ବଙ୍ଗୋମୁଣ୍ଡା (ହୁଲେଶ୍ୱର ହଂସ) : ବିଶ୍ୱାସ କରି ନ ହେବା ଭଳି ଏକ ଘଟଣା ଘଟିଛି ବଂଗୋମୁଣ୍ଡା ବ୍ଲକର ବରୋବାହାଲ ଗାଁରେ । ଆଜିର ବିଜ୍ଞାନ ଯୁଗରେ ଯଦି ବି ଏହାକୁ ବିଶ୍ୱାସ କରାଯାଇ ପାରୁନାହିଁ, ତଥାପି ଧାର୍ମିକ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏ ଖବର ଜୋର୍ ଧରିଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଂଚାୟତ ବରୋବାହାଲ ଗାଁରେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ଗତକାଲି ବିଳମ୍ବିତ ରାତିରେ ଉଇହୁଙ୍କା ଠାରେ ଶିବ ଲିଙ୍ଗ ଆବିର୍ଭାବ ହୋଇଛନ୍ତି। କୁହାଯାଉଛି ଯେ, ବରୋବାହାଲ ଗାଁର କାକା ଓ ପୁତୁରାକୁ ରାତିରେ ଶିବଙ୍କ ସ୍ୱପ୍ନ ହୋଇଥିଲା । ଏକ ଷଣ୍ଢ ଏବଂ ନାଗ ସାପ ଦୌଡ଼ିବାର ସ୍ୱପ୍ନ ହେଲା ପରେ ସେମାନେ ତାଙ୍କ ଘରୁ ପଦାକୁ ଆସିଥିଲେ । ଏତିକି ସମୟ ଗାଁର ଇଷ୍ଟଦେବୀ ବୁଢାରାଜା ରୂପରେ ବାହାରି ଲିଙ୍ଗ ଥିବା ସ୍ଥାନ ଜମିକୁ ରାସ୍ତା କଢ଼େଇ ନେଇଥିଲେ । ସେହି ସମୟରେ ଉଇହୁଙ୍କାକୁ ଦେବୀ ବାହାର କରି ଦେଇଥିଲେ । ସେଥିରେ ଏକ ତମ୍ବା ବର୍ଣ୍ଣର ପଥର ଲିଙ୍ଗ ଉପରେ ଏକ ଗୋଖର ନାଗ ଲିଙ୍ଗରେ ଗୁଡେଇ ରହିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଆଜି ସକାଳେ ଖବର ପ୍ରଚାରିତ ହେବା ପରେ ଶହ ଶହ ସଂଖ୍ୟାରେ ଆଖପାଖ ଗାଁରୁ ଶ୍ରଦ୍ଧାଳୁ ଓ ଭକ୍ତମାନେ ଯାଇ ପୂଜାର୍ଚ୍ଚନା କରିଥିଲେ । ଏହି ଘଟଣାକୁ ନେଇ ନାନା ପ୍ରକାର ଗୁଜବ ସୃଷ୍ଟି ହେଉଥିବା ବି ଶୁଣିବାକୁ ମିଳୁଛି । ଘଟଣାର ସତ୍ୟାସତ୍ୟ ଉପରେ ଅନୁସଂଧାନର ଆବଶ୍ୟକତା ରହିଥିବା ବି କେତେକ କହୁଛନ୍ତି ।
Prev Post