ଲୋଇସିଂହା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ତଥା ସକମା ପଂଚାୟତ କୁଟୁରାପାଲି ଗ୍ରାମରେ ଜମି ବିବାଦକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ହେଲେ ସେହି ଗ୍ରାମର ମନବୋଧ ବାଗଙ୍କ ପୁଅ ପ୍ରସନ୍ନ ବାଗ(୪୨) । ଅପରପକ୍ଷେ ଏହି ଗଣ୍ଡଗୋଳରେ ଉଭୟ ପକ୍ଷରୁ ୫ ଜଣ ଆହତ ହୋଇ ଲୋଇସିଂହା ଓ ବଲାଙ୍ଗିର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆହତ ବ୍ୟକ୍ତି ମାନେ ହେଲେ ଦଶରଥ ବାଗ, କସରତ ବାଗ, ଆକାଶ ବାଗ, ସୁନିଲ ବାଗ ଓ କୈଳାସ ଷାଣ୍ଡ । ମୃତ ପ୍ରସନ୍ନ ବାଗଙ୍କ ପୁତୁରା ଆକାଶ ବାଗଙ୍କ କହିବା ମୁତାବକ, ପ୍ରସନ୍ନ ଆଜି ସକାଳେ ନିଜ ଜମିକୁ ଚାଷ କରିବାକୁ ଯାଇଥିବା ବେଳେ ଅନ୍ୟ ଲୋକ ତାଙ୍କ ତାଙ୍କ ଜମିରେ ଚାଷ କରୁଥିବା ଦେଖି ସେ ମନା କରିଥିଲେ । ଫଳରେ ଗଣ୍ଡଗୋଳ ସୃଷ୍ଟି ହେବା ସହିତ ଅପର ଗୋଷ୍ଠୀର ଅତର୍କିତ ଟାଙ୍ଗିଆ ଚୋଟରେ ପ୍ରସନ୍ନ ସେହିଠାରେ ଟଳି ପଡ଼ିଥିଲେ । ଆହତ ଆକାଶ ବାଗଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିବା ବେଳେ ଅପର ପକ୍ଷର ନରସିଂହ ବାଗଙ୍କ ଅଭିଯୋଗ କ୍ରମେ ଆଉ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଟ୍ରେନି ଡ଼ିଏସପି ଅମୃତ କୁମାର ପଣ୍ଡା, ଆଇଆଇସି ରମାକାନ୍ତ ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି ।
Prev Post