ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତର ଡୁମ୍ବେରବାହାଲ ନଦୀ ଉପରେ ଥିବା ବ୍ରିଜରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଏଠାରେ ଗମନା ଗମନ ପ୍ରତି ଘୋର ବିପଦ ଆଶଙ୍କା ରହିଛି । ବହୁଦିନରୁ ଏହି ଗର୍ତ୍ତଟି ସୃଷ୍ଟି ହୋଇଥିବା ବେଳେ ଧିରେ ଧିରେ ଏହା ବଡ଼ ହେବାରେ ଲାଗିଛି । ମାଣ୍ଡୋସିଲ ଓ ଡୁମ୍ବେରବାହାଲ ମଧ୍ୟରେ ଥିବା ଏହି ରାସ୍ତା ଓ ପୋଲ ଦେଇ ପ୍ରତିଦିନ ହଜାର ହଜାର ଜନସାଧାରଣ ଏବଂ ବହୁ ସଂଖ୍ୟାରେ ଯାନବାହାନ ଯାତାୟାତ କରୁଥିବାରୁ ଏହି ପୋଲରେ କ୍ରମବର୍ଦ୍ଧିଷ୍ଣୁ ଗର୍ତ୍ତ ଯୋଗୁଁ ଲୋକଙ୍କ ମନରେ ଭାଳେଣି ପ୍ରକାଶ ପାଉଛି । ସୂଚନାଯୋଗ୍ୟ ଯେ, ପଶ୍ଚିମଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଗତ ୧୫ ବର୍ଷ ତଳେ ପ୍ରାୟ ୩୪ ଲକ୍ଷ ଟଙ୍କା ବ୍ୟୟରେ ଏହି ପୋଲ ନିର୍ମାଣ ହୋଇଥିବା ବେଳେ ନିର୍ମାଣ ସମୟରେ ଅତି ନିମ୍ନ ମାନର କାର୍ୟ୍ୟ ଯୋଗୁଁ ପ୍ରଥମ ବର୍ଷ ବନ୍ୟା ଦ୍ବାରା ପୋଲର ଅଧା ଅଂଶ ଭାଙ୍ଗିଯାଇ ନଦୀରେ ଭାସି ଯାଇଥିଲା । ଫଳରେ ଏଫଡିଆର ଫଣ୍ଡରୁ ପୁନର୍ବାର ଏହାର ପୁନଃ ନିର୍ମାଣ ଓ ମରାମତି କରାଯାଇଥିଲା । ପୋଲର ସାଇଡଓ୍ବାଲରେ ମଧ୍ୟ ଫାଟ ସୃଷ୍ଟି ହୋଇ ନଦୀ ପାର୍ଶ୍ବକୁ ଢଳିଯିବା ଭଳି ଲାଗୁଛି । ବର୍ଷାଋତୁ ଆସିଯାଇଥିବାରୁ ଆଗାମୀ ଦିନରେ କୌଣସି ବଡ଼ ବର୍ଷା ଓ ବନ୍ୟା ହେଲେ ପୋଲଟି ପୁନର୍ବାର ଭାଙ୍ଗି ଯିବାର ଆଶଙ୍କା ରହିଛି । ପୋଳର ଏହି ଶୋଚନୀୟ ଅବସ୍ଥା ବର୍ତ୍ତମାନ ସୁଦ୍ଧା କୌଣସି ବିଭାଗୀୟ ଅଧିକାରୀ କିମ୍ବା ଜନପ୍ରତିନିଧିଙ୍କ ଦୃଷ୍ଟିଗୋଚରକୁ ଆସିପାରୁ ନାହିଁ କିମ୍ବା କେହି ମଧ୍ୟ ଏ ଦିଗରେ ଧ୍ୟାନ ଦେଉନାହାନ୍ତି । ତେଣୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ, ବରଗଡ଼ ଜିଲ୍ଲାପାଳ, ପଦ୍ମପୁର ବିଧାୟକ ଓ ବରଗଡ଼ ସାଂସଦ ଏ ଦିଗରେ ଦୃଷ୍ଟି ଦେଇ ଆଶୁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।