କିସ୍ ସ୍ନାତକୋତ୍ତରରେ ଗୋଲ୍ଡ ମେଡ଼ାଲ ପାଇଲେ ଆଦିବାସୀ ଝିଅ ନମିତା ଧରୁଆ

  • ବାପା ଭିନ୍ନକ୍ଷମ, ତଥାପି ପାଠପଢା ପାଇଁ ହେଇନି ବାରଣ
  • ମୋହନଗିରୀ ଭଳି ସୀମାନ୍ତବର୍ତ୍ତୀ ଇଲାକାରେ ନମିତାଙ୍କ ସଫଳତା, ଅନ୍ୟପାଇଁ ଉଦାହରଣ

ମ.ରାମପୁର, (ହେମନ୍ତ ସାହୁ) : ଦିନଥିଲା ଝିଅମାନଙ୍କ ପାଠପଢାକୁ ବାରଣ କରାଯାଉଥିବା ବେଳେ ଧୀରେ ଧୀରେ ସମୟାନୁସାରେ ଏହି ଚିନ୍ତାଧାରରୁ ମୁକ୍ତ ହେଲା ସମାଜ । ଝିଅଙ୍କ ପାଠପଢା ପ୍ରତି ଆଉ ରହିଲା ନାହିଁ ବାରଣ । ଝିଅମାନେ ବି ପାଠପଢାରେ ପଛରେ ରହିନାହାନ୍ତି । ପାଠପଢି, ଉଚ୍ଚ ଶିକ୍ଷିତା ହୋଇ ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ସୀମାନ୍ତବର୍ତ୍ତୀ ଗ୍ରାମ ପଂଚାୟତ ମୋହନଗିରୀ ଗ୍ରାମରୁ ଆଜି ଏଇଭଳି ଜଣେ ଝିଅ ଭୁବନେଶ୍ୱର କିସରେ ପାଠପଢି ଗୋଲ୍ଡ ମେଡ଼ାଲ ପାଇବା ନିଶ୍ଚିତ ଭାବରେ ଗର୍ବ ଏବଂ ଗୌରବର ବିଷୟ । କେବଳ ସେତିକି ନୁହେଁ ତାଙ୍କ ବାପା ରାଜେନ୍ଦ୍ର ଧରୁଆ ଜଣେ ଭିନ୍ନକ୍ଷମ ହେଇଥିଲେ ହେଁ ଘରର ଏକମାତ୍ର ଝିଅକୁ ପାଠପଢାରେ ଡ଼ୋରି ନ ବାନ୍ଧି ଆହୁରି ପାଠ ପଢିବାକୁ ଉତ୍ସାହିତ କରିଛନ୍ତି, ଯାହାକି ନିଶ୍ଚିତ ଭାବରେ ଖୁସିର ବିଷୟ । ନମିତା ଧରୁଆ ଗତ ୨୦୧୭ ମସିହାରେ ଭୁବନେଶ୍ୱରସ୍ଥିତ କିସ ବିଶ୍ୱବିଦ୍ୟାଳୟରେ ସେହିବର୍ଷ ଆରମ୍ଭ ହୋଇଥିବା ନୂତନ ବିଷୟ, ଟ୍ରାଇବାଲ କଲଚର ଏଣ୍ଡ ଇକୋସ୍ପିରିଚୁଆଲିଜିମ୍‌ରେ ଦୁଇବର୍ଷ ଅଧ୍ୟୟନ କରିଥିଲେ ଏବଂ ଏହି ବିଷୟରେ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ସେ ଗୋଲ୍ଡ ମେଡ଼ାଲ ପାଇଛନ୍ତି । ତେବେ ଆଜି ଭର୍ଚୁଆଲ ମୋଡ଼ରେ ହେଇଥିବା ଏହି ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଗଣେଷି ଲାଲ ଯୋଗଦେଇ ନମିତାଙ୍କ ସହିତ କଥାବାର୍ତ୍ତା ବେଳେ, କଳାହାଣ୍ଡି ଭଳି ଏକ ଉପାନ୍ତ ଇଲାକାରୁ ଏହି ସଫଳତା ପାଇଥ୍‌ଥ୍ୱାରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଅଡ଼ିଟର ଜେନେରାଲ(ଭାରତ) ଗିରିଷଚନ୍ଦ୍ର ମୁର୍ମୁୁ ପ୍ରମୁଖ ଯୋଗଦେଇ ନମିତାଙ୍କୁ ଉତ୍ସାହିତ କରିବା ସହିତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ତେବେ ନମିତା ନିଜ ମୋହନଗିରୀରେ ଦଶମ ପାଶ କରିବା ପରେ ରିଷିଡ଼ା କଲେଜରେ ଯୁକ୍ତଦୁଇ ଏବଂ ଯୁକ୍ତତିନି ଅଧ୍ୟୟନ କରିଥିଲେ । ପରେ ସେ କିସରେ ନାମ ଲେଖାଇଥିଲେ । ପରିବାରରେ ଅନେକ କଷ୍ଟ ଥିଲେ ହେଁ ସେ କେବେ ପାଠପଢାରେ ଅବହେଳା କରିନାହାନ୍ତି କି ହାରିଯାଇନାହାନ୍ତି । ସଂପ୍ରତି ସେ ଭବାନୀପାଟଣା ଅଟୋନମସ କଲୋଜରେ ବିଇଡ଼ି ପ୍ରଥମବର୍ଷରେ ନାମ ଲେଖାଇ ଘରେ ରହି ଅନଲାଇନ କ୍ଲାସ କରୁଥିବା କହିଛନ୍ତି । ତେବେ ଏକ ନୂତନ ବିଷୟ ବସ୍ତୁ ଉପରେ କାହିଁକି ସ୍ନାତକୋତ୍ତର ହେବାକୁ ଇଚ୍ଛା ପ୍ରକଟ କଲେ ବୋଲି ପଚାରିବାରୁ ସେ, ମୁଁ ଜଣେ ଆଦିବାସୀ ଝିଅ ଏବଂ ଭାରତର ସବୁଠୁ ବଡ଼ ଆଦିବାସୀ ସଂପ୍ରଦାୟ ଗଣ୍ଡ ସଂପ୍ରଦାୟର ଝିଅ । ତେଣୁ ଆଦିବାସୀ ସଂପ୍ରଦାୟ ବିଷୟରେ ଅଧିକ ଜାଣିବା ସହିତ ଏହି ସଂସ୍କୃତିର ସୁରକ୍ଷା ଦିଗରେ ଯତ୍ନବାନ ହୋଇପାରିବି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ନମିତାଙ୍କ ଏହି ସଫଳତା ପରେ ମ.ରାମପୁର ତଥା ମୋହନଗିରୀ ଅଂଚଳରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ନମିତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.