ବି’ରେ ସାମିଲ ହୋଇଥିବା ବେଳେ ଏହି କ୍ୟାଟେଗୋରୀରେ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲିବ । କ୍ୟାଟେଗୋରୀ ଏ’ରେ ଥିବା ୨୦ ଜିଲ୍ଲାରେ ଦୋକାନ ବଜାର ଖୋଲିବାକୁ ଥିବା ବେଳେ ୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ଦୋକାନ ଖୋଲିବ ।

ତେବେ ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ୍‌ ଦୋକାନଗୁଡିକ ବନ୍ଦ ରହିଥିବା ବେଳେ ଏବେ ଖୋଲିବାକୁ ମିଳିଲା ଅନୁମତି । ସପିଙ୍ଗ ମଲ୍‌, ପାର୍ଲର ଆଦି ଛାଡ଼ି ଆଉ ସବୁ ଦୋକାନ ଖୋଲିବ । ୨୦ ଜିଲ୍ଲାରେ ଧାର୍ଯ୍ୟ ସିଟରେ ବସ୍ ଓ ଟ୍ୟାକ୍ସି ଚଳାଚଳ କରିବ, ଇନ୍‌ଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ମିଳିବ, ୨୦ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ହେବ ନାହିଁ । ସପ୍ତାହର ସାତ ଦିନ ପର୍ଯ୍ୟନ୍ତ ୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ଦୋକାନ ଖୋଲିବ । ୨୦ ଜିଲ୍ଲାରେ ସାପ୍ତାହିକ ହାଟ ଖୋଲିବାକୁ ଅନୁମତି ମିଳିଛି ।

ସାରା ରାଜ୍ୟରେ ସଂଧ୍ୟା ୬ରୁ ସକାଳ ୬ ନାଇଟ କର୍ଫ୍ୟୁ ଜାରି ରହିବ । ସେହିପରି କ୍ୟାଟେଗୋରୀ ବି’ରେ ଥିବା ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲିବ । ଏହି ୧୦ ଜିଲ୍ଲାରେ ମଲ୍, ପାର୍ଲର, ସ୍ପା ଛାଡ଼ି ସବୁ ଦୋକାନ ଖୋଲିବ । ସବୁ ଦୋକାନ ସକାଳ ୬ଟାରୁ ଦିନ ୨ଟା ଯାଏ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି ।
କୋଭିଡ଼ ଗାଇଡଲାଇନ ପାଳନ ଦାୟିତ୍ୱ ଦୋକାନ ମାଲିକ ନେବେ । ଯେଉଁଠି ଗାଇଡଲାଇନ ଉଲ୍ଲଂଘନ ହେବ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ୧୦ ଜିଲ୍ଲାରେ ଆଉଟଡୋର ସୁଟିଂ ପାଇଁ ସରକାର ଅନୁମତି ଦେଇଥିବା ବେଳେ ଉଠା ଦୋକାନୀ ଦୋକାନ ଖୋଲିପାରିବେ ଏବଂ ଜିନିଷ ପାର୍ସଲ ଦେଇପାରିବେ । କ୍ୟାଟେଗୋରୀ ବି’ରେ ଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଲାଗୁ ରହିବ । ଏହିସବୁ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଏବେ ଅନୁମତି ମଳି ନାହିଁ ।

Leave A Reply

Your email address will not be published.