ନାରାୟଣ ପୃଷେଠ୍‌ଙ୍କ ୭୮ତମ ଜୟନ୍ତୀରେ ଭର୍‌ଚୁଆଲ ସ୍ମାରକୀ ବକୃତା : ସୁଲେଖକ ସହ ପ୍ରଫେସର ପୃଷେଠ୍‌ ଥିଲେ ସୁମଣିଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ଶିକ୍ଷାବିତ୍‌, ପ୍ରାବନ୍ଧିକ, ସ୍ତମ୍ଭକାର ତଥା ସମ୍ପାଦକ ପ୍ରଫେସର ନାରାୟଣ ପୃଷେଠ୍‌ଙ୍କ ରବିବାର ୭୮ତମ ଜୟନ୍ତୀ ଅବସରରେ ଏକ ଭର୍‌ଚୁଆଲ ସ୍ମାରକୀ ବକୃତା ଅନୁଷ୍ଠିତ ହୋଇଛି । ପ୍ରଫେସର ନାରାୟଣ ପୃଷେଠ୍‌ ସ୍ମୃତି କମିଟି ପକ୍ଷରୁ ସଭାପତି ସନ୍ଦୀପ କୁମାର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ପୂର୍ବତନ ଲୋକସଭା ଏମପି ତଥା ବିଶେଷ ଖବରର ସମ୍ପାଦକ ମହାମେଘବାହନ ଐର ଖାରବେଳ ସ୍ୱାଇଁ ଯୋଗଦାନ କରି ସ୍ମାରକୀ ବକୃତା ପ୍ରଦାନ କରିଥିଲେ । ମୋର ବିଜ୍ଞବନ୍ଧୁ ନାରାୟଣ ପୃଷେଠ୍‌ ବିଷୟରେ ଆଲୋଚନା କରି ଜଣେ ମଣିଷ ଭାବେ ସେ ବହୁ ସମ୍ମାନର ଅଧିକାରୀ ଥିଲେ ବୋଲି କହିଥିଲେ । ସମାଜରେ ବହୁ ଉଚ୍ଚକୋଟିର ଲେଖକ, ସାହିତ୍ୟିକ ଅଛନ୍ତି, ମାତ୍ର ସେମାନଙ୍କ ମଧ୍ୟରୁ ବହୁ କମ୍‌ ଏଭଳି ସାହିତ୍ୟିକ ଅଛନ୍ତି ଯେଉଁମାନେ ଭଲ ମଣିଷ । ମାତ୍ର ପ୍ରଫେସର ନାରାୟଣ ପୃଷେଠ୍‌ ଉଭୟ ସୁଲେଖକ ଓ ସୁମଣିଷ ଥିଲେ ବୋଲି ଆଲୋଚକ ସ୍ୱାଇଁ କହିଥିଲେ । ସମାଜରେ ଦୁଇ ପ୍ରକାରର ଦୁର୍ନୀତି ରହିଛି ଗୋଟିଏ ଶାରୀରିକ ଓ ଅନ୍ୟଟି ବୌଦ୍ଧିକ ଦୁର୍ନୀତି । ଶାରୀରିକ ଦୁର୍ନୀତି ଅପେକ୍ଷା ବୌଦ୍ଧିକ ଦୁର୍ନୀତି ମାରାତ୍ମକ ବୋଲି କହି ସମାଜର ଅଧୋଗତିରେ ବୌଦ୍ଧିକ ଦୁର୍ନୀତି ବାଧକ ବୋଲି କହିଥିଲେ । ତାଙ୍କ ବକ୍ତବ୍ୟରେ ପ୍ରଫେସର ପୃଷେଠ୍‌ଙ୍କୁ ସେ ଓଡିଶାର ଜଣେ ଯଶସ୍ୱୀ ବାଗ୍ମୀ ବୋଲି କହିବା ସହ ବହୁ ସ୍ମୃତି ଓ ଅନୁଭୂତି ବାଣ୍ଟିଥିଲେ । ଏହି ଅବସରରେ ପ୍ରଫେସର ପୃଷେଠ୍‌ଙ୍କ ପ୍ରବନ୍ଧ ସଙ୍କଳନ କେତେ ଦୃଷ୍ଟି କେତେ ଦିଗନ୍ତକୁ ପୂର୍ବତନ ଏମପି ସ୍ୱାଇଁ ଭର୍‌ଚୁଆଲ ଉନ୍ମୋଚନ କରିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଆଇଆଇପିଏର ଆସିଷ୍ଟାଣ୍ଡ ପ୍ରଫେସର ଡ. ସୁଜିତ କୁମାର ପୃଷେଠ୍‌, ଶିଳ୍ପୀ ଓ ସ୍ଥପତି ଅନ୍ତର୍ୟାମୀ ମେହେର, ଶିକ୍ଷାବିତ୍‌ ଟେକଚାନ୍ଦ ଦୁଆନ୍‌ ଓ ପ୍ରଦୀପ କୁମାର ହୋତା ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ବୀରେନ୍ଦ୍ର କୁମାର ଝାଙ୍କର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅନ୍‌ଲାଇନ୍‌ କାର୍ୟ୍ୟକ୍ରମ ପରିଚାଳନାରେ ଦିଲ୍ଲୀର ପ୍ରତ୍ୟୁଷ ପ୍ରଭାକର ବୈଷୟିକ ସହଯୋଗ କରିଥିଲେ । ଏହି କାର୍ୟ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଗବେଷକ, ଅଧ୍ୟାପକ, ସାହିତ୍ୟିକ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.